ଛତ୍ରପୁର (ସମୃଦ୍ଧ ଓଡିଶା) ଡାକ୍ତର ଅର୍ଚ୍ଚନା ଦାଶଙ୍କର ଆତ୍ମହତ୍ୟାରେ ସମ୍ପୃକ୍ତ ତାଙ୍କ ସ୍ୱାମୀ ଡାକ୍ତର ଅଞ୍ଜନ କୁମାର ଦାଶ ତା ୧୬-୦୩-୨୦୧୯ ରିଖ ଦିନ ଛତ୍ରପୁର ସବଡିଭିଜନାଲ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଜୟ ପ୍ରକାଶ ନାୟକଙ୍କ କୋର୍ଟରେ ଆତ୍ମସମର୍ପଣ କରିଥିଲେ । ତାଙ୍କର ଜାମିନ ନାମଞ୍ଜୁର ହେବା ଫଳରେ ତାଙ୍କୁ ଛତ୍ରପୁର ଉପ କାରାଗାରକୁ ପଠାଇ ଦିଆଯାଇଥିଲା । କିନ୍ତୁ ଉକ୍ତ ବିଚାରପତିଙ୍କ ଆଦେଶ ବିରୁଦ୍ଧରେ ଅଞ୍ଜନ କୁମାର ଦାଶ ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ ଅଦାଲତରେ ଅପିଲ କରିଥିଲେ । ଉକ୍ତ ଅପିଲ ଗତକାଲି ତା ୨୦-୦୩-୨୦୧୯ ରିଖ ଦିନ ଶୁଣାଣି କରାଯାଇଛି । ଉକ୍ତ ଶୁଣାଣି ସମୟରେ ଏତଲକାରିଣୀଙ୍କ ତରଫରୁ ହାଇକୋର୍ଟର ବରିଷ୍ଠ ଓକିଲ ବାସୁଦେବ ପୂଜାରୀ ଓ ସରକାରୀ ଓକିଲ ରାଜେଶ କୁମାର ମିଶ୍ର, ଶରତ ଚନ୍ଦ୍ର ପ୍ରଧାନ, ସୌରୀ ବେହେରା ଓ କୁଷ୍ଣଚନ୍ଦ୍ର ବେହେରା ମାମଲା ପରିଚାଳନା କରିଥିଲେ । ଆଜି ଉକ୍ତ ମାମଲା ଶୁଣାଣି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ, ଏତଲା କ୍ରମେ କୁସୁମପ୍ରଭା ମିଶ୍ରଙ୍କ ଝିଅଙ୍କୁ ବିବାହ ପରେ ଅଞ୍ଜନ ଦାଶ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଓ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବାରୁ ଅଞ୍ଜନ ଦାଶ ଓ ତାଙ୍କ ବାପା, ମା, ଭାଇ, ଭାଇ ବୋହୁଙ୍କ ନାମରେ ଭାରତୀୟ ପିଙ୍ଗଳ ଧାରା ୪୯୮କ, ୩୭୯, ୩୦୬, ୨୯୪, ୩୪୧/୩୪ ଓ ଯୌତୁକ ନିବାରଣ ଆଇନ ଧାରା ୪ରେ ମାମଲା ରୁଜୁ କରାଯାଇଛି । କେସ ହେବା ଦିନ ଠାରୁ ଅର୍ଥାତ ୧୭-୦୮-୨୦୧୮ ରିଖ ଠାରୁ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲେ ଏବଂ ଉଚ୍ଚ ନ୍ୟାୟାଳୟରେ ଅଗ୍ରୀମ ଜାମିନ ନାମଞ୍ଜୁର ଓ ଆତ୍ମ ସମର୍ପଣର ଆଦେଶ ହେବା ଫଳରେ ଉକ୍ତ ଆସାମୀ ୧୬-୦୩-୨୦୧୯ ଦିନ ଆତ୍ମସମର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା