

ଛତ୍ରପୁର (ସମୃଦ୍ଧ ଓଡିଶା) କରୋନା ମହାମାରୀ ମାନବ ଜାତିର ଅନେକ କ୍ଷତି ସାଧନ କରିଛି । ଆର୍ଥିକ, ସାମାଜିକ, ସାଂସ୍କୃତିକ କ୍ଷେତ୍ରକୁ ସମ୍ପୂର୍ଣ୍ଣ ଭାବେ କ୍ଷତି ପହଞ୍ଚାଇଛି ହେଲେ ଆମର ମନୋବଳକୁ ଭାଙ୍ଗି ପାରି ନାହିଁ । ନବେ ଦଶକରେ ଛଭତ୍ରପୁର ସହରରେ ଯେଉଁଭଳି ସାଂସ୍କୃତିକ ବିପ୍ଳବ ସାରା ରାଜ୍ୟରେ ଓ ଦେଶରେ ସହରକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲା ଏବେ ପୁଣି ସେହି ସୁଦିନ ଫେରିବ ବୋଲି ମତ ପ୍ରକାଶ ପାଇଛି । ଛତ୍ରପୁର ସହରର ୧୬୮ ବର୍ଷ ପୁରାତନ ରିଡିଂ ରୁମ ପରିସରରେ ଡ୍ରିମ୍ସ ଡ୍ୟାନ୍ସ ଏକାଡେମୀର ନୂତନ ପରିସର ଉଦଘାଟନ ଅବସରରେ ଯୋଗ ଦେଇ ଅତିଥି ମାନେ ଏହି ମତ ଦେଇଛନ୍ତି । ଏକାଡେମୀର ସଂସ୍ଥାପକ ସୋମନାଥ ଜେନାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ମୂଖ୍ୟ ଅତିଥି ଭାବେ, ଛତ୍ରପୁର ବ୍ଳକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡୀ, ସଙ୍ଗୀତଞ ଗୁରୁ ଗଣେଶ ପଟନାୟକ, ଓଡ଼ିଶୀ ନୃତ୍ୟଗୁରୁ ଅଳକା ସାହୁ, ସମାଜସେବୀ ଏମ କାମା ଶାସ୍ତ୍ରୀ, ସୁଧିର ପଟ୍ଟନାୟକ ଓ ବି ଶ୍ରୀନିବାସ ସମ୍ମାନିତ ଅତିଥି ଭାବେ, ଓକେସିଏଲର ଗଜପତି ଜିଲ୍ଲା ମୁଖ୍ୟ ଶ୍ରୀକାନ୍ତ ମହାନ୍ତି ମୁଖ୍ୟ ବକ୍ତାଭାବେ ଯୋଗ ଦେଇଥିଲେ । ପ୍ରଥମେ କଳା ବିକାଶ କେନ୍ଦ୍ରର ଛାତ୍ରୀମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ ପରେ ଅନୁଷ୍ଠାନର ନିର୍ଦ୍ଦେଶକ ପୂର୍ଣଞ୍ଜୟ ଜେନାଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସୁନ୍ଦର ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା । ନିର୍ଦ୍ଦେଶିକା ଅନିମା ସେନାପତି, ଦୀପକ ଦାଶ ଓ କାଳିଆ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।



