ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଏନସିସିର ଅନ୍ତଃଜାତୀୟ ଯୋଗ ଶିବିର ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ମଣିଷ ଜୀବନକୁ ସୁସ୍ଥ ଓ ନିରାମୟ ରଖିବା ପାଇଁ ଯୋଗ ଏକାନ୍ତ ଅପରିହାର୍ଯ୍ୟ । ବୈଦିକ ଯୋଗରୁ ଭାରତରେ ଯୋଗ ଦ୍ୱାରା ମୁନି, ଋଷି ମାନେ ସୁସ୍ଥ, ସବଳ ଓ ନିରାମୟ ଜୀବନ କରି ଆସିଛନ୍ତି । ଏବେ ସମାଜ ରାସାୟନୀକ ପ୍ରତିକ୍ରୀୟାରେ ଜର୍ଜରିତ ହେଉଥିବା, ପାରିପାଶ୍ୱିର୍କ ପରିବେଶ ପ୍ରଦୂଷଣ ହେଉଥିବାରୁ ଜନଜୀବନ ଦୁର୍ବିସହ ହୋଇ ଯାଉଛି । ତେଣୁ ସମଗ୍ର ବିଶ୍ୱକୁ ସୁସ୍ଥ, ଶୃଙ୍ଖଳିତ ଓ ପରିବେଶ ପ୍ରଦୂଷଣମୁକ୍ତ ରଖିବା ପାଇଁ ଆନ୍ତର୍ଜତୀୟ ଯୋଗ ଦିବସ ପାଳିତ ହୋଇ ଆସୁଛି ବୋଲି ଆଜି ଆୟୋଜିତ କେତେକ କଲେଜ ଓ ହାଇସ୍କୁଲକୁ ନେଇ ଅନୁଷ୍ଠିତ ଶିବିରରେ ମତ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ଯୋଗ ଶିବିରରେ ଅନୁଷ୍ଠାନର ଭାରପ୍ର୍ରାପ୍ତ ପ୍ରଧାନ ଶିକ୍ଷକ ଶଶିକାନ୍ତ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଭାରତ ସ୍କାଉଟ ଗାଇଡ୍ର ଜିଲା ପ୍ରଶିକ୍ଷକ ସୁଦର୍ଶନ ପ୍ରଧାନ ଯୋଗ ଦେଇ ଯୋଗ କିପରି ମଣିଷ ସମାଜକୁ ସୁସ୍ଥ ରଖୁଛି ଏବଂ ସମାଜକୁ ବିଭିନ୍ନ ରାସାୟନୀକ ପ୍ରତିକ୍ରିୟାରୁ ରକ୍ଷା କରୁଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଦୀନକୃଷ୍ଣ ମହାବିଦ୍ୟାଳୟର ଏନସିସି କୟ କମେଣ୍ଡର ମେଜର ଡ. ଉଜ୍ଜଳ କୁମାର ପଣ୍ଡା ଯୋଗ ଦେଇ ଦୈନନ୍ଦିନ ଜୀବନଚର୍ଯ୍ୟାରେ ଯୋଗର ଆବଶ୍ୟକତା ଓ ସମାଜର ଶୁଦ୍ଧତା ଆଣିବା ପାଇଁ ଯୋଗ ଶିବିର ଅନୁଷ୍ଠିତ କରାଇବା ଏକାନ୍ତ ଆବଶ୍ୟକ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୋଗ ପ୍ରଶିକ୍ଷିକା ଅଧ୍ୟାପିକା ଇନ୍ଦୁମତୀ ଗିରି, ଅଧ୍ୟାପକ ଅନନ୍ତ କୁମାର ଦାସ, ସିଦେ୍ଧଶ୍ୱର ଦାସ, ରଣଜିତ୍ ସାହୁ, ଶ୍ରୀକାନ୍ତ ଦାସ ବକ୍ତବ୍ୟ ରଖିଥିଲେ । ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟର ଏନସିସିର ସିଟିଓ ହରେକୃଷ୍ଣ ଜେନା ଅତିଥିଙ୍କ ପରିଚୟ ପ୍ରଦାନ ଓ କାର୍ଯ୍ୟ ପରିଚାଳନା କରିଥଲେ । ଏଥିରେ ଭୋଗରାଇ ଆଇଆରଚ୍ଏସ୍ ମହାବିଦ୍ୟାଳୟ, ଅମର୍ଦ୍ଦସ୍ଥିତ ସିଦ୍ଧେଶ୍ୱର ମହାବିଦ୍ୟାଳୟ ଏନ୍ସିସି କେଡାର, ଜଳେଶ୍ୱର ହାଇସ୍କୁଲର ଏନ୍ସିସି କେଡରମାନେ ଯୋଗ ଦେଇଥିବା ବେଳେ ଅଧ୍ୟାପକ ତପନ କୁମାର ପଣ୍ଡା, ପ୍ରଦୀପ କୁମାର ଦାସ ମଧ୍ୟ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ୭ ଓଡିଶା ଏନ୍ସିସି, ଭଦ୍ରକଙ୍କ ନିର୍ଦ୍ଦେଶରେ ଜଳେଶ୍ୱର ହାଇସ୍କୁଲରେ ୪ଟି କଲେଜ ଓ ୪ଟି ହାଇସ୍କୁଲର ଏନ୍ସିସି କେଡର ମାନଙ୍କୁ ନେଇ ଅନୁଷ୍ଠିତ କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ପୂର୍ଣ୍ଣଚନ୍ଦ୍ର ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା