






ଭୂବନେଶ୍ଵର(ସମୃଦ୍ଧଓଡିଶା) ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡିସେମ୍ବର ୩ ତାରିଖକୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଭାବରେ ପାଳନ କରାଯିବ । ଏହି ଅବସରରେ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ତିନି ଦିନଧରି ଆନ୍ତର୍ଜାତିୟ ଭିନ୍ନକ୍ଷମ ଦିବସ ପାଳନ ପାଇଁ ଆୟୋଜନ କରାଯାଇଛି । ଆଜି ସଂଧ୍ୟା ୬ ଘଟିକା ସମୟରେ କିଟ୍ ଇନଡୋର ଷ୍ଟାଡିୟମଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଆଣ୍ଡ୍ରି ବରେଲିଙ୍କ ଉଦାହରଣ ଦେଇ ମୁଖ୍ୟ ଅତିଥି କହିଥିଲେ ଯେ ସେ ଭିନ୍ନକ୍ଷମ ହୋଇ ସୁଦ୍ଧା ସବୁ ଭାଷାରେ ଗୀତ ଗାଇଛନ୍ତି । ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ କେବଳ ଶିକ୍ଷା ଦେଇ ଛାଡି ଦେଲେ ହେବ ନାହିଁ ସେମାନଙ୍କୁ ସ୍ଵ।ବଲବୀ କରିବା ସହିତ ସେମାନଙ୍କ ପାଇଁ ନିଯୁକ୍ତି ଦେବାମଧ୍ୟ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ । ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ କହିଥିଲେ ଯେ ସେ ନୂଆପଡ଼ା ଜିଲ୍ଲାରେ ଜିଲାପାଳ ଥିଲାବେଳେ ଖାଦ୍ୟ ପାଇଁ ଯେଉଁ ଅଖା ଆସେ ସେହି ଅଖା ବିକ୍ରି କରି ସେଥିରୁ ଯେଉଁ ପଇସା ଆସୁଥିଲା ସେଇ ପଇସାରେ ଭିନ୍ନ କ୍ଷମ ମାନଙ୍କ ପାଇଁ ଏକ ବିଦ୍ୟାଳୟ ଆରମ୍ଭ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଏହା ଏକ ମହାଦ୍ରୁମରେ ପରିଣତ ହୋଇଥିଲା । କହିବାର ତାତ୍ପର୍ଯ୍ୟ କୌଣସି କାର୍ଯ୍ୟ ଛୋଟ ନୁହେଁ ସବୁ କାର୍ଯ୍ୟ ଛୋଟରୁ ହିଁ ବଡ ହୋଇଥାଏ । ଏହି ସଂଧ୍ୟା କାର୍ଯ୍ୟକ୍ରମକୁ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭଗର ନିର୍ଦ୍ଦେଶିକା, ଶ୍ରୀମତୀ ନିୟତି ପଟ୍ଟନାୟକ, ସ୍ୱାଗତ ଭାଷଣ ଦେଇଥିବା ବେଳେ ଦୀପକ ରାଉତରାୟ, ଅତିରିକ୍ତ ଶାସନ ସଚିବ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପୂର୍ବରୁ ଆଜି ସକାଳ ୮ ଘଟିକା ସମୟରେ ୱାକାଥନ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏହା ଭୁବନେଶ୍ବର ଶିଖରଚଣ୍ଡିଠାରୁ ଆରମ୍ଭ ହୋଇ କିଟ୍ ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଶେଷ ହୋଇଥିଲା । ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ୱାକାଥନ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଏହି ଆନ୍ତର୍ଜାତିୟ ଦିବସ ଅବସରରେ ପାରାକ୍ରୀଡ଼ା ପ୍ରତିଯୋଗିତା ଏବଂ ଭିନ୍ନକ୍ଷମଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ପ୍ରଦର୍ଶନୀ କାର୍ଯ୍ୟକ୍ରମକୁ ବିଭାଗର ନିର୍ଦ୍ଦେଶକ ଶ୍ରୀମତୀ ନିୟତି ପଟ୍ଟନାୟକ ଉଦଘାଟନ କରିଥିଲେ । ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ଶ୍ରୀମତୀ ବ୍ରତତୀ ହରିଚନ୍ଦନ, ବିଭାଗର ନିର୍ଦ୍ଦେଶିକା ଶ୍ରୀମତୀ ନିୟତି ପଟ୍ଟନାୟକ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ସ୍ବତନ୍ତ୍ର ଛାତ୍ରଛାତ୍ରୀମାନେ ଏ ସମସ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ଗ୍ରହଣ କରିଥିଲେ ।
ରିପୋର୍ଟ : ରଜତ ମହାପାତ୍ର