ଜ୍ୱାଇଁକୁ ଛୁରାମାରି ଅଭିଯୁକ୍ତ ଶ୍ୱଶୁର ଫେରାର…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଗୁରୁବାର ବିଳମ୍ବିତ ରାତି ପ୍ରାୟ ୧୦ ଘଣ୍ଟା ସମୟରେ ଦିଗପହଣ୍ଡି ଥାନା ପୁଞ୍ଜିକୟା ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି । ଜ୍ୱାଇଁକୁ ଛୁରାମାରି ଅଭିଯୁକ୍ତ ଶ୍ୱଶୁର ଫେରାର ହୋଇଯାଇ ଥିବା ଜଣାପଡିଛି । ଗୁରୁତର ଜଣକ ହେଲେ ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ କଲ୍ୟାଣପୁର ଗ୍ରାମର ସଞ୍ଜୟ ଗୌଡ (୨୬) ଏବଂ ଅଭିଯୁକ୍ତ ଶଶୁର ଜଣକ ମଧ୍ୟ ଉକ୍ତ କଲ୍ୟାଣପୁର ଅଞ୍ଚଳର ଉମାକାନ୍ତ ଗୌଡ ବୋଲି ଖବର ମିଳିଛି । ସୂଚନା ଅନୁଯାୟୀ, ଗୁରୁତର ସଞ୍ଜୟ ଗୌଡ ଅଭିଯୁକ୍ତ ଉମାକାନ୍ତଙ୍କ ଝିଅ ଜୟନ୍ତୀ ଗୌଡଙ୍କୁ ଭଲ ପାଉଥିଲେ ଏବଂ ବିବାହ କରିବା ପାଇଁ ଉଭୟ ସଞ୍ଜୟ ଓ ଜୟନ୍ତୀ ଉମାକାନ୍ତଙ୍କୁ ଜଣାଇଥିଲେ । କିନ୍ତୁ ଝିଅର ବାପା ଏହି ବାହାଘର ପ୍ରସ୍ତାବରେ ରାଜି ନହେବାରୁ ସଞ୍ଜୟ ଓ ଜୟନ୍ତୀ ଗତ ଜୁନ ୩୦ (୨୦୧୯) ତାରିଖ ଦିନ ଦିଗପହଣ୍ଡି ଥାନା କମଳାପୁରସ୍ଥିତ କାଶି ବିଶ୍ୱନାଥ ମନ୍ଦିରରେ ଫୁଲମାଳ ଦେଇ ବାହା ହୋଇଥିଲେ । ବାହା ହେବା ପରଠାରୁ ସଞ୍ଜୟ ଓ ଜୟନ୍ତୀ ଦିଗପହଣ୍ଡି ଅଞ୍ଚଳ କଲୋନୀରେ ଏକ ଭଡ଼ା ଘରେ ରହି ଆସୁଥିଲେ । ହେଲେ ଗୁରୁବାର ରାତି ପ୍ରାୟ ଦଶ ଘଣ୍ଟା ସମୟରେ ସଞ୍ଜୟ ଏକ ଦୋକାନ ପାଖରେ ଠିଆ ହୋଇଥିବା ସମୟରେ ପୂର୍ବରୁ ରାଗରେ ଥିବା ଝିଅର ବାପା ଏକ ଧାରୁଆ ଛୁରି ସାହାଯ୍ୟରେ ମୁହଁରେ ଏକ କପଡା ଘୋଡାଇ ଆସି ସଞ୍ଜୟଙ୍କ ପେଟ ଓ ମୁଣ୍ଡକୁ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସଞ୍ଜୟଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସଞ୍ଜୟଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ଏମ୍ କେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା