
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ରେଳ ଷ୍ଟେସନରୁ ଦୈନିକ ପ୍ରାୟ ୩୦୦ ଯାତ୍ରୀ ଯାତାୟାତ କରୁଥିବା ବେଳେ ସେମାନଙ୍କ ସର୍ବନିମ୍ନ ସୁବିଧା ମିଳୁନଥିବାରୁ ଅସନ୍ତୋଷ ଚରମସୀମାରେ ପହଞ୍ଚିଛି । ପୂର୍ବଭଳି ସମସ୍ତ ଟ୍ରେନ୍ ଯାତାୟାତ ନ କରିବା, ବର୍ଦ୍ଧିତ ମୂଲ୍ୟରେ ରେଳଭଡା ନିଆଯିବା, ପୂର୍ବଭଳି ଷ୍ଟେସରୁ ସବୁ ଟିକଟ ନ ମିଳିବା, ପୂର୍ବ ରେଳ ସାରଣୀରେ ରେଳ ଚଳାଚଳ ନ ହେବା, ବରିଷ୍ଟ ନାଗରିକ, ମହିଳା ଓ ଛାତ୍ରଛାତ୍ରୀଙ୍କୁ ରିହାତି ମୂଲ୍ୟରେ ଟିକଟ ନ ମିଳିବା ଇତ୍ୟାଦି ନେଇ ଜଳେଶ୍ୱରସ୍ଥିତ ସମାଜ କଲ୍ୟାଣ ବିକାଶ ପକ୍ଷରୁ ରେଳ କତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି । ଖଡଗପୁର ଡିଆର୍ଏମ୍ଙ୍କ ପ୍ରତିନିଭାବେ ଜଳେଶ୍ୱର ଷ୍ଟେସନ ମ୍ୟାନେଜର ଖଗେନ୍ଦ୍ର ନାଇ ମଣ୍ଡଳଙ୍କ ସହିତ ସମାଜ କଲ୍ୟାଣ ବିକାଶ ପରିଷଦର ସଂପାଦକ ଆଇନ୍ଜିବୀ ରାମଚନ୍ଦ୍ର ଜେନା, ଇଂ ରାମଚନ୍ଦ୍ର ସାହୁ, ଶରତ ଚନ୍ଦ୍ର ପରିଡା, ଡ. ଅଜିତ୍ କୁମାର ମହାନ୍ତି, ଜଗନ୍ନାଥ ଗୋଚ୍ଛାୟତ ଓ ଅବନୀ ଚାନ୍ଦ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଖଡଗପୁରରୁ ଭଦ୍ରକ ଓ ଭୁବନେଶ୍ୱର ଯାତାୟାତ ଲାଗି ଫାଷ୍ଟ ପାସେଞ୍ଜର ଓ ଏହାର କିଛି ସମୟପରେ ମେମୋ ଚଳାଚଳ କରୁଥିବାରୁ ଯାତ୍ରୀମାନଙ୍କ ବିଶେଷ ଉପକାରରେ ଆସୁନାହିଁ । ତେଣୁ ମେମୋ ଟ୍ରେନ୍କୁ ୬.୪୦ ପରିବର୍ତ୍ତେ ପୂର୍ବପରି ୮.୨୦ରେ ଚଳାଚଳକ କରାଯିବାକୁ ଆଲୋଚନା କରାଯାଇଛି । ସେହିପରି ୧ନଂ ପ୍ଲଟଫର୍ମରୁ ୪ନଂ ପ୍ଲାଟଫର୍ମକୁ ଏକ ନୂତନ ଫୁଟ ଓଭାର ବ୍ରିଜ୍ ନିର୍ମାଣ ହେବାକୁ ଯାଉଥିବା, ଏବେ ୧ନଂରୁ ୩ନଂ ଯାଏ ଥିବା ଫୁଟ ଅଭରବ୍ରିଜ୍କୁ ୪ନଂ ଯାଏ ସମ୍ପ୍ରସାରଣ କରିବା କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବା ସଂପର୍କରେ ଡିଆର୍ଏମ୍ ପ୍ରତିନିଧି ଷ୍ଟେସନ ମ୍ୟାନେଜର ଶ୍ରୀ ମଣ୍ଡଳ କହିଛନ୍ତି । ଦିଲ୍ଲିରୁ ପୁରୀ ଯାଉଥିବା ଟ୍ରେନ୍ ଗୁଡିକର ସାଧାରଣ ଟିକଟ ଷ୍ଟେସନରୁ ମିଳିବା ସଂପର୍କରେ ସେ ସୂଚନା ଦେଇଥିଲେ । ଅଗଷ୍ଟମାସ ୫ସୁଦ୍ଧା ରେଳବାଇ ପୂର୍ବଭଳି ସମସ୍ତ ସୁବିଧା ସୁଯୋଗ ଜନସାଧାରଣଙ୍କୁ ମିଳିବ ବୋଲି ଆଲୋଚନାରୁ ଜଣା ପଡିଛି ।
ରିପୋର୍ଟ : ଭୂପତି ପରିଡା