ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘ ୫ ଦଶନ୍ଧି ଧରି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର-ଦୀଘା ରାଜ୍ୟ ରାଜପଥ ନୂଆବଜାର ଲେବୁଲ କ୍ରସିଂ ଫ୍ଲାୟ ଓଭରବ୍ରିଜ୍ ନିର୍ମାଣ ଲାଗି ଦାବି ହୋଇ ଆସୁଥିବା ବେଳେ ୨୦୧୦ ମସିହାର ରେଳବାଇ ପକ୍ଷରୁ ସବୁଜ ସଂକେତ ମିଳିଥିଲା । ପିପିପି ମୋର୍ଡରେ ମୋଟ ୬୦କୋଟି ଟଙ୍କା ବ୍ୟୟରେ ଓଭରବ୍ରିଜ୍ ନିର୍ମାଣ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ଏହି ଓଭରବ୍ରିଜ୍ ନିର୍ମାଣ ଲାଗି ବିଶେଷ ସରକାରୀ ଜାଗା ଆବଶ୍ୟକ ପଡୁ ନ ଥିଲେ ମଧ୍ୟ ମାତ୍ର ପ୍ରାୟ ୨ଏକର ଜମି ସରକାର ଅଧିଗ୍ରହଣ ଲାଗି ବିଜ୍ଞାପନ ପ୍ରକାଶ କରିଥିଲେ । ଏହାର ମୋଟ ୨୮ଟି ପିଲର ମଧ୍ୟରୁ ୪ଟି ପିଲର ରେଲବାଇ ନିର୍ମାଣ କରିବାର ଯୋଜନା ରହିଛି । ଏହି ୪ଟି ପିଲର ମଧ୍ୟରୁ ୩ଟି ରେଳବାଇ ସ୍ଥାନରେ ହେଉଥିବା ବେଳେ ୧୪ନଂ ପିଲର ଲାଗି ଜମି ଅଧିଗ୍ରହଣ ଆବଶ୍ୟକ । କିନ୍ତୁ ପ୍ରଶାସନର ଟାଳଟୁଳ ନିତୀ ଯୋଗୁ ତାହା ଅଦ୍ୟାବଧି ହୋଇ ପାରି ନାହିଁ ବୋଲି ଆଜି ରବିବାର ରେଳବାଇ ଖଡଗପୁର ଡିଭିଜନର ନିର୍ବାହୀ ଯନ୍ତ୍ରୀ ଏସ୍ପି ତ୍ରିପାଠୀ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ଏହି ପ୍ରକଳ୍ପ ୧୦-୯-୨୦୨୦ରେ ଶେଷ ହେବାକୁ ଥିଲା ବେଳେ କାର୍ଯ୍ୟର ୪୦ଭାଗ ଶେଷ ହୋଇ ନ ଥିବା ଯୋଗୁଁ ସାଧାରଣରେ କ୍ଷୋଭ ପ୍ରକାଶ ପାଉଛି । ଏବେ ବି ବଡବଜାରରୁ ନୂଆବଜାର ଯିବା ଲାଗି ଦୀର୍ଘ ସମୟ ଲେବୁଲ କ୍ରସିଂ ନିକଟରେ ଖରା ବର୍ଷାରେ ଅପେକ୍ଷା କରିବାକୁ ପଡୁଛି । ଜମି ଅଧିଗ୍ରହଣ ହୋଇ ନ ଥିବାରୁ ଏହି କାର୍ଯ୍ୟ କେବେ ଶେଷ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୁର୍ତ୍ତ ବିଭାଗ ପକ୍ଷରୁ ଡାଇଭରସନ ରୋଡ ନିର୍ମାଣ ହୋଇ ନ ଥିବାରୁ ସାଧାରଣ ଲୋକ ଓ ଯାନବାହାନ ଯିବା ଆସିବାରେ ବହୁ ସମସ୍ୟା ସୃଷ୍ଟି ହୋଇ ଦୁର୍ଘଟଣା ମାନ ଘଟୁଛି । ଅତିଶୀଘ୍ର ଜମି ହସ୍ତାନ୍ତର ଲାଗି ରେଳବାଇ ପକ୍ଷରୁ ପୁର୍ତ୍ତ ବିଭାଗ ମୁଖ୍ୟ ସଚୀବ ଓ ବାଲେଶ୍ୱର ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇ ଥିବାରୁ ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି । ଦୀର୍ଘ ୨ମାସ ଲକ୍ଡାଉନ ପରେ ରେଳ ବିଭାଗ ପକ୍ଷରୁ ଜଳେଶ୍ୱର ରେଳ ଓଭରବ୍ରିଜ୍ କାମ ଆରମ୍ଭ ପାଇଁ ପ୍ରସ୍ତୁତି କରିଥିବା ବେଳେ ପୁର୍ତ୍ତ ବିଭାଗ ପକ୍ଷରୁ କୌଣସି ପ୍ରସ୍ତୁତି ଦେଖିବାକୁ ମିଳୁ ନ ଥିବା ଜଣାପଡିଛି ।
ରିପୋର୍ଟ : ଭୂପତି କୁମାର ପରିଡା