ଜି.କେ ଭଟ୍ଟର ହସ୍ପିଟାଲ ଘଟଣାର ସିଡିଏମ୍ଓଙ୍କ ପ୍ରତିଶୃତି ପାଣିର ଗାର,କାର୍ଯ୍ୟରେ ଯୋଗଦେଇ ନାହାନ୍ତି ଡାକ୍ତର ଓ କର୍ମଚାରୀ : ରୋଗୀସେବା ଠପ୍…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ବାଳକର ମୃତ୍ୟୁକୁ ନେଇ ଘଟିଥିବା ତୁମୁଳକାଣ୍ଡପରେ ପ୍ରଶାସନ ସ୍ୱାଭାବିକ କାର୍ଯ୍ୟ ପରିଚାଳନା ହେବ ବୋଲି ଜଳେଶ୍ୱର ସୋସିଆଲ ଫୋରମକୁ ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା ଆଜି ସଂଧ୍ୟା ସୁଦ୍ଧା କାର୍ଯ୍ୟରେ ପରିଣତ ହୋଇ ନାହିଁ । ଫଳରେ ଆଜି ଦିନ ତମାମ ଶହ ଶହ ରୋଗୀ ଚିକିତ୍ସା ନ ପାଇ ଫେରିଥିବା ବେଳେ ଶିଶୁ ମାନଙ୍କୁ ଟିକାକରଣ କାର୍ଯ୍ୟ ମଧ୍ୟ ହୋଇ ପାରିନାହିଁ । ମାତ୍ର ଅଦ୍ୟାବଧି ଏହି ଘଟଣାରେ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗତ ଶୁକ୍ରବାର ସକାଳେ ଜଳେଶ୍ୱରର ବହୁ ବୁଦ୍ଧିଜିବୀ ଜିକେ ଭଟ୍ଟର ହସ୍ପିଟାଲରେ ରୋଗୀସେବା କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ ଲାଗି ହସ୍ପିଟାଲ ଆଗରେ ଧାରଣାରେ ବସିଥିବା ବେଳେ ବାଲେଶ୍ୱର ସିଡିଏମ୍ଓ ଡା. କମଳାକାନ୍ତ ନାୟକ ଶୁକ୍ରୁବାର ସଂଧ୍ୟାରୁ ଡାକ୍ତରଖାନା ସ୍ୱାଭାବିକଭାବେ କାର୍ଯ୍ୟକରିବାର ପ୍ରତିଶୃତି ଦେଇଥିଲେ । ଅନ୍ୟପକ୍ଷରେ ଅତିରିକ୍ତ ଏସ୍ପି ଜଣେ ଏଏସ୍ଆଇ ସହିତ ୪ଜଣ କନେଷ୍ଟବଳ ଉପସ୍ଥିତ ରହି ସୁରକ୍ଷା ଯୋଗାଇଦେବେ ବୋଲି ପ୍ରତିଶୃତି ହେଇଥିଲେ ମଧ୍ୟ ଆଜି କୌଣସି ଡାକ୍ତର ହସ୍ପିଟାଲକୁ ଆସିନଥିଲେ । ଫଳରେ ସମସ୍ତ ରୋଗୀ ସେବା ବନ୍ଦ ହୋଇ ଯାଇଛି । ଜିକେଭଟ୍ଟର ଜଳେଶ୍ୱର, ଭୋଗରାଇ ଅଂଚଳର ରେଫେରାଲ ୟୁନିଟ୍ ହୋଇଥିବାରୁ ଏବଂ ପଶ୍ଚିମବଂଗର ଉପାନ୍ତ ଗ୍ରାମବାସୀ ଏଠାରୁ ସ୍ୱାସ୍ଥ୍ୟ ସୁବିଧା ପାଇଆସୁଥିଲା ବେଳେ ଆଜି ଶହ ଶହ ରୋଗୀ ନିରାଶ ହୋଇ ଫେରିଛନ୍ତି । ଏପରିକି ସପ୍ତାହର ଗୋଟିଏ ଦିନ ଶିଶୁ ମାନଙ୍କୁ ଟିକାକରଣ କରାଯିବାର ଦିନଧାର୍ଯ୍ୟ ଥିଲେ ମଧ୍ୟ ତାହା ହୋଇ ପାରିନାହିଁ । ଫଳରେ କେବଳ ରୋଗୀମାନଙ୍କର ନୁହେଁ ଜଳେଶ୍ୱର ବୁଦ୍ଧିଜିବୀଙ୍କ ମହଲରେ ଗଭୀର କ୍ଷୋଭ ପ୍ରକାଶ ପରିଲକ୍ଷିତ ହୋଇଛି । ଆସନ୍ତା ରବିବାର ସୁଦ୍ଧା ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାନଗଲେ ସୋମବାର ଠାରୁ ଓମ୍ସାର ଡାକରାରେ ଡାକ୍ତରମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଓମ୍ସାର ସିଦ୍ଧାନ୍ତକୁ ଡା. ଗଣେଶ ଚନ୍ଦ୍ର ପାଳ ସାମ୍ବାଦିକ ମାନଙ୍କ ଉତ୍ତରରେ କହିଛନ୍ତି । ଅନ୍ୟପକ୍ଷରେ ଥାନାରେ ୩ଟି ମାମଲା ରୁଜୁ ହୋଇଥିବା ବେଳେ ସେଥିରୁ ଜିକେ ଭଟ୍ଟୀର ହସ୍ପିଟାଲରେ ୬ଲକ୍ଷରୁ ଅଧିକ ଓ ଡାକ୍ତର ଗଣେଶ ଚନ୍ଦ୍ର ପାଳଙ୍କ ବାସଭାବନରେ ୧୫ଲକ୍ଷ ଟଙ୍କାରୁ ଅଧିକ କ୍ଷତି ହୋଇଥିବାର ଅଭିଯୋଗ ହୋଇଛି । ଡାକ୍ତରଖାନାରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାକୁ ଜଳେଶ୍ୱର ଅଂଚଳର ସମସ୍ତ ବୁଦ୍ଧିଜିବୀ, ସମାଜସେବୀ ସବୁ ରାଜନୈତିକ ଦଳର ନେତୃସ୍ଥାନୀୟ ବ୍ୟକ୍ତି ନିବେଦନ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡ଼ା