ଜାନିବିଲି ଜଳ ପ୍ରକଳ୍ପକୁ ମାର୍ଚ୍ଚ ୩ ତାରିଖରେ ଅଧାପନ୍ତରିଆ ବା ଅସଂପୂର୍ଣ୍ଣ ପ୍ରକଳ୍ପକୁ ଉଦଘାଟନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବାସୀଙ୍କ ବହୁ ପ୍ରତିକ୍ଷୀତ ଜାନିବିଲି ଜଳ ପ୍ରକଳ୍ପକୁ ପ୍ରଥମେ ଚଳିତ ମାସ ୨୨ ତାରିଖରେ ପରେ ୨୮ ତାରିଖ ଉଦଘାଟନ ପାଇଁ ସ୍ଥିର ହୋଇ ଦୁଇ ଦୁଇ ଥର ବାତିଲ ହେବା ପରେ ପୁଣି ଆଗାମୀ ମାର୍ଚ୍ଚ ୩ ତାରିଖ ଅଧାପନ୍ତରିଆ ବା ଅସଂପୂର୍ଣ୍ଣ ପ୍ରକଳ୍ପକୁ ଉଦଘାଟନ କରିବାକୁ ସ୍ଥିର କରାଯାଇଛି । ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ପୂର୍ବରୁ ଏହାକୁ ତରବରିଆ ଭାବେ ଉଦଘାଟନ ପାଇଁ ଯୋଜନା ହୋଇଥିବା ସ୍ପଷ୍ଟ ଜଣାପଡ଼େ । ଏପରି କି ଜନସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀମାନେ ବ୍ରହ୍ମପୁର ବାସୀଙ୍କୁ ପାଣି ପିଆଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ପାଣି ପିଆଇ ଦେଲେ, ଦୁଇ ଦୁଇ ଥର ବାତିଲ କରି । ଏହି ପ୍ରକଳ୍ପ ପାଇଁ ବର୍ତ୍ତମାନ ବାହାରରୁ ମେସିନ ଓ ଲୋକ ଅଣାଯାଇ ରାତି ଅଧିୀଆ କାମ କରାଯାଉଛି ଏବଂ ତରବରିଆ କାମ ପାଇଁ କାର୍ଯ୍ୟର ଗୁଣବତ୍ତାକୁ ଅଣଦେଖା କରାଯିବା ସହ କୋଟି କୋଟି ଟଙ୍କା ଅଯଥାରେ ସରକାରୀ ରାଜସ୍ଵ ବରବାଦ କରାଯାଇ ବେନିୟମ କାମ କରି ସରକାରୀ ରାଜସ୍ଵ ଲୁଟ କରାଯାଉଛି । ବେନିୟମ କାର୍ଯ୍ୟ କରିବାରେ ଦକ୍ଷତା ରଖିଥିବା ଏ ପ୍ରକଳ୍ପର ନୋବେଲ ଅଫିସର-ପି କେ ସ୍ୱାଇଁ ଏବଂ ବ୍ରହ୍ମପୁର ସହରରେ ଚୋରା ପାଇପ ସଂଯୋଗ ଓ ଚୋରାରେ ପାଣି ବିକ୍ରୀରେ ମାଷ୍ଟର ମାଇଣ୍ଡ ତଥା ଏ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ସୀତାରାମ ପଣ୍ଡାଙ୍କ (ଯିଏ କି ଦୀର୍ଘ ୧୩ବର୍ଷ ଧରି ବ୍ରହ୍ମପୁର ସହରରେ ଅବସ୍ଥାନ କରି ଦୂର୍ନୀତିଗ୍ରସ୍ତ ହେବା ସାଙ୍ଗକୁ ବେନିୟମ କାର୍ଯ୍ୟକୁ ପ୍ରଶୟ ଦେଉଛନ୍ତି) ପ୍ରରୋଚନାରେ ଅତି ତରବରିଆ ଭାବେ ଏହି ଅସଂପୂର୍ଣ୍ଣ ପ୍ରକଳ୍ପକୁ ଉଦଘାଟନ କରାଯାଉଥିବା ମନେ କରାଯାଉଛି । ଏ ପ୍ରକଳ୍ପକୁ ଶୀଘ୍ର ଶୁଭାରମ୍ଭ କରିବା ଉଦ୍ଦେଶ୍ୟରେ ବହୁ ଆଶ୍ଚର୍ଯ୍ୟ କାର୍ଯ୍ୟ କରାଯାଇଛି ବୋଲି ଚର୍ଚ୍ଚା ହେଉଛି । ଜଗଦଳପୁର ଠାରେ ଗୋଚର ଜମିରେ ବେନିୟମ ଭାବେ ଜଳ ବିଶୋଧନାଗାର ନିର୍ମାଣ କରାଯାଇଛି । ହିଜିଂଳି ନିକଟ ଘୋଡାହାଡ ନଦୀ ଶଯ୍ୟାରେ ମୋରମ ମାଟି ପକାଇ ତା ଉପରେ ହ୍ୟୁମ ପାଇପ ପକାଇବା ପରେ ତା ଉପରେ ବଡ ବଡ ପାଇପ(୧୨୦୦ମିମି) ପକାଯିବା ଯୋଜନା କାର୍ଯ୍ୟକାରୀ କରାଯାଉଛି । ଯାହାଦ୍ୱାରା ବର୍ଷା ଦିନରେ ନଦୀରେ ପାଣି ସ୍ରୋତରେ ବାଧା ସୃଷ୍ଟି ହେବା ସଂଗେ ସଂଗେ ବନ୍ୟା ସମୟରେ ପାଇପଗୁଡିକ ଭାସି ଯିବାର ସମ୍ଭାବନା ରହିଛି । ଠିକା କମ୍ପାନି ବିନା ଅନୁମୋଦନରେ ପ୍ରାୟ ଲକ୍ଷ ସିଏଫଟି ମୋରମ ବ୍ୟବହାର କରାଯାଇଛି । ଏଥି ପାଇଁ କିଏ ଅନୁମତି ଦେଲା, ତାହା ମଧ୍ୟ ତଦନ୍ତ ସାପେକ୍ଷ । ଏପରି କାର୍ଯ୍ୟ କରି ଯଥା ଶୀଘ୍ର ପ୍ରକଳ୍ପକୁ ଆରମ୍ଭ କରିବା ଚକ୍ରାନ୍ତ ଦ୍ୱାରା ପ୍ରକଳ୍ପର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ଉଠିଛି ତତ୍ ସଂଗେ ସଂଗେ ଯନ୍ତ୍ରୀଙ୍କ ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠୁଛି । ଜାତୀୟ ରାଜପଥ-୫୯(ମୁଣ୍ଡମରେଇ ଠାରୁ ଭଣ୍ଡାରିବସା ପଯ୍ୟନ୍ତ)ରେ ମଧ୍ୟ ବଡ ବଡ ପାଇପଗୁଡିକ ବିନା ଗାତ ଖୋଳାରେ ରାସ୍ତା ମଝିରେ ବିଛାଇ ଦିଆଯାଉଛି, ଯାହାଦ୍ୱାରା ଭବିଷ୍ୟତରେ ଦୂଘଟଣା ଘଟିବା ନିଶ୍ଚିତ ହୋଉଛି । ଏ ନେଇ ଜାତୀୟ ରାଜପଥ ଉଚ୍ଚ ଅଧୀକାରୀ ପାଇପକୁ ତୁରନ୍ତ ଉଠାଇବାକୁ ଦେଇଥିବା ନିଦ୍ଦେର୍ଶକୁ ମଧ୍ୟ ଖାତିରି କରୁନାହାନ୍ତି । ବର୍ତ୍ତମାନ ଜାନିବିଲିରୁ ପାଣି ଆସି ଜଗଦଳପୁର ବିଶୋଧନାଗାର ପଯ୍ୟନ୍ତ ପାଣି ପଡିଥିବା ବେଳେ ୩ଟି ସ୍ଥାନରେ ଲିକ ହୋଇ ଚାଷ ଜମିରେ ପାଣି ଭାସୁଥିବା ଖବର ପ୍ରକାଶ ପାଉଛି । ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହୋଇନାହିଁ । ସହର ମଧ୍ୟରେ ପ୍ରତ୍ୟେକ ଘରକୁ ପାଇପ ସଂଯୋଗ ପାଇଁ ସହର ସାରା ରାସ୍ତାଗୁଡିକ ଖୋଲି, ଖାଲଖମା କରି ସହରବାସୀଙ୍କ ମଧ୍ୟରେ ଅସନ୍ତୁୋଷ ଦେଖାଦେଉଛି । ବର୍ତ୍ତମାନ ସୁଦ୍ଧା ସହର ମଧ୍ୟରେ ହୋଇଥୀବା ୧୫ଟି ଭୂତଳ/ଉଚ୍ଚ ଜଳ ଭଣ୍ଡାର କାର୍ଯ୍ୟ ଅସଂପୂର୍ଣ୍ଣ ରହିଛି । ଆଜି ସୁଦ୍ଧା ସହରର କୌଣସି ଘରକୁ ଏହି ପ୍ରକଳ୍ପ ଜରିଆରେ ଜଳ ଯୋଗାଣ ପାଇଁ ସଂଯୋଗ ହୋଇପାରି ନାହିଁ । ଯାହାଦ୍ୱାରା ଜଳ ସଙ୍କଟ ଦୂର ହୋଇନାହିଁ । ସେ ଯାହା ହେଉନା କାହିଁକି, ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନୀ କାର୍ଯ୍ୟକ୍ରମକୁ ଦୁଇ ଦୁଇ ଥର ବାତିଲ କରି, ଉପରୋକ୍ତ ଯନ୍ତ୍ରୀ ଦ୍ୱୟ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ପାଣି ପିଆଇ ଦେଲେ ବୋଲି ସହରର ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା