ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲ୍ଟିର କାର୍ଯ୍ୟନିର୍ବାହୀ ଅଧିକାରୀଭାବେ ହୃଷିକେଶ ପାଣି ଯୋଗ ଦେବାପରଠାରୁ ପ୍ରଶାସନିକ ନିଷ୍କ୍ରିୟତା ପରିଲକ୍ଷିତ ହୋଇ ଆସୁଥିଲା । ଏଥିରେ ବହୁ ଆପତ୍ତି ଅଭିଯୋଗ ଉଚ୍ଚ କର୍ତ୍ତୃପକ୍ଷଙ୍କଠାରେ ହୋଇଆସୁଥିଲା । ଏ ସବୁକୁ ଲକ୍ଷ କରି ଜିଲା ପ୍ରଶାସନ ତାଙ୍କ ଅଗଷ୍ଟ ମାସର ଦରମା ବନ୍ଦ କରିଥିଲେ । ଜଳେଶ୍ୱରରେ ଦୀର୍ଘଦିନ ଅନୁପସ୍ଥିତ, ସରକାରୀ ଓ ବ୍ୟକ୍ତିଗତ ଫୋନ ସୁଇଚ୍ଅପ୍ ରହୁଥିବାରୁ ଜନସାଧାରଣ, ନେତୃସ୍ଥାନୀୟ ବ୍ୟକ୍ତି କିମ୍ବା ଉପରିସ୍ଥ କର୍ମକର୍ତ୍ତା ତାଙ୍କୁ ଫୋନ ଯୋଗେ ସଂଯୋଗ କରିପାରୁନଥିଲେ । ଗତ ୨୫ ତାରିଖରେ ଜିଲାପାଳ ଜଳେଶ୍ୱର ମ୍ୟୁନିସିପାଲ୍ଟିର ଜଳନିଷ୍କାସନ ନେଇ ବହୁ ଆପତ୍ତି ଅଭିଯୋଗ ପାଇ ଏପରିକି ବିଧାୟକଙ୍କ ଅନୁରୋଧ କ୍ରମେ ହଠାତ୍ ପରିଦର୍ଶନରେ ଆସିଥିଲେ । ଜଳେଶ୍ୱର ମ୍ୟୁନିସିପାଲ୍ଟିର ୱାର୍ଡ ନଂ-୩, ୬, ୮, ୯, ୧୦, ୧୧ରୁ ଜଳନିଷ୍କାସନ ହୋଇପାରୁନଥିବା ସଂପର୍କରେ ବୁଲି ଦେଖିଥିଲେ । କାର୍ଯ୍ୟାନୁଷ୍ଠାନ ପାଇଁ ମ୍ୟୁନିସିପାଲ୍ଟି ଅଧିକାରୀଙ୍କୁ ନ ପାଇ ସେ କ୍ଷୁବ୍ଧ ହୋଇଥିଲେ । ତାଙ୍କର ଲଗାତର ଅନୁପସ୍ଥିତି କାର୍ଯ୍ୟରତ କର୍ମଚାରୀ ମାନଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଉଥିଲା । ତେଣୁ ଜିଲାପାଳ ସେ ପୂର୍ବରୁ କାର୍ଯ୍ୟରତ ଥିବା ନଗର ଉନ୍ନୟନ ବିଭାଗର ସଚିବଙ୍କ ଓ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରି ହୃଷିକେଷ ପାଣିଙ୍କୁ ପୁଣି ପୂର୍ବ ଅବସ୍ଥାପିତ ବିଭାଗକୁ ବଦଳି କରିଥିଲେ । ଜିଲାପାଳ ତଥା ଜିଲା ନଗର ଉନ୍ନୟନ ବିକାଶ ଏଜେନ୍ସିର ଅଧ୍ୟକ୍ଷ କେ ସୁଦର୍ଶନ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ନଂ ୧୨୦୦ ତା ୨୬-୯-୨୦୧୯ରେ ତାଙ୍କୁ ବଦଳି କରିବା ସହ ଜଳେଶ୍ୱରର ଅତିରିକ୍ତ ତହସିଲଦାର କ୍ଷିରୋଦ କୁମାର ପଣ୍ଡାଙ୍କୁ କାର୍ଯ୍ୟନିର୍ବାହୀ ଅଧିକାରୀଭାବେ ଅବସ୍ଥାପିତ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା