ବ୍ରହ୍ମପୁର (ସମୃଦ୍ଧ ଓଡିଶା) କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ଅପହରଣ ପରେ ହତ୍ୟା କରାଯିବା ଘଟଣାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ସହ ବହିଷ୍କାର ଦାବିରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଏସପି ଅଫିସ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭର ଚିତ୍ର ହିଁ ବୟାନ କରୁଛି ଏହା ମେହେରଙ୍କୁ ନ୍ୟାୟ ଦେବ ପାଇଁ ପ୍ରତିବାଦ ନା ଦଳକୁ ମଜଭୁତ କରିବା ପାଇଁ ରାଜନୀତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯୁବ ମୋର୍ଚ୍ଚା ସଭାପତି ଏଲ.ମୋହନ ଦାସଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନାଙ୍କ ତତ୍ତ୍ୱାବଧାନରେ ଆଜି ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ଏବଂ ସିବିଆଇ ତଦନ୍ତ ଦାବିରେ ଏକ ହାଜରରୁ ଉର୍ଦ୍ଧ୍ବ ବିଜେପି କର୍ମୀ ସ୍ଥାନୀୟ ହିଲ ପାଟଣା ଗଣେଷ ମନ୍ଦିର ଠାରୁ ଏକ ବିରାଟ ରାଲିରେ ବାହାରି ବ୍ରହ୍ମପୁର ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିବା ସହ ପୋଲିସ କର୍ମୀଙ୍କୁ ପଥର, ଅଣ୍ଡା ଓ ଟମାଟ, ଚପଲ ମାଡ଼ କରିଥିଲେ ଆନ୍ଦୋଳନକାରୀମାନେ । ୬ ପ୍ଲାଟୁନ ପୋଲିସ ଉପସ୍ଥିତରେ ଆନ୍ଦୋଳନକାରୀ ମାନେ ଏସପି ଅଫିସ ମଧ୍ୟକୁ ଧସେଇ ପଶିବା ବେଳେ ପୋଲିସ କର୍ମଚାରୀ ଓ ଆନ୍ଦୋଳନ କାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଥିଲା । ଏଥିରେ ଏଚଆର୍ ପିସି ଡ଼ିଏସପି ନିରଞ୍ଜନ କୁମାର ଧୀରଙ୍କ ମୁଣ୍ଡ ଫାଟିଥିବା ବେଳେ, ଟାଉନ ଏସଡ଼ିପିଓ ବିଷ୍ଣୁ ପ୍ରସାଦ ପତି, ଏସଆଇ ବିଭୂତି ଭୂଷଣ ସେଠି, କନେଷ୍ଟବଳ ଚିନ୍ମୟ ମହାପାତ୍ର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସା ହୋଇ ଘରକୁ ଫେରିଥିବା ସୂଚନା ରହିଛି । ଇତିମଧ୍ୟରେ ଆନ୍ଦୋଳନକାରୀ ଏବଂ ପୋଲିସ ମଧ୍ୟରେ ଦସ୍ତା ଧସ୍ତି ହୋଇଥିବା ଦେଖିବାକୁ ମିଳିଥିଲା । ଏଠାରେ ଭିଡ଼ିଓ ରେକଡିଂ କରୁଥିବା କ୍ୟାମେରା ମ୍ୟାନ୍ ଶୁଭେନ୍ଦୁ ସାହୁ ମଧ୍ୟ ଆହତ ହୋଇ ଡ଼ାହାଣ ହାତ ଭାଙ୍ଗି ଯାଇଥିବା ଜଣାପଡିଛି । ଅନ୍ୟପଟେ ବିଜେପିର ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ସିଦ୍ଧାର୍ଥ ଗଙ୍ଗଦେବ, ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁଜିତ୍ କୁମାର ନାୟକ ଆହତ ହୋଇଥିବା ଜଣାପଡିଛି । ପରେ ଏସପି ପିନାକ ମିଶ୍ରଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ। ମନ୍ତ୍ରୀ ମିଶ୍ରଙ୍କ ସହଯୋଗୀ ଗୋବିନ୍ଦ ସାହୁଙ୍କ ସିଧାସଳଖ ସଂପୃକ୍ତିରେ ହିଁ ଏହି ଜଘନ୍ୟ କାଣ୍ଡ ଘଟିଛି । ଏଥିରେ ସିଧାସଳଖ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଜାଣତରେ ହୋଇଥିବା ଭାରତୀୟ ଜନତା ପାର୍ଟି ଅଭିଯୋଗ କରିଛି । ତେଣୁ ତୁରନ୍ତ ଶ୍ରୀ ମିଶ୍ରଙ୍କୁ ସିବିଆଇ ତଦନ୍ତ ପରିସରଭୁକ୍ତ କରିବା ସହ ଗିରଫ ଦାବି କରିଛି ଜିଲ୍ଲା ବିଜେପି । ଏହି ପରିପ୍ରେକ୍ଷୀରେ ପୋଲିସ ଉପରେ ହୋଇଥିବା ଚପଲ ମାଡ଼, ଅଣ୍ଡାମାଡ଼, ପଥର ମାଡ଼କୁ ଅନୁଧ୍ୟାନ କରାଯିବ ବୋଲି ବ୍ରହ୍ମପୁର ଏସପି ପିନାକ ମିଶ୍ର କହିଛନ୍ତି । ଆଜିର ଏହି ଆନ୍ଦୋଳନରେ ରାଜ୍ୟ ଉପସଭାପତି ଭୃଗୁବକ୍ସି ପାତ୍ର, ରାଜ୍ୟ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଓମ୍ ପ୍ରକାଶ ମିଶ୍ର, ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର, ଗଞ୍ଜାମ ଜିଲ୍ଲା ଯୁବ ମୋର୍ଚ୍ଚା ପ୍ରଭାରୀ ନିଳାଦ୍ରୀ ପାତ୍ର, ମନୋରଞ୍ଜନ ଦ୍ୟାନସାମନ୍ତରା, ପ୍ରଶାନ୍ତ କର, ଶରତ କୁମାର ସାହୁ, ସରୋଜ ସାବତ, ମହନ୍ତ ଚିନ୍ମୟାନନ୍ଦ ମହାରାଜ, ସୁଜିତ ନାୟକ, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ, ଶିବ ଶଙ୍କର ଶତପଥ, ଗଙ୍ଗାଧର ଶତପଥ, ଉପସଭାପତି ମନୋଜ ପଟ୍ଟନାୟକ, ରାମ କୁମାର ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ସୁନିଲ କୁମାର ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୁବାଷିନୀ ପଟ୍ଟନାୟକ, ମୀନା ଦ୍ୟାନସାମନ୍ତରା, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଏସ୍.ରାଣୀ, ଉପସଭାନେତ୍ରୀ ନମିତାରାଣୀ ପଣ୍ଡା, ପ୍ରଦୀପ ଶତପଥ, ପି.କରୁଣାକର, ଗୋପୀନାଥ ପଣ୍ଡା, ପରେଶ ରଥ,କିରଣ ସାହୁ, ମଧୁସୂଦନ ସାହୁ, ଜଗଦୀଶ ପ୍ରଧାନ, ସୁମିତ ପାତ୍ର, ଶିବଶଙ୍କରନାୟକଙ୍କ ସହ ବହୁ ବିଜେପି କର୍ମୀ ବିକ୍ଷୋଭରେ ଅଂଶ ଗ୍ରହଣ କରିଥିଲେ । ସୁରକ୍ଷା ଦୃଷ୍ଟିରୁ ୬ପ୍ଲାଟୁନ୍ ଫୋର୍ସ, ୧୦ଜଣ ଇନ୍ସପେକ୍ଟର, ୫ଜଣ ଡିଏସ୍ପି, ୨ଜଣ ଏଏସପି ନିୟୋଜିତ ହୋଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା