ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଜିକେଭଟ୍ଟର ହସ୍ପିଟାଲର ଡାକ୍ତରମାନେ ସେଠାରେ କାର୍ଯ୍ୟ ନ କରିବାର ନିଷ୍ପତ୍ତି ନେଇଥିବାରୁ ବାଲେଶ୍ୱର ସିଡିଏମ୍ଓ ମୋଟ ୮ଜଣ ଡାକ୍ତରଙ୍କୁ ବଦଳି କରିଥିବା ଜଣାଯାଇଛି । ଏଥିରେ ମେଡିକାଲ ଅଫିସର ଡା. ଗଣେଶ ଚନ୍ଦ୍ର ପାଳଙ୍କୁ ଭୋଗରାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଡା. ଉତ୍ତର କୁମାର ଦଣ୍ଡପାଟଙ୍କୁ ଜିକେଭଟ୍ଟର ଡାକ୍ତରଖାନାକୁ ବଦଳି କରାଯାଇଛି । ସେହିପରି ଜିକେଭଟ୍ଟର ଡାକ୍ତରଖାନାରୁ ସ୍ତ୍ରୀରୋଗ ବିଶେଷଜ୍ଞ ଡା. ଦିଲ୍ଲିପ କୁମାର ପାତ୍ରଙ୍କୁ ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସେଠାରୁ ଡା. ଅଜୟ କୁମାର ସାହୁଙ୍କୁ ଜିକେଭଟ୍ଟର ଡାକ୍ତରଖାନାକୁ ବଦଳି କରାଯାଇଛି । ସେହିପରି ଜିକେଭଟ୍ଟର ଡାକ୍ତରଖାନାରୁ ଡା. ବିନୋଦ କୁମାର ପ୍ରଧାନ ଓ ଡା. ସସ୍ମିତା ସିଂକୁ କମର୍ଦ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ କମର୍ଦ୍ଦାରେ କାର୍ଯ୍ୟରତ ୨ଜଣଙ୍କୁ ଜଳେଶ୍ୱର ବଦଳି କରାଯାଇଛି । ଏପରି ଜଣାଯିବା ପରେ ଜଳେଶ୍ୱର, ଭୋଗରାଇ, କମର୍ଦ୍ଦା ଓ ହାତୀଗଡ ଅଂଚଳର ନେତୃସ୍ଥାନୀୟ ବ୍ୟକ୍ତିମାନେ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଏପରି ବଦଳୀ ଅଧିକ ସମସ୍ୟା ସୃଷ୍ଟି କରିବ ବୋଲି ସେମାନେ ସୂଚନା ଦେଇଛନ୍ତି । ବରଂ ସିଡିଏମ୍ଓ ବାଲେଶ୍ୱର ସଦର ମୁଖ୍ୟ ଚିକିତ୍ସାଳୟରେ ଥିବା ଏଲ୍ଟିଆର୍ଏମ୍ଓ ଡାକ୍ତରମାନଙ୍କୁ ଜଳେଶ୍ୱର ଜିକେଭଟ୍ଟର କୁ ପଠାଗଲେ ସମସ୍ୟାର ସମାଧାନ ହେବ ବୋଲି ଆଜି ସମାଜ କଲ୍ୟାଣ ବିକାଶ ପରିଷଦ ପକ୍ଷରୁ ରାମଚନ୍ଦ୍ର ଜେନା ସିଡିଏମ୍ଓଙ୍କୁ ଅବଗତ କରାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା