ଡିଆର୍‌ଏମ୍‌ଙ୍କ ନିର୍ଦ୍ଦେଶରେ ଉତ୍ତର କେବିନ୍ ନିକଟରେ ଥିବା ୨୩ ଗୃହ ମାଟିରେ ମିଶିଲା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ରେଳ ଷ୍ଟେସନର ଉତ୍ତର କେବିନ୍‌ର ପୂର୍ବପଟେ ଥିବା ରେଳବାଇ ସ୍ଥାନରୁ ଆଜି ୨୩ଜଣ ଜବର ଦଖଲକାରୀଙ୍କୁ ରେଳ କର୍ତ୍ତୃପକ୍ଷ ହଟାଇ ଦେଇଥିବା ଦେଖିବାକୁ ମିଳିଛି । ରେଳ ଗ୍ରୀଡ ନିକଟ ହନୁମାନ ମନ୍ଦିର ଠାରୁ ରାସ୍ତାର ୨କଡରେ ଥିବା ରେଳବାଇ ଜାଗାରେ କେତେକ ବ୍ୟକ୍ତି ଦୀର୍ଘବର୍ଷ ଧରି ରହିଆସିଥିଲେ । ସମସ୍ତେ ଦୋକାନ କରି ଚଳିଆସୁଥିବା ବେଳେ ଅନ୍ୟ କେତେକଙ୍କର ଅନ୍ୟତ୍ର ବାସଗୃହ ନ ଥିବାରୁ ସେଠାରେ ସ୍ଥାୟୀଭାବେ ରହିଆସୁଥିଲେ । କିନ୍ତୁ ସେଠାକାର ୨ଜଣ ବ୍ୟକ୍ତି ରାଜେନ୍ଦ୍ର କୁମାର ସାହୁ ଓ କୋମଳ ଲୋଚନ ପ୍ରମାଣିକଙ୍କ ମଧ୍ୟରେ ତିକ୍ତତାକୁ ନେଇ ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ଚାଲିଥିଲା । ମାନ୍ୟବର ଉତ୍ତ ନ୍ୟାୟାଳୟ ଖଡଗପୁରସ୍ଥିତ ଡିଆର୍‌ଏମ୍‌ଙ୍କୁ ଏହାର ସମଧାନ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ରେଳ ଡିଭିଜନାଲ ମ୍ୟାନେଜରଙ୍କ କାର୍ଯ୍ୟାଳୟ ଚିଠି ନଂ ୪୬ ତା ୧୧-୨-୨୦ ଅନୁଯାୟୀ ସେଠାରେ ବସବାସ କରୁଥିବା ୨୪ଜଣଙ୍କୁ ୭ଦିନ ମଧ୍ୟରେ ସ୍ଥାନ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲା । କିନ୍ତୁ ଏହି ଚିଠି ଦ୍ୱାରା ଫେବୃଆରୀ ମାସ ୧୮ ତାରିଖରେ ସମସ୍ତଙ୍କୁ ଅବଗତ କରାଯାଇଥିବା ବେଳେ ଜବର ଦଖଲରେ ଥିବାର ବ୍ୟକ୍ତିମାନଙ୍କ ମଧ୍ୟରୁ କେତେକ ଡିଆର୍‌ଏମ୍‌ଙ୍କୁ ସାକ୍ଷାତ କରିଥିଲେ । ଡିଆର୍‌ଏମ୍ ଅନ୍ୟ ୩ଦିନ ସମୟ ଦେଇଥିବାରୁ ଆଜିସୁଦ୍ଧା ୨ଜଣ ବ୍ୟକ୍ତି ତାଙ୍କର ଦୋକାନ ଅନ୍ୟତ୍ର ସ୍ଥାନାନ୍ତର କରିଥିବା ବେଳେ ଆଜି ଅନ୍ୟମାନଙ୍କ ଗୃହ ଉଚ୍ଛେଦ କରାଯାଇଛି । ଜଳେଶ୍ୱର ଷ୍ଟେସନ ମ୍ୟାନେଜର ଖଗେନ୍ଦ୍ର ମଣ୍ଡଳ, ସେକ୍‌ସନ ଇଞ୍ଜିନୀୟର ଅଜିତ୍ ପ୍ରସାଦ ମିଶ୍ର ଓ ସୃଷ୍ଟିଧର ପୃଷ୍ଟିଙ୍କ ଉପସ୍ଥିତିରେ ଜିଆର୍‌ପି ପୂର୍ଣ୍ଣଚନ୍ଦ୍ର ବେହେରା, ସବଥଇନିସ୍‌ପେକ୍ଟର ସୁଶାନ୍ତି ସିଂ, ଏଏସ୍‌ଆଇ ସୁଶିଲ ଖୁଜରଙ୍କ ସହିତ ଆର୍‌ପିଏଫ ଆଇଆଇସି ଭଗବାନ ସିଂ, ଓଆଇସି ବି. ସିଂ, ଏଏସ୍‌ଆଇ ଏସ୍ ସରକାର, କେଏସ୍ ପଣ୍ଡା ଏବଂ ଜଳେଶ୍ୱର ଥାନା ଆଇଆଇସି ଧନେଶ୍ୱର ସାହୁ, ଏଏସ୍‌ଆଇ ରମାକାନ୍ତ ସେଠୀ, ହାବିଲଦାର ତ୍ରିଲୋଚନ ପାତ୍ର ପ୍ରମୁଖ ଉଚ୍ଛେଦକାର୍ଯ୍ୟକୁ ତ୍ୱରାନ୍ନିତ କରିଥିଲେ । ସେଠାରେ ରହିଆସୁଥିବା ଦେବେନ୍ଦ୍ର ଦାସ, ଶିବ ଦାସ, ବିରେନ୍ଦ୍ର ଦାସ, ଧିରେନ୍ଦ୍ର ଦାସ, ଚନ୍ଦନ ସାହୁ, ସଂଜନ ସାହୁ, ନକୁଳ ସାହୁ, ନରହରୀ ପାତ୍ର, ତାରକ ଚାନ୍ଦ, ଜୟନ୍ତ ପଟ୍ଟନାୟକ, ପ୍ରଶାନ୍ତ ସାହୁ, ସୁଶାନ୍ତ ସାହୁ, କମଳ ଲୋଚନ ପରାମାଣିକ, ହରିଶ୍ ଶଂକର ପରାମାଣିକ, ଚିତ୍ତରଂଜନ ସାହୁ, ଝାଡେଶ୍ୱର ବାରିକ, ରାଜେଶ ପଣ୍ଡା, ସରସ୍ୱତୀ ସାହୁ, ଲକ୍ଷ୍ମୀଧର ଚୌଧୁରୀ, ରାମଚନ୍ଦ୍ର ସାହୁ, ତପୁ ସାହୁ, ପଦ୍ମଲୋଚନ ସେଠୀ, ଜନ୍ମେଜୟ ସାହୁ ପ୍ରମୁଖ ନିଜର ଗୃହ ହରାଇବା ସହ ଉଚ୍ଛେଦ ହୋଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା