ତୁଳୁ-ମାର୍କଣ୍ଡି ରାସ୍ତାରେ ପାଣି,ବିପଦସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଲୋକେ:ଜମି ବିବାଦରୁ ଅଟକି ରହିଛି ବ୍ରିଜ୍‌ ଆପ୍ରୋଚ୍‌ ରୋଡ…

ଗୋପାଳପୁର (ସମୃଦ୍ଧ ଓଡିଶା) ଗତ କିଛିଦିନ ଧରି ଗଞ୍ଜାମ ଜିଲାରେ ହୋଇଥିବା ଲଗାଣ ବର୍ଷାରେ ଗ୍ରାମାଞ୍ଚଳର ରାସ୍ତାଘାଟ, ଚାଷଜମି ଏବେଯାଏ ଜଳମଗ୍ନ ହୋଇ ରହିଛି । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେବି କେତେକ ସ୍ଥାନରେ ବର୍ଷା ଲାଗି ରହିଛି । ରଙ୍ଗେଇଲୁଣ୍ଡା ବ୍ଲକ ମାର୍କଣ୍ଡି ପଞ୍ଚାୟତ ତୁଳୁ ଠାରୁ ମାର୍କଣ୍ଡି ସଂଯୋଗ କରୁଥିବା ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହେଉଛି । ଫଳରେ ଲୋକେ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି । ପ୍ରକାଶ ଯେ, ତୁଳୁ-ମାର୍କଣ୍ଡି ରାସ୍ତାରେ ରହିଛି ପାଟନାଳର ଏକ ପୋଲ । ଘୋଡକା ନାଳର ପାଣି ଏହି ପାଟନାଳ ଦେଇ ସମୁଦ୍ରରେ ପଡିଥାଏ । ଜୋରରେ ବର୍ଷାହେଲେ ପାଟନାଳ ଦେଇ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତା ଉପରେ ସୁଅ ଛୁଟେ। ଫଳରେ ମାର୍କଣ୍ଡି ଗ୍ରାମବାସୀଙ୍କ ଚିନ୍ତା ବଢିଯାଏ । ବିପଦସଙ୍କୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ ଯାତାୟାତ କରନ୍ତି । ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟେ । ଏହାକୁ ଦୃଷ୍ଟିରେ ରଖି ୨୦୧୨ରେ ରଣ୍ଢା, ତୁଳୁ ଓ ମାର୍କଣ୍ଡି ଦେଇ ରାସ୍ତା ନିର୍ମାଣ ପାଇଁ ୯ କୋଟି ଟଙ୍କା ମଞ୍ଜୁର ହୋଇଥିଲା । ତୁଳୁ ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ହୋଇଥିବାବେଳେ ପାଟନାଳ ଉପରେ ଏକ ପୋଲ ହୋଇଛି । ମାତ୍ର ଏହାର ସଂଯୋଗୀକରଣ ରାସ୍ତା ଜମିବାବଦ ଯୋଗୁ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ପ୍ରାୟ ୪ ବର୍ଷ ହେଲା କାମ ବନ୍ଦ ରହିଛି । ଏନେଇ ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ଦେଖାଯାଉନାହିଁ । ମାର୍କଣ୍ଡି ଗ୍ରାମରେ ପ୍ରାୟ ନୋଳିଆ ସମ୍ପ୍ରଦାୟର ଲୋକେ ରୁହନ୍ତି । ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ଉପ ନିର୍ବାହୀଯନ୍ତ୍ରୀ ରାମଚନ୍ଦ୍ର ସେଠୀଙ୍କୁ ପଚାରିବାରୁ, ଏନେଇ ଉଚ୍ଚ ପଦାଧିକାରୀଙ୍କୁ ଜଣାଇ ଦିଆଯାଇଛି । ଜମିଜମା ସମସ୍ୟା ରହିଥିବା ଯୋଗୁଁ କାମ ସମ୍ପୂର୍ଣ୍ଣ ହୋଇପାରୁନଥିଲା । ଏବେ ଏହି ଜମି ସମସ୍ୟାର ସମାଧାନ ହୋଇଯାଇଛି । ବର୍ଷା କମିଲେ ଖୁବଶୀଘ୍ର ଉକ୍ତ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା