ତିତଲିରେ ୮୧୩ କୋଟି ଟଙ୍କା ଖର୍ଚ୍ଚର ହିସାବ ମାଗୁଛି ବିଜେପି….

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସାମୁଦ୍ରିକ ଘୂର୍ଣ୍ଣିଝଡ ତିତଲିରେ କ୍ଷତିଗ୍ରସ୍ତ ହୋଇଥିବା ଅଂଚଳରେ ଏବେ ବି ସୁଧାର ଆସିନାହିଁ । ତିତଲି ପୀଡିତ ମାନେ ଏବେବି ଦୁସ୍ଥିତିରେ ରହିଛନ୍ତି । ସମ୍ପୃକ୍ତ ଅଂଚଳରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାପାଇଁ ୮୧୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ରାଜ୍ୟ ସରକାର ଦେଇଥିବା ତଥ୍ୟ ଭୁଲ୍ । କେଉଁ କେଉଁ କାର୍ଯ୍ୟରେ ଏହି ଟଙ୍କା ଖର୍ଚ୍ଚ ହୋଇଛି ତାର ହିସାବ ସାଧାରଣରେ ପ୍ରକାଶ କରିବାପାଇଁ ବିଜେପି ଦାବି କରିଛି । ତିତଲି କ୍ଷତିଗ୍ରସ୍ତ ଅଂଚଳରେ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବାପରେ ବିଜେପି ଟିମ୍ ର ନେତୃତ୍ୱ ନେଇଥିବା ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ ଏବେ ବି ସେଠାରେ ରାସ୍ତାଘାଟ ମରାମତି ହୋଇନାହିଁ । ସ୍କୁଲ ଘରେ ପୀଡିତ ମାନେ ଆଶ୍ରୟ ନେଇଛନ୍ତି । ଉପୁଡି ପଡିଥିବା ବିଦ୍ୟୁତ୍ ଖୁଂଟ ମରାମତି ହୋଇନାହିଁ ।ଏତେ ଦିନ ପରେ ବି ପ୍ରଶାସନ ପୀଡିତଙ୍କ ପାଖରେ ପହଂଚିନାହିଁ । କ୍ଷତିଗ୍ରସ୍ତଙ୍କୁ ଘର କାମ ଆରମ୍ଭ ମଧ୍ୟ ହୋଇନାହିଁ । ସାହାଯ୍ୟ , ସହଯୋଗ ମଧ୍ୟ ପହଂଚୁନାହିଁ । ମୃତ ଗୃହ ପାଳିତ ପଶୁ ପକ୍ଷୀଙ୍କ ପାଇଁ କ୍ଷତିପୂରଣ ମଧ୍ୟ ମିଳିନାହିଁ । ଯେଉଁ ସାହାଯ୍ୟ ଦିଆଯାଇଛି ତାହା ରାଜନୈତିକ ଭିତିରେ ଦିଆଯାଇଛି । ସେଠାକାର ବାସ୍ତବ ସ୍ଥିତି ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ସେଠାକୁ ଯାଆନ୍ତୁ । ଲୋକେ ଯେଉଁ ଅବସ୍ଥାରେ ଅଛନ୍ତି ତାହା ବର୍ଣ୍ଣନା କରିବା ସମ୍ଭବ ନୁହେଁ । ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧୀଦଳ ତିତିଲି ବାତ୍ୟା ଜନିତ କ୍ଷୟକ୍ଷତିର ଆକଳନ ଏବଂ ରିଲିଫ କାର୍ଯ୍ୟର ତଦାରଖ କରିବା ସହ ସରଜମିନ ତଦନ୍ତ କରି ଫେରିଛି । ଏହି ପ୍ରତିନିଧୀ ଦଳ ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକର କୁମାରଡିହ ଗ୍ରାମ, ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅର୍ନ୍ତଗତ ମଡା, ସିନ୍ଦିଲିଙ୍ଗ, ରାଇଘର, କଇଁପୁର ଗ୍ରାମ ସହ ବିଭିନ୍ନ ଅଂଚଳ ପରିଦର୍ଶନ କରି ସରଜମିନ ତଦନ୍ତ କରିବା ସହ କ୍ଷତିଗ୍ରସ୍ତ ଲୋକଙ୍କ ସହ ଆଲୋଚନା କରିଛନ୍ତି । ସରଜମିନ ସ୍ତରରେ ରାଜ୍ୟସରକାରଙ୍କ ରିଲିଫ ବଂଟନଠୁ ଆରମ୍ଭ କରି ଲୋକଙ୍କୁ ଥଇଥାନ କରିବା ପର୍ଯ୍ୟନ୍ତ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ଫେଲ୍ ମାରିଛି । ତିତ୍ଲି କ୍ଷୟକ୍ଷତିକୁ ନେଇ ରାଜ୍ୟସରକାରଙ୍କ ତଥ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତିତିଲିର ସତ, ରାଜଧାନୀରେ ମନ୍ତ୍ରୀ ଓ ଅଧିକାରୀଙ୍କ ନାଟ ବୋଲି ବିଧାୟକ ଶ୍ରୀ ପୁରୋହିତ କହିଛନ୍ତି । ପଲିଥିନ ଏବଂ ଚାଉଳ ବଂଟନରେ ଅନିୟମିତତା ହୋଇଛି । ମୃତକ ପରିବାରକୁ ଏଯାବତ୍ ସହାୟତା ମିଳିନାହିଁ । ଭୁବନେଶ୍ୱରରେ ସରକାର ତିତିଲିକୁ ସୁନା କରିଛନ୍ତି ବୋଲି କହି ଚାଲିଥିବାବେଳେ ତିତିଲି ବାତ୍ୟାର ୪୫ ଦିନ ପରେ ବି କ୍ଷତିଗ୍ରସ୍ତ ପରିବାର ଖୋଲା ଆକାଶ ତଳେ ଭୋକ ଉପାସରେ ଜୀବନ କଟାଉଛନ୍ତି । ଗୋଟିଏ ପଟେ ରାଜ୍ୟ ସରକାର କ୍ଷତିଗ୍ରସ୍ତଙ୍କୁ ଅର୍ଥ ପ୍ରଦାନ କରାଯାଇଛି ବୋଲି କହୁଥିବାବେଳେ ଅନ୍ୟ ପଟେ କ୍ଷତିପୂରଣ ଅର୍ଥ ପାଇନଥିବାର ଅଂଚଳବାସୀ ଅଭିଯୋଗ କରୁଛନ୍ତି । କେଉଁ ମାନଙ୍କୁ କେତେ ଅର୍ଥ କ୍ଷତିପୂରଣ ବାବଦରେ ପ୍ରଦାନ କରାଯାଇଛି, ତାହା ରାଜ୍ୟ ସରକାର ତୁରନ୍ତ ସ୍ପଷ୍ଟ କରନ୍ତୁ ଏବଂ ପାଇନଥିବା କ୍ଷତିଗ୍ରସ୍ତଙ୍କୁ ପ୍ରଦାନ କରିବାର ବନ୍ଦୋବସ୍ତ କରିବାକୁ ଶ୍ରୀ ପୁରୋହିତ ଦାବୀ କରିଛନ୍ତି । ସେହିପରି ଭାଙ୍ଗି ଯାଇଥିବା ଘରଗୁଡିକ କେବେ ସୁଦ୍ଧା ନିର୍ମାଣ ସରିବ ଏବଂ ପଶୁଧନ ସଂପତିର କ୍ଷତିପୂରଣ କେବେ ସୁଦ୍ଧା ଭରଣ କରିବେ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ରବି ନାଏକ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର ରାଜନୀତିରୁ ବାହାରି ନିଜ ଅଫିସରମାନଙ୍କୁ କ୍ଷତିଗ୍ରସ୍ତ ଗାଁକୁ ପଠାଇ ସେମାନଙ୍କୁ ଆର୍ଥିକ ସହାୟତା ଦେବା ସହ କ୍ଷତିଗ୍ରସ୍ତ ଲୋକଙ୍କ ସମସ୍ୟାର ସମାଧାନ ତୁରନ୍ତ କରନ୍ତୁ ବୋଲି ଶ୍ରୀ ନାଏକ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଆକାଶ ମିଶ୍ର