ଜଳେଶ୍ୱର ବିଧାନସଭା ଆସନରୁ ବିଜେଡିର ନୂଆମୁହଁ:ରାଜୀବ ଗିରିଙ୍କୁ ନେଇ ଚର୍ଚ୍ଚା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ ବିଜ୍ଞପ୍ତି ପାଇଁ ସଜବାଜ ଚାଲିଛି । ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ନିମନ୍ତେ ଓଡିଶାରେ ରାଜନୈତିକ ଉଷ୍ମତା ଜାରି ରହିଛି । କାହାକୁ ଦଳୀୟ ଟିକଟ ମିଳିବ, କାହାକୁ ନାହିଁ, କିଭଳି ଭାବେ ଯୋଗ୍ୟ ପ୍ରାର୍ଥୀଙ୍କୁ ପ୍ରଦାନ କରାଯିବ ଏ ନେଇ ସବୁ ରାଜନୈତିକ ଦଳରେ ଅଙ୍କକଷା ଚାଲିଛି । ରାଜ୍ୟରେ ୨୧ଲୋକସଭା ଓ ୧୪୭ ବିଧାନସଭା ନିର୍ବାଚନ ମଇଦାନରେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି । ଏପରି ଭାବେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଆଶାୟୀ ପ୍ରାର୍ଥୀଙ୍କ ଲମ୍ବାଲାଇନ୍ ଲାଗିଥିବା ଜଣାପଡ଼ିଛି । ସେଥିମଧ୍ୟରୁ ପ୍ରମୁଖ ଦାବୀଦାର ଭାବେ ଜଳେଶ୍ୱରର ବର୍ତ୍ତମାନର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ଯୁବ ନେତା ତଥା ଜୀବନବିନ୍ଦୁର ପୂର୍ବତନ ରାଜ୍ୟ ସଂଯୋଜକ ଓ ରାଜ୍ୟ ପରିଷଦ ସଭ୍ୟ କନିଷ୍କ ବୋଧିସତ୍ତ୍ୱ ଦାସ, ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ସରକାରୀ ଓକିଲ ପତିତ ପାବନ ପ୍ରଧାନ, ପୂର୍ବତନ ନଗରପାଳ ପ୍ରବିର କୁମାର ପ୍ରଧାନ, ଜଳେଶ୍ୱର ନଗର ବିଜେଡିର ପୂର୍ବତନ ସଭାପତି ନିତ୍ୟଗୋପାଳ ଦାସ ଓ ଯୁବନେତା ତଥା କୃଷି ବୈଜ୍ଞାନିକ ରାଜୀବ ଗିରି ରହିଛନ୍ତି । ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ଗଡସାହି ବାଲିଆପାଳ ବାସିନ୍ଦା ରାଜୀବ ଗିରିଙ୍କର ଜଣେ ଛାତ୍ରନେତା ଓ ଉତ୍ତମ ସଂଗଠକ ଭାବେ ଜିଲ୍ଲାରେ ସେ ବେଶ୍ ସୁପରିଚିତ । ସେ ଜଣେ ସୁ-ଶିକ୍ଷିତ ଓ ମେଧବୀ ଛାତ୍ର ଅଟନ୍ତି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ପୂର୍ବତନ ଛାତ୍ର ସଭାପତି ଥିଲେ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତପରେ ପୁନେରୁ ଏମ.ବି.ଏ ଡିଗ୍ରୀ ହାସଲ କରି ବର୍ତ୍ତମାନ ଏକ ବହୁରାଷ୍ଟ୍ରୀୟ କୃଷି କମ୍ପାନୀରେ ଆଞ୍ଚଳିକ ପ୍ରବନ୍ଧକ ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଏହା ବାଦ୍ ସେ ଓଡ଼ିଶା ଓ ଓଡ଼ିଶା ବାହାରେ କୃଷି ସମ୍ବନ୍ଧୀୟ ବିଭିନ୍ନ ସଂସ୍ଥା ସହ ଜଡ଼ିତ ଅଛନ୍ତି । ସମାଜସେବା କ୍ଷେତ୍ରରେ ତାଙ୍କର ଦକ୍ଷତା ବେଶ୍ ଉଚ୍ଚ ପ୍ରଶଂସନୀୟ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଯୁବ ନେତୃତ୍ୱକୁ ପ୍ରାଧାନ୍ୟ ଦେବାପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ରାଜୀବ ଗିରିଙ୍କ ପରି ଜଣେ ଛାତ୍ର ନେତା ଓ ଦକ୍ଷ ସଂଗଠକଙ୍କୁ ୨୦୧୯ ସାଧାରଣ ନିର୍ବାଚନରେ ଜଳେଶ୍ୱର ବିଧାନ ସଭା କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ ରୂପେ ଟିକଟ ଦେବା ଉଚିତ୍ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି । ଅନ୍ୟାନ୍ୟ ଆଶାୟୀଙ୍କ ମଧ୍ୟରେ ରାଜୀବ ଗିରି ବି.ଜେ.ଡ଼ି ରୁ ପ୍ରାର୍ଥୀ ପାଇଁ ପ୍ରୟାସ ଜାରି ରଖିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।

ରିପୋର୍ଟ : ଭୂପତି କୁମାର ପରିଡା