ଜିଲ୍ଲାର ବାର୍ଷିକ ଋଣ ଯୋଜନା ପୁସ୍ତିକା ଉନ୍ମୋଚିତ କଲେ ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲା ସାମୁହିକ ବ୍ୟାଙ୍କ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଚାଷୀଙ୍କ ପାଇଁ ବିଭିନ୍ନ ଋଣ ଯୋଜନା ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁ ନ ଥିବାରୁ ବୈଠକରେ ଜିଲ୍ଲାପାଳ କ୍ଷୋଭ ପ୍ରକାଶ କରିବା ସହ କୃଷି, ମତ୍ସ୍ୟ, ପଶୁ, ଉଦ୍ୟାନ ଆଦି ବିଭାଗର ଅଧୀନରେ ବିଭିନ୍ନ ଯୋଜନାରେ ଚାଷ କରିବାକୁ ଋଣ ପାଇବାରେ ଚାଷୀ କେତେ ଫଲପ୍ରଦ ହୋଇଛନ୍ତି ଏହାର ବିବରଣୀ ଦାଖଲ କରିବାକୁ ବ୍ୟାଙ୍କ ଅଧିକାରୀଙ୍କୁ ଜିଲ୍ଲାପାଳ କହିଥିଲେ । କୋଭିଡ-୧୯ ମହାମାରୀ ଯୋଗୁଁ ଦୁର୍ବଳ ହୋଇ ଯାଇଥିବା ଅର୍ଥନୀତିକୁ ସୁଧାର ଆଣିବା ପାଇଁ ବ୍ୟାଙ୍କ ମାନଙ୍କର ପ୍ରମୂଖ ଭୂମିକା ରହିଛି । ଜିଲ୍ଲାର ସବୁବର୍ଗର ଅଂଚଳବାସୀଙ୍କ ସମସ୍ତ କ୍ଷେତ୍ରରେ ଉପଯୁକ୍ତ ଋଣ ରିହାତି ସୁଧରରେ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ସମସ୍ତ ବ୍ୟାଙ୍କ ଗୁଡିକୁ ପରାମର୍ଶ ଦେଇଥିଲେ । ଏହାସହ କରୋନା ମୁକାବିଲା ନିମନ୍ତେ ସମସ୍ତେ ମାସ୍କ ପିନ୍ଧିବା, ସାନିଟାଇଜର କରିବା ଏବଂ ସାମାଜିକ ଦୂରତା ରହିବା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ କହିଥିଲେ । ବ୍ୟାଙ୍କକୁ ମାସ୍କ ନ ପିନ୍ଧି ଆସିଥିବା ଗ୍ରାହକ ମାନଙ୍କୁ ବ୍ୟାଙ୍କ ପକ୍ଷରୁ ମାସ୍କ ପ୍ରଦାନ କରିବାକୁ କୁହାଯାଇଛି । ଏହି ଅବସରରେ ୨୦୨୦-୨୧ ଆର୍ଥିକ ବର୍ଷ ଜିଲ୍ଲାର ବାର୍ଷିକ ଋଣ ଯୋଜନା ପୁସ୍ତିକାକୁ ଜିଲ୍ଲାପାଳ ଉନ୍ମୋଚିତ କରିଥିଲେ । ଏହି ବୈଠକରେ ଜିଏମ୍ ଡିଆଇସି ଅନାମ ଚରଣ ପାତ୍ର, ୟୁନିୟନ୍ ବ୍ୟାଙ୍କ ତଥା ଲିଡ୍ ବ୍ୟାଙ୍କ ଆବାହକ ଭୁବନେଶ୍ୱର ନାୟକ, ଏଲ୍‌ଡିଏମ୍ ଅଶୋକ କୁମାର ପଣ୍ଡା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାଶିନାଥ ଖୁଣ୍ଟିଆ, ଡିଆରସିଏସ୍ ବିଶ୍ୱରଞ୍ଜନ ଦାଶ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂସୁ ମହାରଣା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ମିଶନ ଶକ୍ତିର ସ୍ୱାସତ ସାହୁଙ୍କ ସମେତ ଜିଲ୍ଲାର ସରକାରୀ ଓ ବେସରକାରୀ ବ୍ୟାଙ୍କର ଅଧିକାରୀ ଏବଂ ଜିଲ୍ଲାର ସମସ୍ତ ଉନ୍ନୟନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା