ଜଳେଶ୍ୱର (ସମୃଦ୍ଧ ଓଡିଶା) ଚଳିତବର୍ଷର ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଦଳ ପକ୍ଷରୁ ମହିଳା, ଯୁବକ ଓ ଚାଷୀମାନଙ୍କୁ ଗ୍ୟାରେଣ୍ଟି କାର୍ଡ ପ୍ରଦାନ କରିବାର ଘୋଷଣା କରାଯାଇଛି । ମହିଳାମାନଙ୍କୁ ଯେଉଁ ଗ୍ୟାରେଣ୍ଟି କାର୍ଡ ପ୍ରଦାନ କରାଯିବ ସେଥିରେ ଝିଅମାନଙ୍କୁ ସେମାନଙ୍କର ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ମାଗଣା ଶିକ୍ଷା, ବିବାହ ବେଳେ ଆର୍ଥୀକ ସହାୟତା, ସମସ୍ତ ଘରକୁ ପାଣି ଏବଂ ପ୍ରତି ପଞ୍ଚାୟତରେ ମହିଳାମାନଙ୍କ ସୁରକ୍ଷା ପାଇଁ ଅଧିକାରୀ ନିଯୁକ୍ତିର ଘୋଷଣା ରହିଛି । ଯୁବକମାନଙ୍କ ପାଇଁ ଉଦ୍ଦିଷ୍ଟ ଗ୍ୟାରେଣ୍ଟି କାର୍ଡରେ ପ୍ରତି ଗରିବ ପରିବାରର ଜଣକୁ ନିଯୁକ୍ତି, ସର୍ବନିମ୍ନ ଆୟର ଗ୍ୟାରେଣ୍ଟି, ଚୁକ୍ତିଭିତ୍ତିକ ନିଯୁକ୍ତିର ସ୍ଥାୟୀ କରିବାର ପ୍ରତିଶୃତି ରହିଛି । ସେହିପରି ଚାଷୀମାନଙ୍କ ପାଇଁ କୃଷି ଋଣ ଛାଡ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୬୦୦ଟଙ୍କା, ଡାଲି ଜାତୀୟ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଓ ବୋନସ୍ ପ୍ରଦାନ, କୃଷକମାନଙ୍କୁ ୫ବର୍ଷ ପର୍ଯ୍ୟନ୍ତ ଆର୍ଥୀକ ପ୍ରତ୍ସାହନ, ସୌର ଚାଳିତ ପମ୍ପସେଟ୍ ପ୍ରଦାନ ଇତ୍ୟାଦି ପ୍ରତିଶୃତିରେ ରହିଛି । ଏହି ଗ୍ୟାରେଣ୍ଟି ଗାର୍ଡ ପ୍ରଦାନର କାର୍ଯ୍ୟକ୍ରମକୁ ଜଳେଶ୍ୱର କଂଗ୍ରେସ ପକ୍ଷରୁ ଶୁଭାରମ୍ଭ କରାଯାଇଛି । ଏହା ସହିତ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ଭୋଟରମାନଙ୍କୁ କଂଗ୍ରେସ ସହିତ ଅନ୍ଲାଇନ୍ରେ ଯୋଡିବାପାଇଁ ପ୍ରଜେକ୍ଟ ଶକ୍ତି ମଧ୍ୟ କାର୍ଯ୍ୟକାରୀ କରିବାର ପ୍ରକ୍ରୀୟା ଆରମ୍ଭ ହୋଇଛି । ଏହି ୨ଟି କାର୍ଯ୍ୟକ୍ରମକୁ ଶୁଭରମ୍ଭ କରିବା ଅବସରରେ ଏକ କର୍ମଶାଳା କଂଗ୍ରେସ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା । କଂଗ୍ରେସର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ପୂର୍ବତନ ନଗରପାଳ ସୁନୀଲ କୁମାର ପରିଡା, ବର୍ତ୍ତନା ସରପଂଚ ପଦ୍ମଲୋଚନ ବେହେରା, ଯୁବନେତା ରାଜୀବ କୁମାର ପରିଡା, ଗୋପାଳକୃଷ୍ଣ ଜେନା, ଫରିଦ୍ ଅହମ୍ମଦ, ପୂର୍ଣ୍ଣ ଜେନା ଜଗଦ୍ଦିଶ ନନ୍ଦୀ, ବିରଞ୍ଚିଭୂୟାଁ, ଜଗନ୍ନାଥ ମହାପାତ୍ର, ତ୍ରିଲୋଚନ ଅଧିକାରୀ ପ୍ରମୁଖ ଯୋଗ ଦେଇ ମତାମତ ପ୍ରଦାନ କରିଥିଲେ । ଶେଷରେ ରାଜୀବ କୁମାର ପରିଡାଙ୍କ ନେତୃତ୍ୱରେ ଏକ ୮ଜଣିଆଟିମ୍ ଏହି ୨ଟି କାର୍ଯ୍ୟକ୍ରମକୁ ଜଳେଶ୍ୱରରେ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା