ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ରାଜ୍ୟ ଆଶା କର୍ମୀ ସଂଘ ନିର୍ଦ୍ଦେଶରେ ଏବଂ ବାଲେଶ୍ୱର ଜିଲା କମିଟିର ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ବିଧାନସଭା ମଣ୍ଡଳୀରେ କାର୍ଯ୍ୟ କରୁଥିବା ଆଶା କର୍ମୀ ଓ ଆଶା ସାଥିମାନେ ସ୍ଥାନୀୟ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରିବାର ନିଷ୍ପତ୍ତି ନିଆଯାଇଛି । ଏହି ଅନୁଯାୟୀ ଆଜି ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କୁ ଆଶା କର୍ମୀ ସଂଘ ପକ୍ଷରୁ ଗୋବରଘଟ୍ଟା ଗ୍ରାମସ୍ଥିତ ସୂର୍ଯ୍ୟାନନ୍ଦ ପାଳଙ୍କ ବାସଭାବନରେ ସମ୍ବର୍ଦ୍ଧିତ କରାଯାଇଛି । ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବାଲେଶ୍ୱର ଜିଲା ସଭାପତି କଳ୍ପନା ଦାସ, ବ୍ଲକ ସଭାପତି ଚାରୁବାଳା ମହାପାତ୍ର, ସଂପାଦିକା ବନିତା ଦାସ, ଛବିରାଣୀ ମିଶ୍ର, ଅନୁଭା ସାମଲ, ଜାନକି ରାଉଳ, ଶୁଭଶ୍ରୀ ଦେ, ସରୋଜିନୀ ପରିଡା, କବିତା ପାଳ, ମାଳତୀ ବେହେରା, ସଂଗୀତା ପାଳ, ଝରଣା ଦାସ, ନମିତା ଦାସ, ସକୁନ୍ତଳା ଗୋଚ୍ଛାୟତ ଓ ରାଜ୍ୟ ଉପସଭାପତି କୁମାମଣୀ ଦେଇ ପ୍ରମୁଖ ସମ୍ବର୍ଦ୍ଧନା କରିବା ସହିତ ଆନ୍ଧ୍ରପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡି ଆଶାକର୍ମୀ ମାନଙ୍କର ପାରିଶ୍ରମିକ ୩ହଜାରୁ୧୦ହଜାର କରିଥିବାରୁ ଓଡିଶାରେ ତାହା ଲାଗୁ କରିବାକୁ ବିଧାୟକଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ବିଧାୟକ ଶ୍ରୀ ପାତ୍ର ଆଶାକର୍ମୀମାନେ ସେବାକ୍ଷେତ୍ରରେ ଏକ ଇତିହାସ ରଚନା କରିବାକୁ ଆହ୍ୱାନ ଦେଇ ମଦର ଟେରେସା ଓ ଅନ୍ୟ କେତେକ ମହିୟସୀ ମହିଳା ମାନଙ୍କ ଉଦାହରଣ ଦେଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା