ଜଳେଶ୍ୱର ଷ୍ଟେସନ ସଫେଇ କର୍ମଚାରୀଙ୍କ ଦରମା ବନ୍ଦ : ବିଭାଗୀୟ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାନୁଷ୍ଠାନ ପାଇଁ ନୋଟିସ୍…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦକ୍ଷିଣପୂର୍ବ ରେଳପଥର ଏକ ପ୍ରମୁଖ ଷ୍ଟେସନ ମଧ୍ୟରେ ଜଳେଶ୍ୱର ଷ୍ଟେସନ ଅନ୍ୟତମ । ମାତ୍ର ଏହି ଷ୍ଟେସନର ବିଭିନ୍ନ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ ଅଗଷ୍ଟମାସ ୧୬ ତାରିଖରେ କୋଲକତାର ଏକ କମ୍ପାନୀ ଏହି ଷ୍ଟେସନର ସଫେଇ କାର୍ଯ୍ୟ ପାଇଁ ଟେଣ୍ଡର ପାଇଥିଲେ । ତଦ୍ଅନୁଯାୟୀ ସେ ୫ଜଣ କର୍ମଚାରୀଙ୍କୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କରିଥିଲେ । ମାତ୍ର ଦୀର୍ଘ ଦେଢମାସ ବିତିଯାଇଥିଲେ ମଧ୍ୟ ସେହି କର୍ମଚାରୀମାନେ ନିଜର ମାସିକିଆ ଦରମା ନ ପାଇବା ଫଳରେ ବହୁ କଷ୍ଟରେ ଚଳୁଛନ୍ତି । ପୂର୍ବରୁ ନିଯୁକ୍ତ ଥିବା କମ୍ପାନୀ ସେମାନଙ୍କୁ ମାସକୁ ୮ହଜାର ଟଙ୍କା ଦରମା ବାବଦକୁ ପ୍ରଦାନ କରୁଥିବା ବେଳେ ଏହି ନୂତନ କମ୍ପାନୀ ଅଦ୍ୟାବଧି ଦରମା ପ୍ରଦାନ ନ କରିବାଫଳରେ ଆଗାମୀ ଦିନରେ ଷ୍ଟେସନର ସଫେଇ କାର୍ଯ୍ୟ ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯିବ । ଏହି ଅଭିଯୋଗ ସଂପର୍କରେ ଜଳେଶ୍ୱର ଷ୍ଟେସନ ମ୍ୟାନେଜର ଖଗେନ୍ଦ୍ରନାଥ ମଣ୍ଡଳକଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣା ସଂପୂର୍ଣ୍ଣ ସତ୍ୟ ଓ ଏହି ଅଭିଯୋଗ ସଂଂପର୍କରେ ବିଭାଗୀୟ କର୍ତ୍ତୃପକ୍ଷ କମ୍ପାନୀକୁ କାରଣ ଦର୍ଶଅ ନୋଟିସ୍ ଜାରି କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ଦେଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା