ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରରେ ୫୬ବର୍ଷ ଧରି ପୌର ପରିଷଦ କାର୍ଯ୍ୟ କରି ଆସୁଥିବା ବେଳେ ଏବେ କର୍ମଚାରୀର ଘୋର ଅଭାବ ଯୋଗୁଁ ବିକାଶ କାର୍ଯ୍ୟ ଆଗେଇ ପାରୁନଥିବା କୁହାଯାଉଛି । ଏହା ୧୯୬୪ ମସିହାରେ ବିଜ୍ଞାପିତ ଅଂଚଳ ଭାବେ କାର୍ଯ୍ୟ କରୁଥିବା ବେଳେ ଏବେ ମ୍ୟୁନିସିପାଲଟିର ମାନ୍ୟତା ୨୦୧୩ ମସିହାରେ ପାଇଛି । ତେଣୁ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ହେବାକୁ ଥିବା ବେଳେ ଏଥିଲାଗି ଆବଶ୍ୟକ ହେଉଥିବା ୫୨ଜଣ କର୍ମଚାରୀଙ୍କ ମଧ୍ୟରୁ ୨୯ ପଦବୀ ଖାଲିଥିବା ଏକ ସୂଚନାରୁ ଜଣାଯାଇଛି । ଏଠାରେ କନିଷ୍ଠ କିରାଣୀ, ଓଡିସି ୧୬ ପଦବୀରୁ ୯ ଓ ଓଟିଜି ୧୫ ପଦବୀରୁ ୯ ଖାଲି ରହିଛି । ଏହା ବ୍ୟତିତ ୱର୍କ ସରକାର, ଟ୍ରେଜେରୀ ସରକାର, ପାଇପ୍ ମିସ୍ତ୍ରୀ, ୱଚ୍ମ୍ୟାନ୍ ପଦବୀ ଖାଲି ପଡିଛି । ଲାଇଟାର ୨ଜଣରୁ ଜଣେ ଓ ସୁଇପର ୭ଜଣୁ ୫ଜଣ ନଥିବା କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି । ଏପରି ସ୍ଥାୟୀ ପଦବୀ ଗୁଡିକ ଖାଲି ପଡିଥିବାରୁ ଠିକାଭାବେ କେତେକ କର୍ମଚାରୀଙ୍କୁ ରଖାଯାଇଛି । ଏମାନଙ୍କ ମଧ୍ୟରେ ହିସାବରକ୍ଷକ, ଏମ୍ାଆଇଏସ୍, ସିଓ, କନିଷ୍ଠ କିରାଣୀ, ଜନ୍ମମୃତ୍ୟୁ ହିସାବ ରକ୍ଷକ, ପେନ୍ସନ୍ ସେକ୍ସନ, ଡିଇଓ, ରାତ୍ରି ଜଗୁଆଳି, ଡ୍ରାଇଭର ଇତ୍ୟାଦି ପଦବୀରେ ୧୧ଜଣ ରହିଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରୁ ବହୁ ବ୍ୟକ୍ତି ୭ବର୍ଷରୁ ଅଧିକ କାଳ କାର୍ଯ୍ୟ କରୁଥିଲେ ମଧ୍ୟ ସରକାରଙ୍କ ନିତୀ ନିୟମ ଅନୁଯାୟୀ ସେମାନଙ୍କୁ ସ୍ଥାୟୀ କରାଯାଇନାହିଁ । ଫଳରେ ଅସନ୍ତୋଷ ବଢିଛି ।
ରିପୋର୍ଟ : ଭୂପତି କୁମାର ପରିଡା