ଛତ୍ରପୁର(ସମୃଦ୍ଧ ଓଡିଶା)କୃଷକଙ୍କ ବିଭିନ୍ନ ସମସ୍ୟାନେଇ ଅନୁଧ୍ୟାନ କରିବା ସହ ସେମାନଙ୍କୁ ଆଧୁନିକ କୃଷି ପ୍ରଣାଳୀ ସମ୍ପର୍କରେ ଅବଗତ କରାଇବା, ବିଭିନ୍ନ ଉନ୍ନତି ମୂଳକ ପରାମର୍ଶ ଦେବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଜାନୁୟାରୀ ମାସ ଦ୍ୱିତୀୟାର୍ଦ୍ଧରେ ଛତ୍ରପୁରରେ ଏକ ବିରାଟ କୃଷକ ସମାବେଶ ଆୟୋଜନ କରିବାକୁ ଯାଉଛନ୍ତି । ଏଥିରେ ଜିଲ୍ଲାର ଏକଲକ୍ଷ କୃଷକ ଯୋଗଦେବାର ଆକଳନ କରାଯାଇଛି । ଦୁଇଦିନ ଧରି ଏହା ଛତ୍ରପୁର ପୁଲିସ ପଡିଆରେ ଆୟୋଜନ ହେବ । ଚାଷୀମାନଙ୍କୁ ପ୍ରଶିକ୍ଷିତ କରାଇବା ପାଇଁ ପ୍ରବୀଣ ତଥା ଦକ୍ଷ କୃଷି ବିଶେଷଜ୍ଞ ମାନଙ୍କୁ ଆମନ୍ତ୍ରିତ କରାଯିବ । ଯେଉଁମାନେ କୃଷିରେ ସଫଳ ହୋଇଛନ୍ତି ସେମାନଙ୍କ ସଫଳତାର ରହସ୍ୟ ଚାଷୀଙ୍କ ଆଗରେ ବଖାଣିବେ । ନିକଟସ୍ଥ ଷ୍ଟାଡିୟମ ପଡିଆରେ ଶହେଗୋଟି ଷ୍ଟଲ କରାଯିବ । ଷ୍ଟଲ ଗୁଡିକରେ ଆଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶିତ ହେବା ସହିତ ବୃହତ୍ତ ଆକୃତିର କୃଷି ଉତ୍ପାଦିତ ଦ୍ରବ୍ୟ ପ୍ରଦର୍ଶିତ ହେବ । କୃଷକମାନଙ୍କ ପାଇଁ ରିହାତି ଦରରେ ଚାଷୀମାନଙ୍କୁ ଯନ୍ତ୍ରପାତି ବିକ୍ରୟ କରାଯିବ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଚାଷୀ ଚିହ୍ନଟ ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବା ପାଇଁ କୁହାଯାଇଛି । ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ଏକଲକ୍ଷ ୨୯ ହଜାର ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଏହି ସଂଖ୍ୟାକୁ ଦୁଇଲକ୍ଷରୁ ଉଦ୍ଧ୍ୱର୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭାଗଚାଷୀ ପଞ୍ଜିକରଣକୁ ଅଧିକ ଧ୍ୟାନ ଦିଆଯିବ । ଯେଉଁ ଜମି ମାଲିକମାନେ ଚାଷ କରୁନାହାନ୍ତି ଏବଂ ପଞ୍ଜିକୃତ ହୋଇଛନ୍ତି ସେମାନଙ୍କୁ ବାଦ୍ ଦେବାପାଇଁ ସର୍ବସାଧାରଣରୁ ସୂଚନା ସଂଗ୍ରହ କରାଯିବ । ପ୍ରାଥମିକ ସେବା ସମବାୟ ସମିତି ମାନଙ୍କରେ ନାଲି ରଙ୍ଗର ବାକ୍ସ ରହିବ ଏବଂ ଏହି ସୂଚନା ସେଥିରେ ପକାଇବା ପାଇଁ ଅନୁରୋଧ କରାଯିବ । ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରୁ ଯେପରି ଚାଷୀ ଆସିପାରିବେ ସେଥିପାଇଁ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ସମବାୟ ସଂସ୍ଥା ଅଧିôକାରୀ ଓ ବ୍ଲକ ଉନ୍ନୟନ ଅଧିକାରୀମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସବ୍ୟସାଚି ହୋତା, ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ପୁର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅବନୀ କୁମାର ଦାଶ, କୃଷି ବିଭାଗ ଉପନିର୍ଦ୍ଦେଶକ ମନୋଜ କୁମାର ବେହେରା, ଡିଆର୍ସିଏସ୍ ସୁଶାନ୍ତ କୁମାର ପଣ୍ଡା, ଛତ୍ରପୁର ବିଡିଓ ସଚ୍ଚିଦାନନ୍ଦ ନାୟକ, ତହସିଲଦାର ନୀଳମାଧବ ଭୋଇ, ଜିଲ୍ଲା ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ସୁପକାର, ଆରଟିଓ ସଞ୍ଜୟ କୁମାର ବିଶ୍ୱାଳ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା