ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ : ଜିଲ୍ଲାକୁ ସଂକ୍ରମଣ ବିହୀନ କରିବା ପାଇଁ ଆହ୍ୱାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନେତୃତ୍ୱରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଜିଲ୍ଲାପାଳ କହିଛନ୍ତି ଯେ, କରୋନା ସଂକ୍ରମଣକୁ ସମ୍ପୂର୍ଣ୍ଣ ପ୍ରତିହତ କରିବା ପାଇଁ ଜୁନ୍ ମାସରେ ଅତ୍ୟଧିକ କଟକଣା ବଳବତ୍ତର କରାଯିବ । ବିନା ମାସ୍କରେ ବାହାରେ ବୁଲିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯିବ, ସବୁ ଦୋକାନୀ ଗରାଖଙ୍କର ବିବରଣୀ ଲିପିବଦ୍ଧ କରିବେ, ଦୋକାନରେ ସାମାଜିକ ଦୂରତ୍ବ ବଜାୟ ରଖିବେ, ଦୋକାନ ଆଗରେ ଗରାଖ ପାଇଁ ଗୋଲେଇ ଚିହ୍ନ କରିବେ, ଦୋକାନୀ ହ୍ୟାଣ୍ଡ ଗ୍ଳୋବ୍, ସାନିଟାଇଜର୍ ବ୍ୟବହାର କରିବେ । ଯଦି ଏହି ନିୟମ ଗୁଡିକୁ ଅବମାନନା କରାଯାଏ ତେବେ ଜୁନ୍ ମାସ ସାରା ଦୋକାନଗୁଡିକୁ ତାଲା ପକାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହାସହ ଗଞ୍ଜାମ ପାଇଁ ସନ୍ଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ ଘର ବାହାରକୁ ବାହାରିବା ନିଷେଧ କରାଯାଇଛି । ଶନିବାର, ରବିବାର ଜରୁରୀ ସ୍ୱାସ୍ଥ୍ୟ ସେବା ବ୍ୟତୀତ କେହି ବି ଘର ବାହାରକୁ ବାହାରିବେ ନାହିଁ ଯଦି କେହି ବାହାରକୁ ବାହାରନ୍ତି ତେବେ ତାଙ୍କୁ ଜେଲ ପଠାଯିବ, ଗାଡି ମଟର ରାସ୍ତାରେ ଗଡିବ ନାହିଁ । ପୂର୍ବରୁ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ସଂଗ୍ରହ କରି ରଖିବାକୁ ଜିଲ୍ଲାପାଳ ସମସ୍ତ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି । ଲୋକମାନେ ନିଜ ଘରେ ସଫଳତାର ସହିତ କ୍ଵାରେଣ୍ଟାଇନ୍ କଲେ ତାଙ୍କୁ ନିର୍ଦ୍ଧାରିତ ଅର୍ଥ ମିଳିବା ସହିତ ସାବାସୀ ପ୍ରଦାନ କରାଯିବ । ଅମାନ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ । ଆଗାମୀ ଦିନରେ ଜିଲ୍ଲାରେ ୧ଲକ୍ଷରୁ ଅଧିକ ଲୋକ ହୋମ୍ କ୍ଵାରେଣ୍ଟାଇନରେ ରହିବାକୁଥିବାରୁ ସେଥିପ୍ରତି କର୍ମଚାରୀମାନେ ଅଧିକ ସଜାଗ ରହିବାକୁ ଜିଲ୍ଲାପାଳ କହିଛନ୍ତି । ଯେଉଁ ଅଞ୍ଚଳରେ ଅଧିକ ଲୋକ କ୍ଵାରେଣ୍ଟାଇନରେ ଥିବେ ସେମାନଙ୍କ ସହିତ କୌଣସି ବାହାର ଲୋକ ମିଶି ପାରିବେ ନାହିଁ । ସେହି ଅଞ୍ଚଳର ସ୍ଥିତି ଲୋକଙ୍କୁ ସଚେତନ କରିବା ପାଇଁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯିବ । ୬୦ ବର୍ଷରୁ ଉର୍ଦ୍ଧ୍ବ ଲୋକମାନଙ୍କୁ ବାହାରେ ବୁଲିବା ନିଷେଧ କରାଯାଇଛି । ଅମାନ୍ୟ କଲେ କ୍ଵାରେଣ୍ଟାଇନରେ ରଖାଯିବ । କରୋନା ହଟସ୍ପଟରୁ କେହି ବି ଆସିଲେ ତାଙ୍କୁ ଅବିଳମ୍ବେ କ୍ଵାରେଣ୍ଟାଇନ୍ କରାଯିବ । ହୋଟେଲ, ପାର୍କ, କୋଚିଙ୍ଗ ସେଣ୍ଟର, ସାମାଜିକ ଉତ୍ସବ, ସାଂସ୍କୃତିକ ଉତ୍ସବ, ଧାର୍ମିକ ଉତ୍ସବ, ରାଜନୈତିକ ସମାରୋହ ବନ୍ଦ ରହିବ । ମନ୍ଦିର, ମସଜିଦ୍, ଗୀର୍ଜାକୁ ଯିବା ବାରଣ କରାଯାଇଛି । ଯେଉଁଠାରେ ଅଧିକ ଜନ ଗହଳି ହେଉଥିବ ସେଠାରୁ ସନ୍ଦେହ ହେଉଥିବା ଲୋକଙ୍କ ସ୍ୱାବ ପରୀକ୍ଷା କରିବା ପାଇଁ ପଠାଇ ଦିଆଯିବ । ସମସ୍ତ କଟକଣାରୁ କୃଷି କାର୍ଯ୍ୟକୁ ବାଦ୍ ଦିଆଯାଇଛି । କୌଣସି ସରକାରୀ କର୍ମଚାରୀ କରୋନାରେ କାର୍ଯ୍ୟ କରିବାକୁ ମନା କଲେ ସ୍ୱତନ୍ତ୍ର କ୍ଷମତା ବଳରେ ଜିଲ୍ଲାପାଳ ତାଙ୍କୁ ଜେଲ ହାଜତକୁ ପଠାଇ ଦେବେ ବୋଲି ସମସ୍ତ କର୍ମଚାରୀମାନଙ୍କୁ ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ, ଅମୀୟ କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଓଟିଡିସି ଏମ୍ ଡି. ହେମକାନ୍ତ ସାଏ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା