ଜଳେଶ୍ୱର ବ୍ଲକର ଓଡିଶା ଆଦର୍ଶ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପ୍ରତିବ୍ଲକରେ ଛାତ୍ରଛାତ୍ରୀଙ୍କୁ ଇଂରାଜୀ ଭାଷା ମଧ୍ୟମରେ ଉନ୍ନତ ଶିକ୍ଷା ବ୍ୟବସ୍ଥା ଲାଗି ଆଦର୍ଶ ବିଦ୍ୟାଳୟ ଖୋଲା ଯିବାକୁ ପ୍ରତି ବ୍ଲକରେ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ଅନୁଯାୟୀ ଜଳେଶ୍ୱର ଗୋଷ୍ଠି ଶିକ୍ଷା ଅଧିନରେ ରାଇବଣିଆ ଥାନା ଅନ୍ତର୍ଗତ କାଳିକ ଠାରେ ଆଜି ଗୁରୁବାର ପୂର୍ବାହ୍ନରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ଫଳରେ ବିଛିନ୍ନାଞ୍ଚଳ ତଥା ଆଦିବାସୀ ଅଧ୍ୟୁସୀତ ରାଇବଣିଆରେ ମୂଲ୍ୟଭିତ୍ତିକ ଶିକ୍ଷା ପାଇବାର ଆଶା ଫଳବ୍ରତୀ ହେବାକୁ ଯାଉଛି । କାଳିକ ପଞ୍ଚାୟତର ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକର ଚାକୁଆପାଳ ଠାରେ ଏହି ପ୍ରକଳ୍ପକୁ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିରେ ଶ୍ରୀ ପାତ୍ର ଉଦ୍‌ବୋଧନ ଦେଇ ଏପରି ଏକ ଶିକ୍ଷାନୁଷ୍ଠାନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଦାନ ଓ ଏ ଅଂଚଳର ଛାତ୍ରଛାତ୍ରୀମାନେ ୬ଷ୍ଠ ଶ୍ରେଣୀରୁ +୨ ଯାଏ ବିନା ଖର୍ଚ୍ଚରେ ଆବାସୀକ ଭାବେ ରହି ଶିକ୍ଷା ଲାଭ କରିପାରିବେ । ଏଥିଲାଗି ସରକାର ୪ ଏକର୮୦ଡିସିମିଲ ସ୍ଥାନ ଯୋଗାଇଥିବା ବେଳେ ଆସନ୍ତା ଦିନରେ ଅନ୍ୟ ୨ ଏକର ସ୍ଥାନ ଯୋଗାଇ ଦେବାର ପ୍ରତିଶୃତି ଦିଆଯାଇଛି । ଏଥିରେ ବିଦ୍ୟାଳୟ, ହଷ୍ଟେଲ, ଖେଳ ପଡିଆ, ଲାଇବ୍ରେରୀ, ଓଡିଟରୀୟମ, ସୁଇମିଂପୁଲ ଓ ଅତ୍ୟାଧୁନିକ କମ୍ପ୍ୟୁଟର ମାଧ୍ୟମରେ ବିଭିନ୍ନ ଶିକ୍ଷା ଦିଆଯିବାର ବ୍ୟବସ୍ଥା ସଂପର୍କରେ କହିଥିଲେ । ଏହି କାର୍ଯ୍ୟ ଆର୍‌ଡି ବିଭାଗ ଜାରିଆରେ ହେଉଥିବାରୁ ନିର୍ବାହୀଯନ୍ତ୍ରୀ ଇଂ ତ୍ରିଲୋଚନ ସାହୁ ଏହି କାର୍ଯ୍ୟ ଲାଗି ମୋଟ ୩କୋଟି ୯୬ଲକ୍ଷ ୬୫ହଜାର ବ୍ୟୟ ବରାଦରେ ଗୃହ ନିର୍ମାଣ, ୩୧ଲକ୍ଷ ୩୦ହଜାର ଟଙ୍କାରେ ବିଦ୍ୟୁତିକରଣ, ୩୮ଲକ୍ଷ ୩୦ହଜାର ଟଙ୍କାରେ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା ହେବା ସଂପର୍କରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟ ୨୯-୬-୧୯ରେ ଆରମ୍ଭ କରିବାର ଥିଲା ଓ ୨୮-୯-୨୦ରେ ଶେଷ ହେବାକୁ ଥିଲେ ମଧ୍ୟ ପୂର୍ବରୁ ମଞ୍ଜୁରୀ ଅନୁଯାୟୀ ୪୦ଜଣ ଛାତ୍ରଛାତ୍ରୀଙ୍କ ଶିକ୍ଷା ଲାଭର ବ୍ୟବସ୍ଥା ଥିବା ବେଳେ ଏବେ ୬୦ଜଣଙ୍କ ଲାଗି ଆରମ୍ଭ ହୋଇଥିବାରୁ କାର୍ଯ୍ୟରେ ବିଳମ୍ବ ହୋଇଥିବା ନିର୍ବହୀଯନ୍ତ୍ରୀ କହିଛନ୍ତି । ସେଠାରେ ଆୟୋଜିତ ସଭାରେ ପୂର୍ବତନ ସରପଂଚ ସମାଜସେବୀ ଗଂଗାଧର ଦାସ, ବ୍ଲକ ଅଧ୍ୟକ୍ଷା ସବିତା ଦଳେଇ, ସରପଂଚ ବିଜୟ କୁମାର ବେହେରା, ଜିଲାପରିଷଦ ସଦସ୍ୟ ରଂଗଲତା ଆଚାର୍ଯ୍ୟ ଓ ଅବସରପ୍ରାପ୍ତ ପ୍ରଶାସନୀକ ଅଧିକାରୀ ଅନନ୍ତ କୁମାର ବିଶ୍ୱାଳ ମଂଚରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଆରଡି କନିଷ୍ଠ ଯନ୍ତ୍ରୀ ଇଂ ବିଜୟ କୁମାର ଦାସ, ବ୍ରିଜେଶ ରଣା, ମାନସ ଜେନା, ଭୁପତି ମିର୍ଦ୍ଧା, ଇଂ ଗୌରୀଚରଣ ଗିରି, ଓଲମରା ସରପଞ୍ଚ ଯତିନ୍ତ୍ର ମହାନ୍ତି, ସର୍ଦ୍ଦାରବନ୍ଧ ସରପଂଚ ଦିଲ୍ଲୀପ ସାମଲ, ସୁରେଶ ମହନ୍ତଙ୍କ ସହିତ ବହୁ ନେତୃସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏପରି ବିଦ୍ୟାଳୟ ଖୋଲା ଯାଇଥିବାରୁ ସେ ଅଂଚଳର ଆନନ୍ଦ ପ୍ରକାଶ ପାଇଛି । ପ୍ରକାଶଯୋଗ୍ୟ ପୂର୍ବତନ ସାଂସଦ ଇଂ ରବିନ୍ଦ୍ର ଜେନା ଏହି ଗ୍ରାମ ପଞ୍ଚାୟତକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରିଥିବାରୁ ସେଠାରେ ଶିକ୍ଷାର ବିକାଶ ଲାଗି ଉନ୍ନତମାନର ବିଦ୍ୟାଳୟ ଖୋଲିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା