ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଜାନୁଆରି ମାସରେ ଖୋଲିବ ସ୍କୁଲ୍, କଲେଜ । ନୂଆବର୍ଷରୁ ପିଲାମାନେ ପୁଣି ସ୍କୁଲ୍ ଏବଂ କଲେଜକୁ ଫେରିବା ସହିତ ପାଠପଢ଼ି ପରୀକ୍ଷା ଦେବେ ବୋଲି ଗୁରୁବାର ସୂଚନା ମିଳିଛି । ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ କହିବା ମୁତାବକ, ଜାନୁଆରି ମାସରେ ଦଶମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପିଲାମାନେ ଖୁବଶୀଘ୍ର ସ୍କୁଲକୁ ଫେରିବେ । ସ୍କୁଲରେ ୧୦୦ ଦିନ ପାଠପଢ଼ା ହେବା ପରେ ପରୀକ୍ଷା ହେବ । କେବଳ ପୂଜାପର୍ବାଣୀକୁ ଛାଡ଼ି ରବିବାର ଭଳି ଛୁଟି ଦିନରେ ମଧ୍ୟ ପାଠପଢ଼ା ହେବ ବୋଲି ସେ କହିଛନ୍ତି । ସେହିପରି ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର କହିଛନ୍ତି ନୂଆ ବର୍ଷ ପରେ କଲେଜ ଖୋଲିବ । ପିଲାମାନେ କ୍ଲାସରୁମରେ ପାଠପଢ଼ା ସାରିଲେ ପରୀକ୍ଷା ହେବ । ଏବର୍ଷ ୟୁଜି ଓ ପିଜି ପରୀକ୍ଷାରେ ବିଳମ୍ବରେ ହୋଇପାରେ । ଯଦି ଧାର୍ଯ୍ୟ ସମୟରେ ସିଲାବସ ନସରେ ତେବେ ବିଭାଗ ପାଠ୍ୟକ୍ରମ କମାଇବାକୁ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି । ଏଥର ଡେରିରେ ହେବ ପରୀକ୍ଷା । କୋଭିଡ୍ କାରଣରୁ ଏଥର ଫେବ୍ରୁଆରି ମାସରେ ମାଟ୍ରିକ୍ ପରୀକ୍ଷା ଓ ମାର୍ଚ୍ଚ ମାସରେ +୨ ପରୀକ୍ଷା ହୋଇପାରିବ ନାହିଁ । ସ୍କୁଲ୍, କଲେଜ ଖୋଲିବା ପରେ ପାଠପଢ଼ା ହୋଇ ଏହି ଦୁଇ ପରୀକ୍ଷା ହେବ ବୋଲି ପୂର୍ବରୁ ସୂଚନା ଦେଇସାରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ପିଲାମାନେ କୋଭିଡ୍ ଗାଇଡଲାଇନକୁ ମାନି ପରୀକ୍ଷାରେ ବସିବେ ବୋଲି ସେ କହିଥିଲେ । ସେହିପରି ଉଚ୍ଚଶିକ୍ଷା ବିଭାଗ ସଚିବ ମଧ୍ୟ ସେହି ସମାନ କଥା କହିଛନ୍ତି । ଯଦି ଧାର୍ଯ୍ୟ ସମୟରେ ସିଲାବସ୍ ଶେଷ ନହୁଏ ତେବେ ବିଭାଗ ପାଠ୍ୟକ୍ରମ କମେଇବାକୁ ଚେଷ୍ଟା କରିବ ବୋଲି ସେ କହିଛନ୍ତି । ବିଭାଗ ହାତରେ ସ୍କୁଲ୍, କଲେଜ ଖୋଲିବା ନିଷ୍ପତ୍ତି କରିଛନ୍ତି । କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାର ମଧ୍ୟ ଡିସେମ୍ବର ମାସ ପାଇଁ ଗାଇଡଲାଇନ୍ ଧାର୍ଯ୍ୟ କରିଛନ୍ତି । ଯେଉଁଥିରେ ରାଜ୍ୟ ସରକାର ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଉପରେ ସ୍କୁଲ୍, କଲେଜ ଖୋଲିବା ନିଷ୍ପତ୍ତି ଛାଡ଼ିଦେଇଛନ୍ତି । ଏହି ଦୁଇ ବିଭାଗ ହିଁ ରାଜ୍ୟରେ କେବେ ସ୍କୁଲ୍, କଲେଜ ଖୋଲିବ ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି । ଅନ୍ୟପଟେ ଏହି ଦୁଇ ବିଭାଗ ରାଜ୍ୟରେ କେବେ ସ୍କୁଲ, କଲେଜ ଖୋଲିବ ସେ ନେଇ କୌଣସି ତାରିଖ ଘୋଷଣା କରିନାହାନ୍ତି । ଏହାସତ୍ତ୍ୱେ ପରୀକ୍ଷା, ପ୍ରବେଶିକା ପରୀକ୍ଷା, ଅନଲାଇନ୍ ଶିକ୍ଷା କାର୍ଯ୍ୟକ୍ରମ ପୂର୍ବଭଳି ଚାଲୁ ରହିବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା