ଜଳେଶ୍ୱର ବ୍ଲକ୍‌ରେ ଛତୁଆ ବଣ୍ଟନ ଅନିଶ୍ଚିତତା !…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସରକାର ମହିଳା ଓ ଶିଶୁ ବିକାଶ ବିଭାଗ ମାଧ୍ୟମରେ ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ଲାଗି ପୃଷ୍ଟିକର ସୁଷମ ଛତୁଆ ପ୍ରତିମାସ ଯୋଗାଇଥାନ୍ତି । ଏହି ଛତୁଆକୁ ମହିଳା ମହାସଂଘମାନେ ପ୍ରସ୍ତୁତ କରିଥାନ୍ତି । ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକର ୩୫ଟି ପଞ୍ଚାୟତ ମଧ୍ୟରୁ ୧୦ଟି ପଞ୍ଚାୟତ ଓ ମ୍ୟୁନିସିପାଲଟିରେ ଥିବା ଅଙ୍ଗନୱାଡି କେନ୍ଦ୍ରକୁ ସୁବର୍ଣ୍ଣା ମହିଳା ମହାସଂଘ ଛତୁଆ ଯୋଗାଇ ଆସୁଥିଲେ । ମହାସଂଘର ସଂପାଦିକା ବନିତା ଗିରି ଆଇ.ସି.ଡି.ଏସ୍ ସୁପର ଭାଇଜର ଭାବେ କାର୍ଯ୍ୟ କରୁଥିବାରୁ ସେ ସଂଘରେ ରହିପାରିବେ ନାହିଁ ବୋଲି ମିଶନଶକ୍ତିର ନୂତନ ନୟମ ଅନୁଯାୟୀ ଏକ ଅଚଳାବସ୍ଥା ସୃଷ୍ଟି ହୋଇଛି । ମହାସଂଘ ଗତ ୨ ମାସ ଧରି ଟଙ୍କା ନ ପାଇବାରୁ ଚଳିତ ମାସ ଛତୁଆ ପ୍ରସ୍ତୁତ କରି ହିତାଧିକାରୀଙ୍କୁ ଯୋଗାଇବା ଅସମ୍ଭବ ହୋଇ ପଡିଛି ବୋଲି ସଂଘର ସଭାପତି ନିୟତୀ ରାଜ ସୂଚନା ଦେଇଛନ୍ତି । ମହାସଂଘ ଏ ସଂପର୍କରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଅଦ୍ୟାବଧି ଏହାର ସମାଧାନ ହୋଇ ପାରିନାହିଁ । ଡିଏସ୍‌ଡବ୍ଲଓ ବାଲେଶ୍ୱର ଚିଠି ନଂ ୨୮୧୫ ମୂଳେ ଜଳେଶ୍ୱର ସିଡିପିଓ ନିହାରିକା ମହାନ୍ତିଙ୍କୁ ଏହାର ସମାଧାନ ଲାଗି ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହାର ସମାଧାନ ହୋଇନପାରିବାରୁ ଡିସେମ୍ବର ମାସର ଛତୁଆ ଏ ଯାବତ୍ ହିତାଧିକାରୀମାନେ ପାଇ ନାହାନ୍ତି । ଗତ ୨୯ ତାରିଖରେ ମହାସଂଘ ପକ୍ଷରୁ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିବା ବେଳେ ବିଡିଓ ଦିପ୍ତିରଂଜନ ସେଠୀ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ସମାଧାନ ହେବାର ପ୍ରତିଶ୍ରୁତି ଏବେ ପାଣିର ଗାର ପାଲଟିଛି । ସୂଚନାଯୋଗ୍ୟ ମାସର ପ୍ରଥମ ସପ୍ତାହରେ ଛତୁଆ ବଣ୍ଟନର ନିୟମ ଥିଲେ ମଧ୍ୟ ଅଦ୍ୟାବଧି ପ୍ରସ୍ତୁତ ହୋଇନଥିବାରୁ ହିତାଧିକାରୀମାନେ ଛତୁଆ ପାଇବା ଏକପ୍ରକାର ଅତିଶ୍ଚିତତା ମଧ୍ୟରେ ରହିଛି । ତେବେ ଏପରି ଛକାପଞ୍ଝା ସଂପର୍କରେ ବହୁକଥା ଶୁଣିବାକୁ ମିଳୁଛି । ଖୁବ୍‌ଶୀଘ୍ର ଏହାର ସମାଧାନ କରିବାକୁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି । ଏ ସମ୍ପର୍କରେ ସିଡିପିଓ ଶ୍ରୀମତୀ ମହାନ୍ତିଙ୍କୁ ପଚାରିବାରୁ ଚଳିତ ଡିସେମ୍ବର ମାସଲାଗି ଭୋଗରାଇ ବ୍ଲକର ଥିବା ‘ମା’ ଏବଂ ‘କାଳିମାତା’ ଛତୁଆ ପ୍ରସ୍ତୁତକାରୀ ସ୍ୱୟଂ ସହାୟିକା ଗୋଷ୍ଠି ଆସନ୍ତା ଶୁକ୍ରବାର ସୁଦ୍ଧା ଯୋଗାଇବେ ବୋଲି କହିଛନ୍ତି ।

ରିପୋର୍ଟ : ଭୂପତି ପରିଡା