


ଗୋପାଳପୁର (ସମୃଦ୍ଧ ଓଡିଶା) ଦକ୍ଷିଣ ଓଡ଼ିଆର ଏକ ପରିଚିତ ପର୍ଯ୍ୟଟନ ସ୍ଥଳୀ ଗୋପାଳପୁର । ଯେଉଁଠିକି ପ୍ରତ୍ୟକ ଦିନ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମେ । ବେଳାଭୂମିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଛୁଟିରେ ଆସୁଛନ୍ତି ପର୍ଯ୍ୟଟକ । ତେବେ ବେଳାଭୂମି ପରିସରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବାରୁ ବାହାରୁ ଆସୁଥିବା ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରୁଛନ୍ତି । ତେବେ ଏଭଳି ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳିକୁ ସ୍ୱଚ୍ଛ ଓ ସୁନ୍ଦର କରିବା ସହ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ମୋ ଗୋପାଳପୁର ଅଭିଯାନ । ଏହି ଅଭିଯାନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହାପରେ ଅଭିଯାନ ମାଧ୍ୟମରେ ବେଳାଭୂମିର ଚାରି ପାଖରେ ଦୀର୍ଘ ଦିନ ଧରୀ ପଡିରହିଥିବା ପ୍ଲାଷ୍ଟିକ ଓ ପୋଲିଥିନ ଭଳି ଅଳିଆ ଆବର୍ଜନାକୁ ସଫା କରାଯାଇଥିଲା । ଏହାସହ ବେଳାଭୂମି ପରିସରକୁ ପ୍ଲାଷ୍ଟିକ ମୁକ୍ତ କରିବା ସହ ସୁନ୍ଦର ବେଳାଭୂମି ଗଢି ତୋଳିବାକୁ ସାଧାରଣ ଲୋକଙ୍କୁ ଏହି ଅଭିଯାନ ମାଧ୍ୟମରେ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପାଣ୍ଡା, ଛତ୍ରପୁର ବିଧାୟକ ସୁବାସ ବେହେରା, ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଅତିରିକ୍ତ ଜିଲ୍ଲାପାଳ, ଗୋପାଳପୁର ଏନଏସି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହାସହ ବ୍ରହ୍ମପୁର ସହରରେ ଦୀର୍ଘ ଦିନ ଧରି ଚାଲିଥିବା ଟିମ କ୍ଲିନ ସିଟି ଅଭିଯାନ ସଦସ୍ୟ, ଗୋପାଳପୁରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ବହୁ ସାଧାରଣ ଜନତା ଏହି ବେଳାଭୂମି ସଫେଇ ଅଭିଯାନରେ ସାମିଲ ହୋଇଥିଲେ । ଏହି ଅବସରରେ ଗୋପାଳପୁର ବିଧାୟକ ଡ଼. ପ୍ରଦୀପ ପାଣିଗ୍ରାହୀ ଯୋଗଦେଇ ପର୍ଯ୍ୟଟନ ଓ ସଂସ୍କୃତିର ଉନ୍ନତି ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା











