

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ଉଦ୍ଦେଶ୍ୟରେ ବ୍ରହ୍ମପୁରର ଟିମ କ୍ଲିନ ସିଟି ନାମକ ଏକ ସ୍ବେଛାସେବୀ ସଂଗଠନ ପକ୍ଷରୁ ଏକାଧିକ ସାମାଜିକ କାର୍ଯ୍ୟ ହାତକୁ ନିଆଯାଇଛି । ଗତ ଜୁଲାଇ ମାସରୁ ଆରମ୍ଭ ହୋଇଥବା ଏହି ସଂଗଠନ ପକ୍ଷରୁ ପ୍ରଥମେ ସହରର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା କାନ୍ଥରୁ ପୋଷ୍ଟର ଗୁଡିକୁ ହଟାଯିବା ପରେ ସହରର ସାହି ଓ ଗଳି କନ୍ଦିରେ ମଧ୍ୟ ଅନୁରୂପ କାର୍ଯ୍ୟ କରାଯାଇ ରେଶମ ସହରକୁ ସୁନ୍ଦର ରଖିବାକୁ ଅଭିନବ ପ୍ରୟାସ ଆରମ୍ଭକରି ଏପର୍ଯ୍ୟନ୍ତ ଏହାକୁ ଜାରି ରଖାଯାଇଛି । ଏହି କାର୍ଯ୍ୟକ୍ରମକୁ ବ୍ରହ୍ମପୁର ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ ସ୍ୱାଗତ କରିବା ସହିତ ସହରରେ ବେନିୟମ ପୋଷ୍ଟର ଲଗାଉଥିବା ବ୍ୟକ୍ତି ତଥା ଅନୁଷ୍ଠାନ ଠାରୁ ଜୋରିମାନା ମଧ୍ୟ ଆଦାୟ କରାଯାଉଛି । ଏହି କାର୍ଯ୍ୟ ସହିତ ସଂଗଠନ ପକ୍ଷରୁ ଗତ ସେପ୍ଟେମ୍ବର ମାସରୁ ହାତକୁ ନିଆଯାଇଛି ଆଉ ଏକ ମହତ କାର୍ଯ୍ୟ । ସହରର ଯେକୌଣସି ସ୍ଥାନରେ କେହି ଅସହାୟ ଓ ନିରାଶ୍ରୟଙ୍କୁ ଦେଖି ସେମାନଙ୍କୁ ଉଦ୍ଧାର ସହିତ ସହାୟତାର ହାତ ବଢ଼ାଉଛି ଏହି ସଂଗଠନ । କୁଷ୍ଠରୋଗୀ ହେଉ ବା ପାଗଳ ସମସ୍ତଙ୍କୁ ସେବା ଯୋଗାଇ ଆସୁଥିବା ଏହି ସଂଗଠନ ପକ୍ଷରୁ ଆଜି ୪୭ତମ ଉଦ୍ଧାର କାର୍ଯ୍ୟ ସମ୍ପାଦନ ହୋଇଛି ବ୍ରହ୍ମପୁର ସହରରେ । ସ୍ଥାନୀୟ ଡି ପଲ ସ୍କୁଲ ନିକଟରୁ ପ୍ରଶାନ୍ତ କୁମାର ସାମନ୍ତ ନାମକ ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କୁ ଉଦ୍ଧାର କରି ତାଙ୍କୁ ସେବା ଯୋଗାଇ ଦିଆଯାଇଛି । ସଂଗଠନର ଏହି ମହତ ତଥା ନିଃସ୍ୱାର୍ଥପର କାର୍ଯ୍ୟକୁ ସବୁ ମହଲରେ ସ୍ୱାଗତ କରାଯାଇଛି । ଗତ ରବିବାର ଦିନ ସକାଳୁ ଟିମର ସଦସ୍ୟ ମାନେ ମେଡ଼ିକାଲ ମୁଖ୍ୟ ଗେଟ ନିକଟରେ ଏକତ୍ରିତ ହୋଇ ମୋଟର ସାଇକେଲରେ ସହର ପରିକ୍ରମା କରିବା ସହ ବିଭିନ୍ନ ସ୍ଥାନରୁ ପୋଷ୍ଟର ଚିରି ଏହାକୁ ବିରୋଧ କରିବା ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ । ପରୋକ୍ଷରେ ପୋଷ୍ଟର ଲଗାଉଥିବା ସଂସ୍ଥା ବା ବ୍ୟକ୍ତି ବିଶେଷଙ୍କୁ ସହରକୁ ଅସୁନ୍ଦର କରିବା ଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଚେତାବନୀ ଦିଆଯାଇଛି । ନଚେତ ସମ୍ପୃକ୍ତ ସଂସ୍ଥା ଓ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଲିଖିତ ଏତଲା ଦେବାକୁ ଧମକ ଦିଆଯାଇଛି । ପୂର୍ବରୁ ଏହି ମର୍ମରେ ସଂଗଠନ ପକ୍ଷରୁ ବ୍ରହ୍ମପୁର ଏସ ପି ପିନାକ ମିଶ୍ର ଓ ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଭେଟି ଅବଗତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ରାମ ଚନ୍ଦ୍ର ପଣ୍ଡା, ଜଗନମୋହନ ମହାପାତ୍ର, ଶକ୍ତିଧର ରାଜଗୁରୁ, ରାଜେଶ କୁମାର ସାହୁ, ଅଭୟ କୁମାର ରଥ, ଜିତୁ ପଟ୍ଟନାୟକ, ରଶ୍ମିରେଖା ମିଶ୍ର, ଅଞ୍ଜଳି ମହାନ୍ତି, ସନ୍ତୋସିନୀ ବେହେରା, ସସ୍ମିତା ପ୍ରଧାନ, ନଗେଶ୍ୱର ପୃଷ୍ଟି, ସୂର୍ଯ୍ୟ ନାରାୟଣ ଚୌଧୁରୀ, ଅସିତ କୁମାର ସାବତ, ଅସିତ କୁମାର ପଣ୍ଡା, ଦିନେଶ ପଟ୍ଟନାୟକ, ଟୁକୁ ଦଳେଇ, ଆମ୍ବୁଜ ସାହୁ, ପ୍ରଦୀପ କୁମାର ସାହୁ ଓ ସନ୍ତୋଷ କୁମାର ପାତ୍ର ପ୍ରମୁଖ ସକ୍ରିୟ ସାମିଲ ହୋଇଥିଲେ । ସଙ୍ଗଠନ ପକ୍ଷରୁ ଏହି ସେବା ବ୍ରହ୍ମପୁର ସହର ମଧ୍ୟରେ ସୀମିତ ନ ରଖି ଗଞ୍ଜାମ, ଗଜପତି, ରାୟଗଡା ଓ କନ୍ଧମାଳ ଜିଲ୍ଲାକୁ ପରିବ୍ୟାପ୍ତ କରାଯାଇଛି । ଆଗକୁ ଅନ୍ୟଜିଲ୍ଲାକୁ ଯାଇ ସେବା ପ୍ରଦାନ କରାଯିବ ବୋଲି ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


