ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଜିଲ୍ଲା ପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲା ପରିଷଦର ୫ମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନବନିର୍ବାଚିତ ଶେରଗଡ଼ ବ୍ଲକର ୫୮ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ର ଶପଥ ପାଠ କରିଥିଲେ । ଏହାପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ନୂତନ ବର୍ଷର ଅଭିନନ୍ଦନ ଜଣାଇ ସମସ୍ତ ବିଭାଗ ନିଜ ନିଜ ଭିତରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ବୈଠକରେ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରି ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଗୁଡ଼ିକ କହିବା ସହ ପିଠା ଓ କାଳିଆ ଯୋଜନା ଉପରେ କହିଥିଲେ । ସେହିପରି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇ ଗଞ୍ଜାମ ଜିଲ୍ଲା ପରିଷଦର ପଂଚମ ସାଧାରଣ ବୈଠକରେ ଯୋଗ ଦେଇଥିବା ସମସ୍ତଙ୍କୁ ଅଭିନନ୍ଦନ ସହ ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ ଯେ ଗଞ୍ଜାମ ଜିଲ୍ଲା ହେଉଛି ରାଜ୍ୟର ସର୍ବ ବୃହତମ ଜିଲ୍ଲା । ରାଜ୍ୟ ସରକାର ଯେକୌଣସି ଜନକଲ୍ୟାଣ ଯୋଜନା ପ୍ରଥମେ ଗଞ୍ଜାମ ଜିଲ୍ଲାରୁ ଶୁଭାରମ୍ଭ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷକମାନଙ୍କ ପ୍ରଗତିଶୀଳ ନିମନ୍ତେ କାଳିଆ ଯୋଜନା ଶୁଭାରମ୍ଭ କରି ସେମାନଙ୍କୁ ସହାୟତା ରାଶି ମଧ୍ୟ ପ୍ରଦାନ କରିଛନ୍ତି ଓ ରାଜ୍ୟ ସରକାର ୪୮ ଲକ୍ଷ ହିତାଧିକାରୀଙ୍କ ଭତା ବୃଦ୍ଧି କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ପ୍ରତ୍ୟେକ ବର୍ଷ ପ୍ରାକୃତି ବିପର୍ଯ୍ୟୟରେ ସମ୍ମୁଖୀନ ହୋଇଆସୁଅଛି । ଗତ ତିତଲି ବାତ୍ୟାରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଏହାର ମୁକାବିଲା କରି ଲୋକମାନଙ୍କୁ କ୍ଷତିପୂରଣ ସହାୟତା ଉଚିତ ଭାବେ ପ୍ରଦାନ କରିଛନ୍ତି । ଗତ ୨୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ପଡ଼ିଆଠାରେ ଏକ ଚାଷୀ ସମାବେଶରେ ଯୋଗଦେଇ ଗଞ୍ଜାମ ଜିଲ୍ଲା ପାଇଁ ୧ହଜାର କୋଟିରୁ ଉର୍ଦ୍ଧ୍ୱ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ତାହାକୁ ଖୁବ୍ ଶୀଘ୍ର ଆରମ୍ଭ କରିବା ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ କହିଥିଲେ । ଚଳିତ ବର୍ଷ ଜିଲ୍ଲାରେ ୩୪ଟି ବିଜୁ ସେତୁ ନିର୍ମାଣ ନିମନ୍ତେ ଟେଣ୍ଡର କାର୍ଯ୍ୟ ସରିଯାଇଛି । ଏହାର କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ମନ୍ତ୍ରୀ ଶ୍ରୀ ଆରୁଖଙ୍କୁ କହିଥିଲେ । ଏହାପରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯୋଗଦେଇ କହିଥିଲେ ମୁଖ୍ୟମନ୍ତ୍ରୀ ଯେଉଁ କାଳିଆ ଯୋଜନା ଶୁଭାରମ୍ଭ କରିଛନ୍ତି ତାହା ଦ୍ୱାରା ଲକ୍ଷ ଲକ୍ଷ କୃଷକମାନେ ଉପକୃତ ହୋଇପାରିବେ ଓ ଏହି ଯୋଜନା ଭାରତ ବର୍ଷରେ ସ୍ୱତନ୍ତ୍ର ଯୋଜନା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ବିଜୁ ପକ୍କା ଘର ଠାରୁ ଆରମ୍ଭ କରି ରାଜ୍ୟ ସରକାର ବିଭିନ୍ନ ଜନହିତକର ଯୋଜନା ଗୁଡ଼ିକ କରିଛନ୍ତି । ବିଜୁ ପକ୍କାଘର ଯୋଜନାରେ ଗଞ୍ଜାମ ଜିଲ୍ଲା ପୁରସ୍କୃତ ହୋଇଛି ବୋଲି ଯୋଜନା କମିଟିର ଅଧ୍ୟକ୍ଷ କହିଛନ୍ତି ।
ସେହିପରି ଗଞ୍ଜାମ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ନେହଲତା ପଣ୍ଡା କହିଥିଲେ ରାଜ୍ୟ ସରକାର ଚାଷୀମାନଙ୍କ ପ୍ରତି ସବୁବେଳେ କାର୍ଯ୍ୟ କରି ଆସୁଛନ୍ତି । କୃଷକମାନଙ୍କ ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଚାଷର ଜ୍ଞାନ କୌଶଳ ନିମନ୍ତେ ଛତ୍ରପୁର ଠାରେ ତିନି ଦିନିଆ ଜିଲ୍ଲାସ୍ତରୀୟ କୃଷକ ପ୍ରଦର୍ଶନୀ ଚାଲିଛି । ଯାହାଦ୍ୱାରା ଚାଷୀମାନେ ସଚେତନ ହୋଇ ବିଭିନ୍ନ ପ୍ରକାର ଚାଷ କରିପାରିବେ । ଏହି ବୈଠକରେ କୃଷି ଓ ସମବାୟ, ସମାଜ ମଙ୍ଗଳ, ଶିକ୍ଷା, ସାଧାରଣ ବଂଟନ ବ୍ୟବସ୍ଥା, ଗ୍ରାମାଂଚଳ ଗୃହ ଯୋଗାଣ, ମହାତ୍ମାଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ସ୍ୱାସ୍ଥ୍ୟ, ରାସ୍ତା ଓ କୋଠାବାଡ଼ି ସମେତ ବିଭିନ୍ନ ଅନ୍ୟାନ୍ୟ ବିଭାଗର ଆଲୋଚନା କରାଯାଇଛି । ମୁଖ୍ୟତଃ ଗଞ୍ଜାମ ଜିଲ୍ଲାରେ ଧାନ କ୍ରୟ ସମ୍ବନ୍ଧରେ ସଭ୍ୟମାନେ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରରେ ବାକି ରହିଥିବା ହିତାଧିକାରୀମାନଙ୍କୁ ତୁରନ୍ତ ପଡ଼ି କାର୍ଡ଼ ବଂଟନ କରିବା ନିମନ୍ତେ ଅଧିକାଂଶ ସଭ୍ୟମାନେ କହିଥିଲେ ।
ସେହିପରି ଜିଲ୍ଲାରେ ଶୀତଳଭଣ୍ଡାରର ବ୍ୟବସ୍ଥା, ସମସ୍ତ ବ୍ଲକରେ ବିଭିନ୍ନ ଭତା ପ୍ରଦାନ କରିବା, ଜିଲ୍ଲାରେ ସମସ୍ତ ମେଡ଼ିକାଲରେ ଡ଼ାକ୍ତର ଅଭାବ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ସଫଳ ରୂପାୟନ ରୂପେ ଜିଲ୍ଲାରେ କାର୍ଯ୍ୟ କରିବା ନିମନ୍ତେ ଆସିକା ସାଂସଦ ଲଡ଼ୁ କିଶୋର ସ୍ୱାଇଁ, ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ବିଧାୟକ ଡ. ପ୍ରିୟାଂଶୁ ପ୍ରଧାନ, ଖଲିକୋଟ ବିଧାୟକ ଡ଼. ପୂର୍ଣ୍ଣଚନ୍ଦ୍ର ସେଠୀ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡି, ଗଞ୍ଜାମ ଜିଲ୍ଲାପାଳଙ୍କୁ କହିଥିଲେ । ଏହି ଯୋଜନାରେ ପ୍ରକୃତ ହିତାଧିକାରୀମାନେ ସମସ୍ତ ମେଡ଼ିକାଲରେ ମାଗଣା ଚିକିତ୍ସାର ସୁବିଧା ପାଇପାରିବେ ସେନେଇ ଧ୍ୟାନ ଦେବା ନିମନ୍ତେ ମଧ୍ୟ କହିଥିଲେ । ଗଞ୍ଜାମ ଜିଲ୍ଲା ପରିଷଦ ଗୃହରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଜିଲ୍ଲାର ପ୍ରତ୍ୟେକ ଗ୍ରାମଂଚଳରେ ବ୍ୟାପକ ପ୍ରଚାର ପ୍ରସାର କରିବା ନିମନ୍ତେ ସ୍ଥିର କରାଯିବା ସହ ଏଥିରେ ସାମିଲ ଥିବା ହିତାଧିକାରୀମାନଙ୍କ କାର୍ଡ଼ ପ୍ରଦାନ ନିମନ୍ତେ ଗୃହରେ ଗୃହିତ କରାଯାଇଥିଲା ।
ସେହିପରି ଦିଗପହଣ୍ଡି ବ୍ଲକ୍ ଅଧ୍ୟକ୍ଷ ବିପିନ୍ ପ୍ରଧାନ ଅଭିଯୋଗ କରିଥିଲେ ଯେ, ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀମାନଙ୍କ ପାଇଁ ଯେଉଁ ଚାଉଳ ବସ୍ତା ଆସୁଛି ତାହା ଠିକ୍ ଓଜନ ନଥିବା କହିଛନ୍ତି । ବସ୍ତାରେ ୧୦କେଜିରୁ କମ୍ ଚାଉଳ କମ୍ ଆସୁଥିବା ସେ ଅଭିଯୋଗ କରିଥିଲେ । ଏହାକୁ ଜିଲ୍ଲା ପ୍ରଶାସନ ତଦନ୍ତ କରିବା ନିମନ୍ତେ କହିଥିଲେ । ସେହିପରି ଜିଲ୍ଲାରେ ୨୨ଟି ବ୍ଲକରୁ ୨୧ ଟି ବ୍ଲକରେ ଆଦର୍ଶ ବିଦ୍ୟାଳୟ ଚାଲିଥିବା ବେଳେ ଆସନ୍ତା ବର୍ଷରେ ଭଞ୍ଜନଗରରେ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟ ଶେଷ ହୋଇ ଖୋଲାଯିବ ବୋଲି ଜିଲ୍ଲା ଶିକ୍ଷାଅଧିକାରୀ ସନାତନ ପଣ୍ଡା କହିଛନ୍ତି । ସେହିପରି ମୋ, ସ୍କୁଲ ଅଭିଯାନ, ତଳେ ବସିବାକୁ ନାଁ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ବୋଲି ଶ୍ରୀ ପଣ୍ଡା କହିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡ଼ିଆରଡ଼ିଏ ପିଡ଼ି ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ , ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ କୁମାର ମହାପାତ୍ର, ଚିକିଟି ବିଧାୟିକା ତଥା ମନ୍ତ୍ରୀ ଉଷା ଦେବୀଙ୍କ ପ୍ରତିନିଧି ବି. କୃଷ୍ଣମୃର୍ତି, ବ୍ରହ୍ମପୁର ସାଂସଦ ପ୍ରତିନିଧି ସୁଧୀର ରାଉତ, ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ, ଡ଼ିଆରଡ଼ିଏ ଏପିଡ଼ି ପ୍ରିୟରଞ୍ଜନ ପୃଷ୍ଟିଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ବ୍ଲକ୍ ଅଧ୍ୟକ୍ଷ, ଅଧ୍ୟକ୍ଷା ଓ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା