
ଜଳେଶ୍ୱର (ସମୃଦ୍ଧ ଓଡିଶା) ଭୂମିହୀନକୁ ଘରଡିହ, ବାସହୀନକୁ ବାସଗୃହ ଦାବୀ ନେଇ ଜଳେଶ୍ୱର ବିକାଶ ମଞ୍ଚ ଓ ଆଗାମୀ ଓଡିଶା ତରଫରୁ ଜଳେଶ୍ୱର ତହସିଲ ଅଫିସ ସମ୍ମୁଖରେ ଅହରାତ୍ର ସତ୍ୟାଗୃହ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରି ତହସିଲ ସମ୍ମୁଖକୁ ଆସିଥିଲା । ଆଗାମୀ ଓଡିଶାର ସଭାପତି ସୁଦର୍ଶନ ଦାସଙ୍କ ନେତୃତ୍ୱରେ ପୂର୍ବତନ ଏନ୍.ଏ.ସି ଅଧ୍ୟକ୍ଷ ସୁନୀଲ ପରିଡା, ପୂର୍ବତନ କାଉନ୍ସିଲର ଜଗଦୀଶ ନନ୍ଦୀ, ବିରଞ୍ଚି ନାରାୟଣ ଭୂୟାଁ, ଦୁର୍ଜ୍ଜୟ ପାଣିଗ୍ରାହୀ, ଅରୁଣ ବେହେରା, ବଳରାମ ଜେନା, ପରେଶ ରାୟ, ମନୋଜ ପରିଡା ପ୍ରମୁଖଙ୍କ ସହ ବହୁ ବାସହୀନ ଓ ଗୃହହୀନ ଲୋକମାନେ ଏହି ସତ୍ୟାଗ୍ରହରେ ଯୋଗ ଦେଇଥିଲେ । ତହସିଲ ଅଫିସ ସମ୍ମୁଖ ଫାଟକକୁ ବନ୍ଦ କରିଏହି ସତ୍ୟାଗ୍ରହକାରୀମାନେ ଧାରଣାରେ ବସିବା ସହିତ ଦାବୀ ପୁରଣ ନ ହେବା ଯାଏ ଏହି ସତ୍ୟାଗ୍ରହ ଚାଲିବ ବୋଲି କହିଥିଲେ । ଦୀର୍ଘ ଦିନରୁ ଗରିବ ବାସହୀନ ଲୋକମାନେ ଘରଡିହ ପାଇବା ପାଇଁ ସରକାରଙ୍କ ନିକଟରେ ଆବେଦନ କରି ଆସୁଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସମସ୍ତେ ଘରଡିହ ପଟ୍ଟା ଓ ବାସହୀନ ମାନେ ବାସଗୃହ ପାଇ ପାରି ନାହାନ୍ତି ବୋଲି ସତ୍ୟାଗ୍ରହକାରୀମାନେ ଦାବି କରିଛନ୍ତି । ତେବେ ଜଳେଶ୍ୱର ତହସିଲଦାରଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଜଳେଶ୍ୱର ତହସିଲ ଦ୍ୱାରା ୪୨୩ ଜଣଙ୍କୁ ବାସଗୃହ ପଟ୍ଟା ଯୋଗାଇ ଦିଆଯାଇଥିବା ବେଳେ ୨୮୪ଜଣଙ୍କୁ ପଟ୍ଟା ଦେବା ପାଇଁ ସମସ୍ତ ପ୍ରସ୍ତୁତି ହୋଇସାରିଛି । ତେବେ ସନ୍ଧ୍ୟା ସୁଦ୍ଧା ସତ୍ୟାଗ୍ରହକାରୀମାନେ ତହସିଲ ଅଫିସ ସମ୍ମୁଖରେ ବସି ରହିଥିବା ବେଳେ ପ୍ରଶାସନ ସହିତ କୈାଣସୀ ସଫଳ କଥାବାର୍ତ୍ତା ହୋଇପାରି ନ ଥିବାର ଜଣାପଡିଛି ।
ରିପୋର୍ଟ : ଭୂପତି କୁମାର ପରିଡା