ଢେଙ୍କାନାଳର ସଚେତନ ନାଗରିକ ଫୋରମ ପକ୍ଷରୁ ଦୁର୍ନତି ଓ ନିଶାସେବନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ଦାବୀ ପତ୍ର…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ଦୁର୍ନତି ଏବଂ ନିଶାସେବନ ଦୁଇଟି ମୁଖ୍ୟ ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ସେହି ଦାବୀ ପତ୍ରରେ ଉଲ୍ଲେଖ ଅଛି ଯେ ସମାଜରେ ଦୁର୍ନତି ଏବଂ ନିଶାସେବନ ଦୁଇଟି ଭୟଙ୍କର ବ୍ୟାଧି ରୂପେ ଦେଖାଦେଇଛି । ଏହାର କ୍ରମବର୍ଦ୍ଧିଷ୍ଣୁ ରୂପର ପ୍ରଭାବ ନିରୀହ ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ ଏବଂ ଭୀତତ୍ରସ୍ତ କରି ସାରିଲାଣି । ଦୁର୍ନୀତିର ପ୍ରଭାବରେ ନୀରିହ ଜନସାଧାରଣ ସାମାଜିକ ନ୍ୟାୟରୁ ବଞ୍ଚିତ ହେଉଛନ୍ତି । ମଦୁଆମାନଙ୍କ ପ୍ରଭାବରେ ଦିନ ଦ୍ଵିପ୍ରହରରେ ଝିଅ ବୋହୁମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ଦିନକୁ ଦିନ ନାରୀ ଏବଂ କୋମଳମତି ନାବାଳିକା ଧର୍ଷଣର ଶିକାର ହେଉଛନ୍ତି । ତେଣୁ ଆଜିର ନଷ୍ଟଭ୍ରଷ୍ଟ, ଅଵ୍ୟଵସ୍ଥିତ ଏବଂ ଅସୁରକ୍ଷିତ ସମାଜକୁ ବ୍ୟବସ୍ଥିତ ଓ ସୁରକ୍ଷିତ କରିବା ନିମନ୍ତେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଦାବି କରାଯାଇଛି । ଏହି ଦାବୀ ପତ୍ର ପ୍ରଦାନ ସମୟରେ ସଚେତନ ନାଗରିକ ଫୋରମର ବହୁ କର୍ମକର୍ତ୍ତାମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି