ଡିସେମ୍ବର ୧୬ ତାରିଖରୁ ମଣ୍ଡିରେ ଧାନ କିଣା ଆରମ୍ଭ : ଧାନ କୁଇଣ୍ଟାଲ ମୂଲ୍ୟ ୧୮୬୮ ଟଙ୍କା…

ବୁଗୁଡା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ସଭା ଗୃହରେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ଅଧ୍ୟକ୍ଷତାରେ ଧାନ ମଣ୍ଡି ଖୋଲିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ତହସିଲଦାର ସଂଗ୍ରାମ କେଶରୀ ଜେନା, ସଭ୍ୟ ଇ.ମଦନ ଗୋପାଳ ଦୋରା, ଏସ.ଆର.ସି.ଏସ. ଲିଙ୍ଗରାଜ ବେହେରା ଏବଂ ଏ.ସି.ଏସ.ଓ. ଏଲ ଏନ ବେହେରାଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଗତ ବର୍ଷ ୫୮୮୧ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଚଳିତ ବର୍ଷ ୬୦୩୭ ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି । ଚଳିତ ବର୍ଷ ଧାନ କୁଇଣ୍ଟାଲ ପିଛା କ୍ରୟ ମୂଲ୍ୟ ୧୮୬୮ ଟଙ୍କା ଧାର୍ଯ୍ୟ ହୋଇଅଛି । ଚଳିତ ମାସ ଅର୍ଥାତ ଡିସେମ୍ବର ୧୬ ତାରିଖ ଠାରୁ ମଣ୍ଡିରେ ଧାନ କିଣା ଆରମ୍ଭ ହେବ ବୋଲି ଠିକ୍ କରାଯାଇଛି । ଚାଷୀମାନଙ୍କ ଧାର୍ଯ୍ୟ ଧାନ ପରିମାଣ ଭୁଲଥିଲେ ସେବା ସମବାୟ ସମିତି କାର୍ଯ୍ୟାଳୟରେ ସଂଶୋଧନ କରିପାରିବେ । ଚାଷୀମାନେ ସେମାନଙ୍କ ଧାର୍ଯ୍ୟ ପରିମାଣର ଧାନ ଏକ କାଳୀନ ହିଁ ବିକ୍ରି କରିବେ । ଦ୍ଵିତୀୟ ଥର ପାଇଁ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯିବ ନାହିଁ । ସେହିପରି ଗତ ବର୍ଷ ଟୋକେନ୍ ଧାର୍ଯ୍ୟ ସମୟ ୭ ଦିନ ଥିବାବେଳେ ଚଳିତ ବର୍ଷ ଟୋକେନ୍ ଧାର୍ଯ୍ୟ ସମୟ ୩୦ ଦିନ ରଖା ଯାଇଛି । ଗତବର୍ଷ ପ୍ରକାରେ ଚଳିତ ବର୍ଷ ଟୋକେନ୍ ଓ ଟଙ୍କା ପୈଠ ସେହି ପ୍ରକାର କାର୍ଯ୍ୟକାରୀ ହେବ । ଚାଷୀମାନେ ନିଜର ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ ଆଧାର କାର୍ଡ ନମ୍ବର ସଠିକ୍ ଭାବେ ସେବା ସମବାୟ ସମିତିରେ ଦାଖଲ କରିବାକୁ ଅନୁରୋଧ କରାଯାଇଛି । ୧୪ଟି ସେବା ସମବାୟ ସମିତି ଥିବାବେଳେ କେତୋଟି ମଣ୍ଡି ଖୋଲାଯିବ ତାହା ଜିଲ୍ଲା ପ୍ରଶାସନ ଘୋଷଣା କରିବେ ବୋଲି ବୁଗୁଡା ଯୋଗାଣ ଅଧିକାରୀ ପ୍ରକାଶ କରିଛନ୍ତି ।

ରିପୋର୍ଟ : ଡ଼ଃ. କୁମୁଦ ଚନ୍ଦ୍ର ବେହେରା