ରାୟଗଡ଼ା (ସମୃଦ୍ଧ ଓଡିଶା) ଜିଲ୍ଲାକୁ କରୋନା ମହାମାରୀ ଠାରୁ ସୁରକ୍ଷିତ ରଖିବା ପାଇଁ ଜିଲ୍ଲାପାଳଙ୍କ ଆଖିରେ ନିଦ ନାହଁ । ରାତି ଅଧିଆ ସୀମାନ୍ତ ଚେକ ପୋଷ୍ଟ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା । ରବିବାର ବିଳମ୍ବିତ ସନ୍ଧ୍ୟାରେ ରାୟଗଡା ଓ ପଡୋଶୀ ରାଜ୍ୟ ଆନ୍ଧ୍ର ସୀମାନ୍ତ କେରେଡା ଗସ୍ତ କରିଥିଲେ ଜିଲ୍ଲାପାଳ ଶ୍ରୀ ବେହେରା ଓ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅମ୍ରିତ ଋତୁରାଜ ଓ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ । ଶ୍ରୀ ବେହେରା ଓ ତାଙ୍କ ଟିମ ଚେକ ପୋଷ୍ଟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଆନ୍ଧ୍ରପଟୁ ପ୍ରବାସୀ ଜିଲ୍ଲାରେ ଅବୈଧ ପ୍ରବେଶ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ଅନେକଙ୍କୁ ଉଦ୍ଧାର କରାଯାଇ ସଂଘରୋଧ କେନ୍ଦ୍ରରେ ରଖାଯାଇଥିଲା । ବାରମ୍ବାର ସୀମା ଡେଇଁ ରେଳ ଧାରଣା ଓ ବଣ ଜଙ୍ଗଲ ପାହାଡ ଦେଇ ପ୍ରବାସୀ ଜିଲ୍ଲାକୁ ବେଆଇନ ପ୍ରବେଶ କରିଥିବାରୁ ରେଳବାଇ ପୁଲିସ ପକ୍ଷରୁ ରେଳ ଧାରଣାରେ ଦୀର୍ଘ ୭୦କିମି ପରିମିତ ରେଳ ଧାରଣାରେ ପାଟ୍ରଲିଂ ଆରମ୍ଭ କରାଯାଇଥିଲା । ଆନ୍ଧ୍ର ପ୍ରଶାସନ ପ୍ରବାସୀଙ୍କୁ ସୀମା ପାର ହେବା ପାଇଁ ପ୍ରବର୍ତ୍ତାଉଥିବା ଉଦ୍ଧାର ହୋଇଥିବା ଶ୍ରମିକ ଅଭିଯୋଗ କଲା ପରେ ଏ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶର୍ବଣା ବିବେକ ଏମ ଅନ୍ଧ୍ର ପ୍ରଶାସନକୁ ଚିଠି ମାଧ୍ୟମରେ ଅବଗତ କରାଇଥିଲେ । କିନ୍ତୁ ଗତ କିଛି ଦିନରେ ପରିସ୍ଥିତି ଆୟତ ହୋଇଥିବାବେଳେ ରବିବାର ଜିଲ୍ଲାପାଳ ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ସୀମାନ୍ତ କେରେଡା ଯାଇ ସ୍ଥିତି ନିରୀକ୍ଷଣ କରିଛନ୍ତି । ଏହି ଗସ୍ତ ସମୟରେ ଆଞ୍ଚଳିକ ପରିବହନ ଅଧିକାରୀ ଦିଲୀପ କୁମାର ଦଳାଇ, ସ୍ଥାନୀୟ ତହସିଲଦାର ଉମା ଶଙ୍କର ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝି ଓ ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ