

ନୂଆଦିଲ୍ଲୀ : ଅମୃତସରରେ ରେଳ ଲାଇନ ପାଖାପାଖି ରାବଣ ପୋଡି ହେଉଥିବା ଦେଖିବାକୁ ଆସି ଟ୍ରେନ ଧକ୍କା ହେବାରୁ ଏକାଥରକେ ୬୧ ଠାରୁ ଅଧିକ ଲୋକ ମୃତ୍ୟୁ ବରଣ କରିଥିବା ଖବର ମିଳିଛି । ନକାରାତ୍ମକ ଶକ୍ତିର ପ୍ରତୀକ ରାବଣ ପୋଡି ଦୃଶ୍ୟ ଦେଖିବାକୁ ଆସି ସେଠାରେ ଯମଙ୍କ ସହ ସେମାନଙ୍କର ଭେଟ ହୋଇଗଲା। ପଞ୍ଜାବର ଅମୃତସରଠାରେ ଘଟିଥିବା ଏପରି ଏକ ହୃଦୟବିଦାରକ ଘଟଣାରେ ୫୧ ଜଣଙ୍କ ଜୀବନ ଚାଲିଗଲା । ଟ୍ରେନ୍ ଟ୍ରାକ୍ ପାଖରେ ହେଉଥିବା ଏକ ରାବଣପୋଡ଼ି ଉତ୍ସବ ଦେଖିବାକୁ ଆସିଥିବା ବହୁ ଲୋକ ଟ୍ରେନ ଧାରଣା ଉପରେ ଥିବାବେଳେ ଏକାଥରେ ଦୁଇଟି ଟ୍ରେନ୍ ଦୁଇପଟୁ ଆସି ଚଢ଼ିଗଲା ସେମାନଙ୍କ ଉପରେ । ରାବଣ ପ୍ରତିମୂର୍ତ୍ତିରେ ନିଆଁ ଲାଗି ବାଣ ବିସ୍ଫୋରଣ ହେବା ପରେ ଲୋକମାନେ ଇତଃସ୍ତତ ହୋଇ ଦୌଡ଼ିବାକୁ ଆରମ୍ଭ କଲାବେଳେ ଏହି ଟ୍ରେନ୍ ଟ୍ରାକ୍ରେ ଦୁଇଟି ଟ୍ରେନ୍ ଦ୍ରୁତ ଗତିରେ ମାଡ଼ି ଆସି ମୃତ୍ୟୁର ତାଣ୍ଡବ ରଚାଇଥିଲା। ବାଣ ଶବ୍ଦରେ ହିଁ ସେମାନେ ଦୂରକୁ ଦୌଡ଼ିବାକୁ ଆରମ୍ଭ କରିଥିଲେ ଏବଂ ସେହି ଶବ୍ଦ କାରଣରୁ ଜାଣିପାରିନଥିଲେ ଯେ ସେମାନେ ଦୌଡ଼ୁଥିବା ଟ୍ରେନ୍ ଟ୍ରାକ୍ରେ ଦୁଇ ବିପରୀତ ଦିଗରୁ ଏକା ସହିତ ଦୁଇଟି ଟ୍ରେନ୍ ଆସୁଛି। ଘଟଣାସ୍ଥଳରେ ୩୦୦ ଲୋକ ଥିଲେ, ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଅନୁମାନ କରାଯାଉଛି। ମିଳିଥିବା ଖବର ଅନୁଯାୟୀ, ପ୍ରାୟ ସନ୍ଧ୍ୟା ୬ଟା ବେଳେ ଟ୍ରେନ୍ ଲାଇନ୍ ପାଖରେ ରାବଣପୋଡ଼ି କାର୍ଯ୍ୟକ୍ରମ ଚାଲିଥିଲା। ତାକୁ ଦେଖିବାକୁ ବେଶ ଭିଡ଼ ଜମିଥିଲା। ସେହି ସମୟରେ ଲୋକମାନେ ନିକଟସ୍ଥ ଟ୍ରାକରେ ଟ୍ରେନ ଆସୁଛି ବୋଲି ଜାଣିପାରି ନଥିଲେ। ଅମୃତସରର ଚୌରାବଜାର ନିକଟରେ ଘଟିଥିବା ଏହି ଘଟଣାରେ ଅନେକ ଆହତ ମଧ୍ୟ ହୋଇଛନ୍ତି, ଯେଉଁମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସେଠାରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ଆରମ୍ଭ କରିଛନ୍ତି। ଲୋକଙ୍କ ଉପରେ ଚଢିଯାଇଥିବା ଟ୍ରେନ୍ଟି ପଠାନ୍କୋଟ୍ ଆଡ଼ୁ ଆସୁଥିଲା ବୋଲି ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ପ୍ରଶାସନିକ ଓ ପୁଲିସ ଅବହେଳା କାରଣରୁ ଏଭଳି ଦାରୁଣ ଅଘଟଣ ଘଟିଛି।