

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଚଳିତ ଗ୍ରୀଷ୍ମଋତୁ ପୂର୍ବରୁ ବ୍ରହ୍ମପୁର ବାସିନ୍ଦାଙ୍କ ଜଳ ସମସ୍ୟା ଦୂରୀକରଣ ହୋଇ ପାରିବ କି ନାହିଁ ତାକୁ ନେଇ ଲାଗି କଳ୍ପନା ଜଳ୍ପନା ରହିଥିଲା । ଶେଷରେ ଆଜି ଏହି କଳ୍ପନା ଜଳ୍ପନାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହର ବାସୀନ୍ଦାଙ୍କ ଜଳ ସମସ୍ୟାକୁ ଉପଲବ୍ଧି କରି ଏହାର ସ୍ଥାୟୀ ସମାଧାନ ନିମନ୍ତେ ୩୦ନଭେମ୍ବର ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ ଏହି ଜଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ । ଆଜି ମୁଖ୍ୟମନ୍ତ୍ରୀଙ୍କ କରକମଳରେ ତାହା ଉଦଘାଟନ କରାଯିବା ସହ କାର୍ଯ୍ୟକ୍ଷମ ଆରମ୍ଭ ହୋଇଯାଇଛି । ଧରାକୋଟ ବ୍ଲକ ଜାନିବିଲିଠାରେ ଜଳ ଭଣ୍ଡାର ନିର୍ମାଣ କରାଯାଇ ୨୩୨ କିଲୋମିଟର ପାଇପ ଲାଇନ ବିଛା ଯାଇ ବ୍ରହ୍ମପୁର ବାସିନ୍ଦାଙ୍କ ସମେତ ୧୬ଟି ପଂଚାୟତର ୫୩ଟି ଗ୍ରାମକୁ ଜଳଯୋଗାଣ ବ୍ୟବସ୍ଥା କରାଯାଇଛି । ଏହି ପ୍ରକଳ୍ପର ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଖୁସି ଜାହିର କରିଥିବାବେଳେ ଦୀର୍ଘବର୍ଷ ଧରି ବ୍ରହ୍ମପୁର ସହରରେ ଲାଗି ରହିଥିବା ଜଳ ସମସ୍ୟା ଆଉ ରହିବ ନାହିଁ ବୋଲି ବ୍ରହ୍ମପୁର ସାଂସଦ ଓ ବ୍ରହ୍ମପୁର ବିଧାୟକ ଆଶାବ୍ୟକ୍ତ କରିଛନ୍ତି । ବ୍ରହ୍ମପୁର ସହରରେ ଦୀର୍ଘ ବର୍ଷ ଧରି ପାଣି ସମସ୍ୟା ଲାଗିରରହିଥିବାବେଳେ ଗ୍ରୀଷ୍ମ ଋତୁରେ ତାହା ଉକ୍ରଟ ରୂପ ଧାରଣ କରିଥାଏ । ଦୈନିକ ୬୪ ମିଲିୟନ ଲିଟର ପାଣିର ଆବଶ୍ୟକତା ଥିବାବେଳେ ଦକ୍ଷିଣପୁର, ଋଷିକୂଲ୍ୟା ଓ ଗଭୀର ନଳକୂପ ପ୍ରକଳ୍ପ ମାଧ୍ୟମରେ ମିଳୁଛି ୫୦ ମିଲିୟନ ଲିଟର ପାଣି । ଏବେ କିନ୍ତୁ ଏହି ଜାନିବିଲି ପ୍ରକଳ୍ପ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେଲେ ଆଗାମୀ ୨୦୪୫ ମସିହା ପର୍ଯ୍ୟନ୍ତ ସହରର ଜଳ ସମସ୍ୟା ଦୂର ହେବ ଓ ଦୈନିକ ୧୪୦ ମିଲିୟନ ଲିଟର ପାଣି ମିଳିବ ବୋଲି ବିଭାଗୀୟ ଯନ୍ତ୍ରୀ ସୂଚନା ଦେଇଥିବା ବେଳେ ବ୍ରହ୍ମପୁର ମହାନଗର ନିଗମ ଓ ଗୋପାଳପୁର ନିର୍ବାଚନ ମଣ୍ଡଳୀର କିଛି ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନିବିଲି ଜଳପ୍ରକଳ୍ପର ଉଦଘାଟନ ସହ ଉନ୍ନତି ଯୋଜନା ଅଧିନରେ ୧୧୪ଟି ପୌରାଂଚଳରେ ଆସନ୍ତା ୬ ମାସ ମଧ୍ୟରେ ୪୦୦ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ସ୍ମାର୍ଟ ପାର୍କ ଓ ନୂତନ ଶବଦାହ ଗୃହର ନିର୍ମାଣ ପାଇଁ ସେ ଶୁଭ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ, ବିଧାୟକ, ସାଂସଦ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସୂର୍ଯ୍ୟ ନାରାୟଣ ପାତ୍ର, ପ୍ରମୁଖ ଉପସ୍ଥିତ ଥିବା ବେଳେ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର, ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଛତ୍ରପୁର ବିଧାୟକ ପ୍ରିୟାଂଶୁ ପ୍ରଧାନ, ଖଲିକୋଟ ବିଧାୟକ ପୂର୍ଣ୍ଣ ସେଠୀ, ସୋରଡ଼ା ବିଧାୟକ ପୂର୍ଣ୍ଣ ସ୍ୱାଇଁ, ଆସିକା ବିଧାୟକ ଦେବରାଜ ମହାନ୍ତି, ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ ପ୍ରମୁଖ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା












