ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏହି ଅବସରରେ ଢେଙ୍କାନାଳରେ ଶ୍ରୀ ବଳଦେବ ଜୀଉଙ୍କ ଦେବସ୍ନାନ ପର୍ବ ପାଳିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ଜୀଉଙ୍କୁ ଘଣ୍ଟ, ଆଲଟ, ଚାମର, ଛତି, ତ୍ରାସ ଇତ୍ୟାଦି ପକାଇ ମହାସମାରୋହରେ ଶ୍ରୀ ମଦନ ମୋହନ ପଣ୍ଡା ମୁଖ୍ୟ ପହଣ୍ଡିଆ ଓ ଅନ୍ୟ ପହଣ୍ଡିଆ, ପୂଜା ପଣ୍ଡା, ଛତି, ତ୍ରାସ ଧରାଳି, ପାଳିଆ ସେବକ ଓ କାହାଳିଆ ଇତ୍ୟାଦିଙ୍କ ସହଯୋଗରେ ସ୍ନାନ ମଣ୍ଡପକୁ ବିଜେ କରାଯାଇଥିଲା । ତାପରେ ବଡ ମାଟି ହାଣ୍ଡିରେ ଶ୍ରୀ ଜୀଉଙ୍କ କୂପ ମଧ୍ୟସ୍ଥ ଜଳ ଭର୍ତ୍ତୀ କରାଯାଇ ବିଭିନ୍ନ ସୁବାସିତ ଦ୍ରବ୍ୟ ଯଥା ଅଗରୁ ଚନ୍ଦନ ଇତ୍ୟାଦି ପକାଯାଇ ସ୍ନାନ କାର୍ଯ୍ୟ ସମ୍ପାଦାନ କରାଯାଇଥିଲା । ଏହାପରେ ବସ୍ତ୍ର, ଅଳଙ୍କାର ଲଗାଯାଇ ପୂଜା ଅର୍ଚ୍ଚନା କରାଯାଇଥିଲା । ଏହାବ୍ୟତୀତ ବଳଦେବ ଜୀଉ ଭଜନ ସମାରୋହ ତରଫରୁ ଭଜନ ପରିବେଷଣ କରାଯାଉଥିଲା । ହଜାର ହଜାର ଭକ୍ତମାନଙ୍କ ଶାନ୍ତି ଶୃଙ୍ଖଳାର ସହ ମହାପ୍ରଭୁଙ୍କୁ ଦର୍ଶନ କରି ସୁଖ ଲାଭ କରିବା ନିମନ୍ତେ ଧାଡିରେ ଯିବା ପାଇଁ ପୋଲିସ ବିଭାଗ ତରଫରୁ ବ୍ୟବସ୍ଥା କରାଯାଇଥିଲା । ଅପରାହ୍ନ ସନ୍ଧ୍ୟା ପୂର୍ବରୁ ଠାକୁରଙ୍କ ଦୈନିକ ତିନି ଧୂପ ଏକା ସମୟରେ ଲାଗି କରାଯାଇଛି । ଖେଚୁଡ଼ି ଡାଲମା ଅନ୍ନ ଖଟା ପୁଳି କ୍ଷୀରି ଅନ୍ୟାନ୍ୟ ଫଳ ମିଷ୍ଟାନ ଭୋଗ କରାଯାଇଥିଲା । ଏହାପରେ ରାତ୍ର ୧୦.୩୦ ମିନିଟ ସମୟରେ ଧାଡି ପହଣ୍ଡିରେ ଠାକୁର ଅଣସ ଘରକୁ ବିଜେ କରିଥିଲେ । ଏଥିରେ ଦେବୋତ୍ତର ବିଭାଗର ଶ୍ରୀ ଯୁକ୍ତ ପ୍ରଦ୍ୟୁମ୍ନ ତ୍ରିପାଠୀ, ବଳଦେବ ଜୀଉ ମନ୍ଦିର ଜିମାଦାର ଦୁର୍ଯ୍ୟୋଧନ ଦାସ, ଭାଗିରଥି ପଣ୍ଡା(ପୂଜା ପଣ୍ଡା), ଶମ୍ବୁନାଥ ମହାପାତ୍ର, ନିର୍ମଳ ମହାନ୍ତି(ପାଳିଆ) ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି