ଜଳେଶ୍ୱରର ସାମଗ୍ରିକ ବିକାଶ ପାଇଁ ଯୁବ ନେତୃତ୍ୱକୁ ପ୍ରାଧାନ୍ୟ ଦେବାକୁ ଗୁରୁତ୍ୱାରୋପ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଜଳେଶ୍ୱର ବ୍ଲକର ୩୫ଟି ପଂଚାୟତ ଓ ବସ୍ତା ବ୍ଲକର ୧୪ଟି ପଂଚାୟତ ସମେତ ପୌରପରିଷଦର ୧୭ଟି ୱାର୍ଡକୁ ନେଇ ଗଠିତ । ଏହି ନିର୍ବାଚନ ମଣ୍ଡଳୀରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟରେ ଥିବା ବିଭିନ୍ନ ମୌଳିକ ସମସ୍ୟା ରହିଥିବା ବେଳେ ସେ ସବୁର ସ୍ଥାୟୀ ସମାଧାନ ପାଇଁ ଜଣେ ଯୁବ ନେତୃତ୍ୱର ଆବଶ୍ୟକତା ରହିଛି ବୋଲି ଆଜି ପୂର୍ବାହ୍ନରେ ସ୍ଥାନୀୟ ପୁର୍ତ୍ତବିଭାଗ ଡାକବଂଗଳାଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୃଷି ବୈଜ୍ଞାନିକ ତଥା ଯୁବ ସମାଜସେବୀ ରାଜୀବ ଗିରି ମତ ପ୍ରକାଶ କରିଛନ୍ତି । ଚାଷୀମାନଙ୍କର ବିତକାଶ ପାଇଁ ଜଳେଶ୍ୱର ଏକ ଶୀତଳ ଭଣ୍ଡାର ପ୍ରତିଷ୍ଠା, ଉନ୍ନତ ମାନର ବିହନ ଯୋଗାଣ, ଉନ୍ନତ କୃଷି ଯନ୍ତ୍ରପାତି ଯୋଗାଣ ପ୍ରଭୃତି ଆବଶ୍ୟକ ଥିବା ବେଳେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜିକେଭଟ୍ଟର ଡାକ୍ତରଖାନାକୁ ୫୦ ଶଯ୍ୟା ବିଶିଷ୍ଟ ପରିଣତ କରି ବିଭିନ୍ନ ପ୍ରକାର ଅତ୍ୟାବଶ୍ୱକ ୀୟ ସେବା ଯୋଗାଇବା ଉଚିତ ବୋଲି ସେ ମତପ୍ରକାଶ କରିଥିଲେ । ସେହିପରି ଜଳେଶ୍ୱରରେ ବୈଷୟିକ ଶିକ୍ଷାର ବିକାଶ ପାଇଁ ଏକ ଡିଗ୍ରୀ ଇଂଞ୍ଜିନିଆରିଂ କଲେଜ, ଡିପ୍ଲୋମା ସ୍କୁଲର ଆବଶ୍ୟକତା ସଂର୍ପକରେ ସେ ଆଲୋକପାତ କରିଥିଲେ । ଜଳେଶ୍ୱରରେ ସମସ୍ତ ପ୍ରକାରର ଉପଖଣ୍ଡୀୟ କାର୍ଯ୍ୟାଳୟ ଥିବା ବେଳେ ଏହାକୁ ସବ୍ଡିଭିଜନର ମାନ୍ୟତା ପ୍ରଦାନ, ରାଇବଣିଆ, ଲକ୍ଷ୍ମଣନାଥ, ମୁଣୁତୁଣିଆ ପ୍ରଭୃତି ଅଂଚଳକୁ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ସାଂଗକୁ ଗମନା ଗମନର ସୁବନ୍ଦୋବସ୍ତ, ଜଳେଶ୍ୱର ଷ୍ଟେସନରେ ପଶ୍ଚିମ ଓ ଦକ୍ଷିଣ ଭାରତକୁ ସଂଯୋଗ କରୁଥିବା ବିଭିନ୍ନ ଦ୍ରୁତଗାମୀ ଟ୍ରେନର ରହଣି, ସୁବର୍ଣ୍ଣରେଖା ନଦୀର ବନ୍ୟା ନିୟନ୍ତ୍ରଣ ପାଇଁ ବୃକ୍ଷ ରୋପଣ ସାଂଗକୁ ପଥର ବନ୍ଧ ନିର୍ମାଣ ଓ ରିଂ ରୋଡ ନିର୍ମାଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଉକ୍ତ ସାଂବାଦିକ ସମ୍ମିଳନୀରେ ସତ୍ୟଶୋଭନ ଗିରି, ସର୍ବେଶ୍ୱର ଗିରି, ସଂଜୟ କାମିଳା, ପଞ୍ଚାନନ ମହାଳିକ ଓ ଖଗେନ୍ଦ୍ର ଗିରି ପ୍ରମୁଖ ଯୁବନେତୃବୃନ୍ଦ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା