ତୁମେ ସବୁ କ’ଣ କର କି ?…

ଶିବରାତ୍ରି ପାଇଁ ଶୁକ୍ରବାର ଦିନଟା ଛୁଟି । ତା ସାଙ୍ଗକୁ ଶନିବାର ଓ ରବିବାର ବି ଅଫିସ ଛୁଟି । ମମତାର ବାପା ଅଫିସ କାମପାଇଁ ଭୂବନେଶ୍ବର ଗାଡିଧରି ଆସୁଛନ୍ତି । ସେଇ ସୁଯୋଗର ସଦୁପଯୋଗ ପାଇଁ ସେ ଗାଁକୁ ଥରେ ଯାଇ ବୁଲି ଆସିବାର ପ୍ରୋଗ୍ରମ ବନେଇଲା । ସେ ଏଇ ପ୍ରୋପୋଜାଲ ତା ସ୍ବାମୀ ମହ୍ଲାରକୁ ଜଣାଇଲା । ସେ ବି ରାଜି ହେଇଗଲେ ଥରେ ଘରଆଡୁ ବୁଲି ଆସିବାକୁ । ତାଙ୍କର ଗେହ୍ଲୀଝିଅ ରୁମ୍ଝୁମ୍ ଅଜା ଆଈ ନାନୁ ନାନିମାଙ୍କର ଅତ୍ୟନ୍ତ ଲାଡଲୀ । ତାକୁ ଥରେ ଦେଖିବାକୁ ସେମାନେ ଝୁରି ହେଉଥାନ୍ତି । ଦୁଇଦିନ ସେମାନଙ୍କ ସହ ରହିକି ଆସିଲେ ସମସ୍ତେ ଖୁସି ହେଇଯିବେ । ସନ୍ଧ୍ୟା ଆଗରୁ ଚାରିଟାବେଳେ ସେମାନେ ଭୂବନେଶ୍ବର ଛାଡିବା କଥା । ହେଲେ ମମତାର ବାପାଙ୍କ କାମ ସରିଲାନି । ସେ ରାତି ଆଠଟାରେ ଫେରିଲେ ତେଣୁ ରାତି ନଅଟା ପାଖାପାଖି ସେମାନେ ଯାତ୍ରା ପାଇଁ ବାହାରିଲେ । ତା ବାପା ଅଫିସ ଇନ୍ଚାର୍ଯ ଥିବାରୁ ଅଫିସର ବଲେରୋ ନେଇ ଆସିଥିଲେ କାମ ପାଇଁ । ସେଇ ସୁଯୋଗରେ ସେମାନେ ଆସୁଥିଲେ । ରାସ୍ତାରେ ଗୋଟିଏ ଢାବା ଦେଖି ସେମାନେ ରାତ୍ରିଭୋଜନ କଲେ । ହେଲେ ରାତ୍ରୀସାରା ଅନିଦ୍ରା ରହିବା ଫଳରେ ମମତା ରୁମ୍ଝୁମ୍ ଓ ଡ୍ରାଇଭର ତିନିଜଣଙ୍କୁ ବାନ୍ତି ହେଲା । ପେଟ ଘାଣ୍ଟି ହେଉଥାଏ । ଏମିତି ଅବସ୍ଥାରେ ଝାରସୁଗଡା ପହଞ୍ଚିବା ବେଳକୁ ରାତି ଚାରିଟା ହେଇ ସାରିଥାଏ । ଝାରସୁଗୁଡା ତା ଶଶୁର ଘରେ ବେଡରୁମ୍ ମାନଙ୍କରେ ଓ୍ବାଡରବ୍ ସବୁ ତିଆରି ହେଉଥିବାରୁ ରାତି ଏଗାର ଯାଏ ବଢେଇଙ୍କ କାମ ଚାଲୁଥିଲା । ଘରସାରା କାଠଗୁଣ୍ଡ ହେଇଥିଲା । ବିମଳା ଚାରିଟା ଆଗରୁ ଉଠି ଘର ଝାଡୁ ପୋଛାରେ ଲାଗିଥିଲେ । ଏତିକି ବେଳକୁ ବାହାରେ ଗାଡି ଆସିବାର ଶବ୍ଦ ହେଲା । ବିମଳା ବାହାରକୁ ବାହାରି ଆସିଲେ ଦରଜା ଖୋଲିବାକୁ । ଘର ବାହାରେ ତାଙ୍କର ଦରୁଆନ ରାତିସାରା ଜଗେ । ତାକୁ କହିଲେ ଗେଟ୍ ର ଦରଜା ଖୋଲିବାକୁ । ନାତୁଣୀ ରୁମ୍ଝୁମ୍ ତା ନାନୁ ପାଖରେ ପାଉହୋଇ ଉତୁରିଲା । ଆଈମାକୁ ଦେଖି ଲହଁପି ଆସିଲା ତାଙ୍କ ପାଖକୁ । ଏବେ ଆଉ ଅଚିହ୍ନା କରୁନି । ଛୋଟବେଳେ ଅଚିହ୍ନା କରୁଥିଲା ସମସ୍ତଙ୍କୁ l କେବଳ ବାପା ମାାଆ ପାଖେ ରହୁଥିଲା । ବିମଳା କହିଲେ ଏତ ରୁମ୍ଝୁମ୍ ର ଘର । ସେ ସବୁ ବଖରା ବୁଲେଇ ଦେଖେଇ ଦେଲେ । ତାପରେ ସେ କୋଳରୁ ଉତୁରି ଘରସାରା ବୁଲିବାକୁ ଲାଗିଲା । ପୁଅ ବୋହୁ ରାତିସାରା ଅନିଦ୍ରା ଥିବାରୁ ତାଙ୍କୁ କିଛି ସମୟ ଶୋଇଯିବା ପାଇଁ କହିଲା । ଏତେବେଳକୁ ରୁମ୍ଝୁମ ତା ଡକ୍ଟର ଦାଦାର ବଖରାକୁ ଯାଇ ତାଙ୍କୁ ଉଠାଇ ସାରିଥାଏ । ତାର ରୁମୁଝୁମୁ ପାଉଁଜିର ସ୍ବରରେ ତାଙ୍କ ନିଦ ଭାଙ୍ଗି ସାରିଥିଲା । ସେ ଉଠି ତାକୁ ପାଉ କରିନେଲେ । ବିମଳା କହିଲେ ତୁମେ ରୁମ୍ଝୁମକୁ କଛିସମୟ ସମ୍ଭାଳ । ମତେ ଘର ପୋଛିବାକୁ ଅଛି ଘରଟା ଗୁଣ୍ଡ ଗୁଣ୍ଡ ହେଇଛି । ସେ ଘୁସୁରିଲେ କୁଣ୍ଡେଇ ହେବ । ଶିବରାତ୍ରୀ ପାଇଁ ମତେ ଶିବ ମନ୍ଦିରର କବିତା ଆସରରେ ଯିବାକୁ ଅଛି ତେଣୁ ରୋଷେଇ ବି ସାରିବାକୁ ପଡିବ । ନହେଲେ ତୁମକୁ ହଇରାଣ କରିନ ଥାନ୍ତି । ତାଙ୍କର ନିଦ ପୂରା ହେଇନ ଥାଏ । ଏମିତି ଦେରିରେ ଶୋଇବାରୁ ତାଙ୍କୁ ସକାଳେ ଭଲ ନିଦ ହୁଏ । ସେ ବାଧ୍ୟ ହୋଇ ଏ ଦାୟିତ୍ବ ତୁଲାଇବାକୁ ରାଜି ହେଲେ । ଏବେ ରୁମ୍ଝୁମ୍ ଯୁଆଡେ ଯାଉଥିଲା ତା ପଛେ ପଛେ ସେ ଯାଉଥିଲେ । କେବେ ଏ ବେଡରୁମ କେବେ ସେ ବେଡରୁମ କେତେବେଳେ ରୋଷେଇ ଘରେ ଯାଇ ଡ୍ରୟର ସବୁ ଟାଣି ଦେଖୁଥିଲା । ଡ୍ରଇଂରୁମ୍ କୁ ଆସି ବିମଳାଙ୍କ ଲେଖାପଢା ପାଇଁ ରଖଥିବା ଖାତାପତ୍ର ଓ ପତ୍ରିକା ଡଟ୍ ସବୁ ଯାହାଥିଲା ସବୁ ଫିଙ୍ଗି ବାକୁ ଲାଗିଥାଏ । ଦାଦା ଯେତିକି ଉଠାଇ ସଜାଡୁଥାନ୍ତି ସେ ସେତିକି ଯୋର୍ ରେ ପୁଣି ଫିଙ୍ଗି ଚାଲିଥାଏ । ଡଟ୍ ପେନଟେ ଧରିବାରୁ ତାକୁ ଖାତାଟେ ଦେଲେ ଲେଖିବାକୁ ହେଲେ ସେ ଖାତାରେ ଟିକେ ଗାରେଇବା ପରେ କାନ୍ଥ ମାନଙ୍କରେ ଗାରେଇ ବାକୁ ଲାଗିଲା । ସେ ତାକୁ ନେଇ ନିଜ ବେଡରୁମକୁ ଗଲେ ସେଠି ତାକୁ କିଛି ଖେଳିବାକୁ ଦେଇ ଖଟରେ ଗଡି ପାରିବେ । ହେଲେ ସେ କଣ ଗୋଟିଏ ଜାଗାରେ ବସିବାର ଜନ୍ତୁ । ଖଟରୁ ଓହ୍ଲାଇ ପାଖ ଡ୍ରେସିଙ୍ଗ ଟେବୁଲରେ ଥିବା କ୍ରିମ ପାଉଡର ନେଲପଲିସ୍ ସେଣ୍ଟଶିଶି ପାନିଆ ଲିପଷ୍ଟିକ ସବୁ ଚାରିଆଡେ ବୁଣିଦେଲା । ସେଠୁ ତାକୁ ଟାଣିକି ବାହାରକୁ ନେଇଆସିଲେ । ବିମଳା ଘରପୋଛା ସାରିଥିଲେ । ଏବେ ରୋଷେଇରେ ଲାଗିିଥିଲେ । ସ୍ବାମୀଙ୍କ ଅବସ୍ଥା ଦେଖି ହସ ମାଡୁଥିଲା । ସେ ଗିନାରେ କିଛି ପାନମହୁରୀର କଲରଫୁଲ ଚକଲେଟ ତାକୁ ଖାଇବାକୁ ଦେଲେ । ସେଟା ତାର ବହୁତ ପସନ୍ଦ । ସେଥିରେ ବା ମୋବାଇଲରେ ରାଇମ୍ସ ଲଗାଇଦେଲେ ସେ ଟିକେ ସ୍ଥିର ହେଇବସେ । ହେଲେ ଡାକ୍ତରଙ୍କ ଦୁଇଟାଯାକ ଫର୍ମୁଲା ପସନ୍ଦ ନୁହଁ । ପିଲାଙ୍କୁ ମୋବାଇଲ ଠୁ ଦୂରେ ରଖିବାକୁ କୁହନ୍ତି । ଚକଲେଟ ବି ଭଲ ନୁହେଁ ବୋଲି କୁହନ୍ତି । ହେଲେ ଏବେ ବାଧ୍ୟହୋଇ ଚକଲେଟ୍ ଖାଇବାକୁ ଦେଲେ।ଚକଲେଟ୍ ଖାଇସାରି ପାଣି ପିଇବାକୁ ମାଗିଲା । ବିମଳା ତାର ଛୋଟଗ୍ଲାସରେ ପାଣି ପିଆଇବାକୁ ଲାଗିଲେ ହେଲେ ସେ ତାଙ୍କ ହାତରୁ ନ ପିଇ ନିଯେ ପିଇବ ବୋଲି ଟାଣି ନେଇଗଲା । ଗ୍ଲାସ ଧରି ଏଘର ସେଘର ହେଉଥାଏ । ତାପଛେ ପଛେ ଡାକ୍ତର । ଗ୍ଲାସକୁ ଛଡେଇବାର ଚେଷ୍ଟାରେ ତାପଛେ ଲାଗିଥାନ୍ତି । ହେଲେ ସେ ତାର ଧୁନ୍ ରେ ଚାଲିଥାଏ ଶେଷରେ ପାଣିଗ୍ଲାସଟା ନେଇ ଖଟର ଗଦାରେ ଢାଳିଦେଲା । ତାର ଏପରି ଚଗଲାମି ଦେଖି ଶେଷରେ ବିମଳା କହିଲା ତୁମ ମୋବାଇଲରେ ରାଇମ୍ସ ଲଗାଇଦିଅ ସେ ବସିକି ଦେଖିବ । ସେ ରାଇମ୍ସ ଲଗାଇଲା ବେଳକୁ ସେ ତାଙ୍କଠୁ ଖସି ତାମାଆପାଖକୁ ଚାଲିଯାଇ କୋଳରେ ପଶି ଦୁଧ ଖାଇ ଶୋଇଗଲା । ବିମଳା ସ୍ବମୀଙ୍କୁ କହିଲେ ତୁମେ ସବୁବେଳେ କୁହ ତୁମେ ସ୍ତ୍ରୀ ମାନେ ଘରେ କଣ କର କି ? ଦେଖିଲତ ତୁମେ ଘଣ୍ଟାଏ ନାତୁଣୀକୁ ସମ୍ଭାଲି ପାରିଲନି । ହେଲେ ବୋହୁ ତାକୁ ସବୁ ଘର କାମକରି କେମିତି ସମ୍ଭାଲୁଥିବ । ସ୍ତ୍ରୀମାନେ ଏସବୁ କରନ୍ତି । ହେଲେ ତୁମ ପୁରୁଷ ମାନଙ୍କ ପାଖରେ ତାଙ୍କ କାମର କିଛି ମୂଲ୍ୟ ନାହିଁ । ତୁମେମାନେ ସହଜରେ କେମିତି କହିଦିଅ ତୁମେ ସବୁ ଘରେ ବସି କଣ କର କି ?