ଜଳେଶ୍ୱର ସରକାରୀ ହାଇସ୍କୁଲର ୭୫ଜଣ ଏ-୧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ରାଜ୍ୟରେ ଗୌରବ ଅର୍ଜନ କରିଛନ୍ତି । ଏହି ବିଦ୍ୟାଳୟର ସ୍ୱରୂପା ଜେନା ୫୯୪ ଓ ଏଲିନା ଗିରି ୫୯୩ ରଖି ଯାଥାକ୍ରମେ ୪ର୍ଥ ଓ ୫ମ ସ୍ଥାନ ଅର୍ଜନ କରିଛନ୍ତି । ଏହି ୨ ଛାତ୍ରୀ ବାଲେଶ୍ୱର ଜିଲାରେ ସର୍ବୋଚ୍ଚ ନମ୍ବର ରଖି ବିଦ୍ୟାଳୟକୁ ଗୌରବ ଆଣିଛନ୍ତି । କେବଳ ସେତିକି ନୁହେଁ, ଏହି ବିଦ୍ୟାଳୟର ୭୫ଜଣ ଛାତ୍ରଛାତ୍ରୀ ଏ-୧ରେ ପାସ୍ କରି ୨ୟ ଗୌରବ ଆଣିଛନ୍ତି । ବିଦ୍ୟାଳୟ ଇତିହାସରେ ୭୨ବର୍ଷ ବିତି ଯାଇଥିଲେ ମଧ୍ୟ ପୂର୍ବରୁ ଏପରି ଗୌରବ ମିଳି ନ ଥିଲା । ଆଜି ବିଦ୍ୟାଳୟ ପକ୍ଷରୁ ଏହି ୭୫ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଆୟୋଜିତ ସଭାରେ ପୂର୍ବତନ ଛାତ୍ର ତଥା ଅବସର ଅଧ୍ୟକ୍ଷ ଡ. ଶ୍ରୀକାନ୍ତ ଚରଣ ପାତ୍ର ଅଧ୍ୟକ୍ଷତା କରି ଜଳେଶ୍ୱର ବିଦ୍ୟାଳୟକୁ ସୁନାମ ଆଣିଥିବା ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଜିତାରାମ ଦେ, ଡ. ଈଶ୍ୱର ଚନ୍ଦ୍ର ଜେନା ଯୋଗଦେଇ ନିଷ୍ଠା, କର୍ତ୍ତବ୍ୟ ଓ ମାନସିକତା ସହିତ ଦୃଢତା ରହିଲେ ଜୀବନର ସଫଳତା ମିଳିଥାଏ ବୋଲି କହିଥିଲେ । ପ୍ରଧାନ ଶିକ୍ଷକ କୁଂଜବିହାରୀ ପ୍ରଧାନ ସୂଚନା ଓ ବିଦ୍ୟାଳୟର ଇତିବୃତ୍ତି ସଂପର୍କରେ କହିଥିବା ବେଳେ ସମ୍ମାନୀତ ଅତିଥିଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ସୁବଳ ଚନ୍ଦ୍ର ପରିଡା ଯୋଗ ଦେଇଥିଲେ । ଶିକ୍ଷକ/ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ୭୫ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ରିପୋର୍ଟ : ଭୂପତି ପରିଡା