ଜଳେଶ୍ୱର (ସମୃଦ୍ଧ ଓଡିଶା) ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲା ଅନ୍ତର୍ଗତ ବାଲିଚକ ଅଂଚଳରୁ ଆସି ଜଳେଶ୍ୱରର ନୂଆବଜାର ନିକଟ ରେଳଲାଇନ୍ କଡରେ ଘର କରି ସାପଧରି ତାକୁ ଖେଳାଇ ଦି ପାଇସା ରୋଜଗାର କରୁଥିବା ଜଣେ କେଳାର ଆଜି ସର୍ପଦଂଶନରେ ମୃତ୍ୟୁ ଘଟିଛି । ଦୀର୍ଘ ୫ବର୍ଷ ଧରି ଜଳେଶ୍ୱରରେ ରହି ବିଭିନ୍ନ ଅଂଚଳରୁ ବିଷଧର ସାପଗୁଡିକୁ ଧରି ତାକୁ ପେଡିରେ ରଖି ବିଭିନ୍ନ ସ୍ଥାନରେ ଖେଳାଇ ଅର୍ଥ ଉପାର୍ଜନ କରି ସ୍ୱାମୀ ସ୍ତ୍ରୀ ଚଳି ଆସୁଥିଲେ । ଗତ କିଛିଦନିନ ଧରି ତା ନିକଟରେ ଏକ ବିଶାକ୍ତ କଳାନାଗ (ତମ୍ପ) ଧରି ରଖିଥିବା ବେଳେ ଆଜି ଏକ ଗୋଖର ଧରିବାଲାଗି ଚମାରଦିଘୀ ଅଂଚଳକୁ ଯାଇଥିଲା । ରଂଜନ ନାୟକ (୬୦) ସାପ ଖେଳାଇ ନିଜର ଗୁଜୁରାଣ ମେଣ୍ଟାଇ ଆସୁଥିବା ବେଳେ ତାର ପୁତ୍ର ଓ ପୁତୁରାମାନେ ତା ନିକଟକୁ ଆସୁନଥିବାର ଆଜି ତାର ସ୍ତ୍ରୀ ପ୍ରକାଶ କରିଛି । ରଂଜନ ନାୟକର ଡାହାଣ ହାତରେ ସାପକାମୁଡାର ଚିହ୍ନ ଥିବା ବେଳେ ସେ ସେଠାରେ ପଡିଥିବାର ଦେଖି ସ୍ଥାନୀୟ ଲୋକେ ତା ସ୍ତ୍ରୀକୁ ଖବର ଦେଇ ଜିକେଭଟ୍ଟର ହସ୍ପିଟାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ବିଶାକ୍ତ ସର୍ପ ଧରିବା ଓ ଖେଳାଇବା ଏକ ଅପରାଧ ହୋଇଥିବା ବେଳେ ସ୍ଥାନୀୟ ପୁଲିସ୍ କିମ୍ବା ବନବିଭାଗ ଏଥିପ୍ରତି ଦୃଷ୍ଟି ନ ଦେବା ଏକ ଆଲୋଚ୍ୟର ବିଷୟ ହୋଇଛି ।
ରିପୋର୍ଟ : ଭୂପତି କୁମାର ପରିଡା