ଟ୍ରେନ ଧକ୍କାରେ ୧୬ଟି ଗୋରୁ ମୃତ…

ରାୟଗଡା (ସମୃଦ୍ଧ ଓଡିଶା) ବିଶାଖାପାଟଣା – କୋରାପୁଟ ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ୍‍ ଧକ୍କାରେ ୧୬ ଗୋରୁର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ବିଶାଖାପଟଣାରୁ ଟ୍ରେନଟି କୋରାପୁଟ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ରାୟଗଡାଠାରୁ ୧୫ କିମି ଦୂର ଝିମିଡିପେଟା ଓ ଲାଡା ଷ୍ଟେସନ ମଝି ବଡହଂସା ଲେବୁଲକ୍ରସିଂ ନିକଟ ରେଳ ଧାରଣା ଉପରକୁ ଚାଲି ଆସିଥିବା କିଛି ଗୋରୁକୁ ଟ୍ରେନ୍‍ ଧକ୍କା ଦେଇଥିଲା । ଟ୍ରେନର ବେଗ ଅତ୍ୟଧିକ ରହିଥିବାରୁ ଧକ୍କା ଜୋରଶେ ଅନୁଭୂତ ହୋଇଥିଲା । ଯାହାଫଳରେ ଘଟଣାସ୍ଥଳରେ ୧୬ଟି ଗୋରୁ ଟଳି ପଡିଥିଲେ । ପରେ ଟ୍ରେନ୍‍ଟି ଦୁର୍ଘଟଣାସ୍ଥଳରୁ ଅଳ୍ପ କିଛି ଦୂରତା ଅତିକ୍ରମ କରି ଅଟକି ଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ଗ୍ରାମବାସୀ ରେଳ ଫାଟକ ନିକଟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ କ୍ଷତିପୂରଣ ଦାବି କରିଥିଲେ । ଶେଷଖାଲ ପୋଲିସ୍, ରେଳ ସୁରକ୍ଷା ବଳ ଓ ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ । ପରେ ରେଳ ଟ୍ରାକ ଏବଂ ପାର୍ଶ୍ବରେ ପଡିଥିବା ଗାଈର ମୃତ ଦେହକୁ ଗ୍ରାମବାସୀ ଉଦ୍ଧାର କରିଥିଲେ ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ