ଭୁବନେଶ୍ୱର(ସମୃଦ୍ଧଓଡିଶା) ଭୁବନେଶ୍ୱରସ୍ଥିତ ମେ ଫେଆର୍ କନଭେନସନ ହୋଟେଲରେ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ମିଳିତ ଆନୁକୂଲ୍ୟରେ ଚାଲିଥିବା ଦୁଇ ଦିନିଆ ଜାତୀୟସ୍ତରୀୟ ସେତୁ କର୍ମଶାଳା ବା “Workshop On Bridges” ସମାପନ ହୋଇଛି l ଦେଶର ୨୫ ରାଜ୍ୟରୁ ଯୋଗଦେଇଥିବା ବିଶିଷ୍ଟ ସେତୁ ବିଶେଷଜ୍ଞ ଓ ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀ (୨୦୦ରୁ ଉର୍ଦ୍ଧ୍ଵ ଅଂଶଗ୍ରହଣକାରୀ) ଙ୍କ ମଧ୍ୟରେ ବିଭିନ୍ନ ସମ୍ପାନରେ ଗ୍ରାମୀଣ ସଂଯୋଗୀକରଣ ପାଇଁ ଦୀର୍ଘସ୍ଥାୟୀ ସେତୁ ନିର୍ମାଣର ଅତ୍ୟାଧୁନିକ ଜ୍ଞାନକୌଶଳ ଆଦି ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇ ସେତୁ ସମ୍ମିଳନୀ ଉଦଯାପିତ ହୋଇଛି l ଦ୍ୱିତୀୟ ଦିବସରେ ଏହି କର୍ମଶାଳାରେ “ସେତୁ ନିର୍ମାଣ ଏବଂ ଡିଜାଇନ” ଉପରେ ଦେଶର ବିଶିଷ୍ଟ ସେତୁ ବିଶେଷଜ୍ଞ ଓ ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀ ମାନେ ମାନସମନ୍ଥନ କରିଛନ୍ତି l ସମତଳ ଭୂମି, ମାଳଭୂମି, ପାହାଡିଆ ଅଞ୍ଚଳ ଆଦିରେ ସେତୁ ନିର୍ମାଣର ଭିନ୍ନ ଭିନ୍ନ କୌଶଳ ଉପରେ ସବିଶେଷ ଆଲୋଚନା ହୋଇଥିଲା l ଜଳବାୟୁ ପରିବର୍ତ୍ତନ ଯୋଗୁଁ ବୃଦ୍ଧି ପାଇଥିବା ପ୍ରାକୃତିକ ଦୁର୍ବିପାକକୁ ଧ୍ୟାନ ଦେଇ କିଭଳି ଦୀର୍ଘସ୍ଥାୟୀ ସେତୁ ନିର୍ମାଣ କରାଯାଇ ପାରିବ, ସେ ଉପରେ ମଧ୍ୟ ଆଲୋଚନା ହୋଇଥିଲା l ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କର୍ମଶାଳାରେ ଦୀର୍ଘସ୍ଥାୟୀ ସେତୁ ନିର୍ମାଣର ଡ଼ିପିଆର୍ ପ୍ରସ୍ତୁତି, ମୂଳଦୁଆ ଓ ଭୂକମ୍ପରୋଧୀ ନକ୍ସା ପ୍ରସ୍ତୁତି, ସେତୁ ନିର୍ମାଣରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର, ସେତୁ ରକ୍ଷଣାବେକ୍ଷଣ, କ୍ଷେତ୍ର ଅଭିଜ୍ଞତା, ସେତୁ ନିର୍ମାଣର ମାନ ଆଦି ବିଷୟରେ ବିଭିନ୍ନ ସମ୍ପାନରେ ବିଶଦ ଆଲୋଚନା ହୋଇଥିଲା l ସମସ୍ତ ଅଂଶଗ୍ରହଣକାରୀ ମାନେ ନିଜ ରାଜ୍ୟର ତଥା କାର୍ଯ୍ୟକ୍ଷେତ୍ରର ଅଭିଜ୍ଞତା ବିଷୟରେ ଆଲୋଚନା କରି ସେଠାକାର ସମସ୍ୟା ବିଷୟରେ ବିଶେଷଜ୍ଞଙ୍କ ପରାମର୍ଶ ଲୋଡିଥିଲେ l ଗ୍ରାମୀଣ ସଂଯୋଗୀକରଣ ପାଇଁ ସେତୁ ନିର୍ମାଣର ସମସ୍ତ ଦିଗ ବିଷୟରେ ଏହି କର୍ମଶାଳାରେ ସବିଶେଷ ଆଲୋଚନା ହୋଇଥିଲା l ପୂର୍ବରୁ ପ୍ରଥମ ଦିବସରେ ଏହି କର୍ମଶାଳାକୁ ଉଦଘାଟନ କରି ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମହୋଦୟ ଏଥିରେ ୨୫ ରାଜ୍ୟରୁ ଯୋଗଦେଇଥିବା ୨୦୦ରୁ ଉର୍ଦ୍ଧ୍ଵ ଅଂଶଗ୍ରହଣକାରୀ ମାନଙ୍କୁ ସମ୍ବୋଧିତ କରିଥିଲେ l ଏହି କର୍ମଶାଳାର ଲକ୍ଷ୍ୟ ଓ ମିଶନକୁ ଆଧାର କରି , ମାନ୍ୟବର ମନ୍ତ୍ରୀ ସେତୁ ନିର୍ମାଣ ଏବଂ ରକ୍ଷଣାବେକ୍ଷଣର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ | ରାଜ୍ୟ ଯୋଜନା ଏବଂ PMGSY ଯୋଜନା ଅନ୍ତର୍ଗତ ୨୧୧୭ ଟି ଲଂଗ୍ ସ୍ପାନ୍ ବ୍ରିଜ୍ ନିର୍ମିତ ହୋଇସାରିଥିବା, ୧୧୫୨ ଟି ସେତୁର ନିର୍ମାଣ ଜାରି ରହିଥିବା ବିଷୟରେ ମାନ୍ୟବର ମନ୍ତ୍ରୀ ସନ୍ତୋଷ ପ୍ରକଟ କରିଥିଲେ ।
ରିପୋର୍ଟ : ରଜତ ମହାପାତ୍ର ଓ ବିନାୟକ ମିଶ୍ର, ଲୋକସମ୍ପର୍କ ଅଧିକାରୀ