ଟାଟା ଷ୍ଟିଲ ପକ୍ଷରୁ ଗୋପାଳପୁର ପ୍ରକଳ୍ପଠାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଟାଟା ଷ୍ଟିଲ ପକ୍ଷରୁ ଗୋପାଳପୁର ପ୍ରକଳ୍ପଠାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଗୋପାଳପୁର ଶିଳ୍ପ ପାର୍କରେ ଅବସ୍ଥିତ ଫେରୋକ୍ରୋମ କାରଖାନାରେ କାର୍ଯ୍ୟରତ ପ୍ରାୟ ୪୦ଜଣ ମହିଳା କାରଖାନା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ସେହିପରି ଗୋପାଳପୁର ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଗ୍ରାମର ୧୦୦ରୁ ଉର୍ଦ୍ଧ୍ଵ ମହିଳା ଓ ବାଳିକା ନରେନ୍ଦ୍ରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାରଖାନା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋପାଳପୁର ଫେରୋକ୍ରୋମ କାରଖାନା ମୁଖ୍ୟ ଶ୍ରୀ ବି ଶ୍ରୀନିବାସ କାର୍ଯ୍ୟରତ ମହିଳାମାନଙ୍କୁ ସମ୍ବୋଧିତ କରିବା ସହିତ ମହିଳାମାନଙ୍କ ସାମର୍ଥ୍ୟ ଉପରେ ମତ ପ୍ରକାଶ କରିଥିଲେ । ସେ ମହିଳାମାନଙ୍କୁ କାରଖାନାରେ ସୁରକ୍ଷୀତ ଓ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ମହିଳା କର୍ମଚାରୀମାନେ ସେମାନଙ୍କ ମତ ରଖିଥିଲେ । ନରେନ୍ଦ୍ରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସର ଭାରୋତ୍ତୋଲନ କୋଚ ସୁଶ୍ରୀ ସୀତା କୁମାରୀ ଜେନା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ଲୁହାଝର ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଦମୟନ୍ତୀ ରେଡ୍ଡୀ ଓ ନରେନ୍ଦ୍ରପୁର ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଶ୍ରୀମତୀ ଜସ୍ମିନ ଦାଶ ଅତିଥି ଭାବେ ଯୋଗ ଦେଇଥିଲେ । ନରେନ୍ଦ୍ରପୁର ଠାରେ ସୁଶ୍ରୀ ସୀତା କୁମାରୀ ଜେନା ସ୍ଥାନୀୟ ଅଞ୍ଚଳର ମହିଳାମାନଙ୍କ ପାଇଁ ଟାଟା ଷ୍ଟିଲ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ପ୍ରସଂଶା କରିଥିଲେ । ଏହା ସହିତ ବିଭିନ୍ନ କ୍ରୀଡ଼ାରେ ଅଂଶ ଗ୍ରହଣ କରିବା ଦ୍ୱାରା ମହିଳାମାନେ ଜୀବନରେ ସଫଳ ହୋଇପାରିବେ ବୋଲି ମତ ପ୍ରକାଶ କରିଥିଲେ । କାଳିପଲ୍ଲୀ, ବାସନାପୁଟ୍ଟୀ, ସୀତାରାମପୁର, ସୀତାନଗର, ଟାଟା କଲୋନୀ, ଶୀତଳାପଲ୍ଲୀ, ନରେନ୍ଦ୍ରପୁର, ରଘୁନାଥପୁର, ବ୍ରଜନଗର ଓ ମଡୁଆ ଗ୍ରାମର ମହିଳା ଓ କିଶୋରୀମାନେ ନରେନ୍ଦ୍ରପୁର ପଡିଆରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ‘ଉନ୍ନତମାନ ପାଇଁ ସନ୍ତୁଳନ’ ନାମକ ଶୀର୍ଷକରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନରେନ୍ଦ୍ରପୁରଠାରେ ମହିଳା ଓ ବାଳିକାମାନେ ନୃତ୍ୟ, ଗୀତ, ରଙ୍ଗୋଲି, ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରେ ମନୋରଞ୍ଜନପୂର୍ଣ୍ଣ ଖେଳର ଆୟୋଜନ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ ୧୮ ଜଣ ବିଜେତାକୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଟାଟା ଷ୍ଟିଲ ଫେରୋକ୍ରୋମ କାରଖାନା, ଟିଏସଏଏଲ ଓ ଟାଟା ଷ୍ଟିଲ ରୁରାଲ ଡେଭଲପମେଣ୍ଟ ସୋସାଇଟିର ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା