ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ମଣ୍ଡଳ ଶିକ୍ଷା ଅଧିକାରୀ, ସମସ୍ତ ଗୋଷ୍ଠୀ ଶିକ୍ଷା ସଂଯୋଜକ ଓ ସମଗ୍ର ଶିକ୍ଷାର ସମସ୍ତ କର୍ମକର୍ତ୍ତା, ସମସ୍ତ ବ୍ଲକ ଯୋଜନା ସଂଯୋଜକ ଓ SATH-E team ତରଫରୁ ଶ୍ରୀମତୀ ତେଜସ୍ୱିନୀ ପାଣିଗ୍ରାହୀ ଉପସ୍ଥିତ ରହିଥିଲେ । ସୂଚନା ଅନୁଯାୟୀ ତା ୧୪.୧୧.୧୯ ରୁ ୧୬.୧୧.୧୯ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ବିଭାଗର ନିରନ୍ତର ଓ ସାମଗ୍ରିକ ଉନ୍ନତି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ଶିକ୍ଷା ଅଧିକାରୀ ପୁରସ୍କାରର ସମସ୍ତ ଶ୍ରେୟ ସମସ୍ତ ଅଂଶୀଦାର ମାନଙ୍କୁ ଦେବା ସହ ଶିକ୍ଷା ବିଭାଗର ଉନ୍ନତି ପାଇଁ ଆଗାମୀ ଦିନରେ ଏହି ପ୍ରକାରର ପ୍ରୟାସ ବଜାୟ ରଖିବାକୁ ଅନୁରୋଧ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଏପ୍ରିଲ ମାସ ଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବିଗତ ଛଅ ମାସ ଧରି SATH-E team ତରଫରୁ କରାଯାଉଥିବା ସର୍ବେକ୍ଷଣ ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ୧ ନମ୍ବର ସ୍ଥାନ ହାସଲ କରିଥିବା ବେଳେ ଅକ୍ଟୋବର ମାସରେ ସମଗ୍ର ରାଜ୍ୟରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି । ଏହି ସଫଳତା ପାଇଁ ଜିଲ୍ଲାପାଳ ଖୁସି ବ୍ୟକ୍ତ କରିବା ସହିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆଗାମୀ ଦିନରେ ଏହି ପ୍ରକାରର ଦଳଗତ ପ୍ରୟାସ ଜାରି ରଖିବାକୁ ଓ ପୁଣି ଥରେ ପ୍ରଥମ ସ୍ଥାନ ଅଧିକାର କରିବାକୁ ଆହ୍ୱାନ ଜଣାଇଥିଲେ । ଜିଲ୍ଲାପାଳ ଏ ଦିଗରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରି ଯେଉଁ ମାପକ ଗୁଡିକରେ ଜିଲ୍ଲା ତଥା ବ୍ଲକର ମାନ କମ ରହୁଛି ସେଗୁଡିକର ବ୍ଲକ ୱାରୀ ସମୀକ୍ଷା କରିବା ସହିତ କିପରି ଏହାର ମାନ ଉନ୍ନତ କରାଯାଇ ପାରିବ ସେଥିପ୍ରତି ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ । ସେହିପରି ଜୁନରୁ ଅକ୍ଟୋବର ମାସ ମଧ୍ୟରେ ସବୁ ମାପକର ହାରାହାରି ସଫଳତା ଭିତ୍ତିରେ ପରଜଙ୍ଗ ଓ ସଦର ବ୍ଲକକୁ ପୁରସ୍କୃତ କରାଯାଇଥିଲା । ଗାରିମା ତାମ୍ର ପୁରସ୍କାର ପାଇଁ କାମାକ୍ଷା ନଗର ବ୍ଲକର ସର୍ବାଧିକ ବିଦ୍ୟାଳୟ ମନୋନିତ ହୋଇଥିବାରୁ ସେହି ବ୍ଲକକୁ ପୁରସ୍କୃତ କରାଯାଇଥିଲା । ଆସନ୍ତା ମାସ ଠାରୁ ପ୍ରଥମ ସ୍ଥାନରେ ରହୁଥିବା ୩ ଗୋଟି ବ୍ଲକକୁ ପ୍ରଶଂସା ପତ୍ର ଓ ଟ୍ରଫି ଦେବା ସହିତ ଶେଷ ସ୍ଥାନରେ ରହୁଥିବା ୩ ଗୋଟି ବ୍ଲକକୁ କାରଣ ଦର୍ଶାଅ ନୋଟିସ ଜାରି କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଅଧୀନରେ ଶତ ପ୍ରତିଶତ ବିଦ୍ୟାଳୟ ଗୁଡିକରେ ବିଦ୍ୟୁତ ସଂଯୋଗୀକରଣ, ଶୌଚାଳୟର ପରିଚ୍ଛନ୍ନ ପରିଚ୍ଛନ୍ନତା, ଆଧାର ପଞ୍ଜୀକରଣ, ଦ୍ଵିତୀୟ ପର୍ଯ୍ୟାୟ ଗାରିମା ତାମ୍ର ଏବଂ ରୌପ୍ୟ ଆକଳନରେ ସମସ୍ତ ବ୍ଲକ କିପରି ଭଲ ପ୍ରଦର୍ଶନ କରିବେ, ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କର ନିରନ୍ତର ଉପସ୍ଥାନ କିପରି ଉନ୍ନତ କରାଯାଇପାରିବ, ଏ ସବୁ ଦିଗରେ ଯଥାବିଧି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ମଣ୍ଡଳ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ଶିକ୍ଷା ସଂଯୋଜକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି