ଛତ୍ରପୁର (ସମୃଦ୍ଧ ଓଡିଶା) ଗ୍ରାମ୍ୟ ରାସ୍ତା ଦେଇ ଗୋପାଳପୁର ବନ୍ଦର ଓ ଆଇଆରଇକୁ ମାଲ ପରିବହନ କରାଯିବା ନିମନ୍ତେ ଭାରୀଯାନ ଚଳାଚଳକୁ ସ୍ଥାନୀୟ ଲୋକେ ବିରୋଧ କରିବା ଜାରି ରଖିଥିବା ବେଳେ ତାହାକୁ ନେଇ ଗତକାଲି ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଛତ୍ରପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିଲା । ସେଥିରେ ଭାରୀଯାନ ଚଳାଚଳ ବିଷୟକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା କରାଯାଇଥିଲା । ଏହାପରେ ଭାରୀଯାନ ଚଳାଚଳକୁ ନେଇ ଲାଗି ରହିଥିବା ସମସ୍ୟା ସମାଧାନ କରାଯାଇଥିଲା । ସମାଧାନ ପରେ କାଳିଆବାଲି ଛକ ଠାରୁ ମାଟିଖାଲ ରାସ୍ତା ଏବଂ ପୁରୁଣା ଛତ୍ରପୁର ଠାରୁ କଣମଣା ରାସ୍ତା ଦେଇ ବନ୍ଦରକୁ କେବଳ ରାତିରେ ଭାରୀଯାନ ଚଳାଚଳ କରାଯିବା ନେଇ ସ୍ଥିର କରାଯାଇଛି । ଏଥିପାଇଁ ୮୦ ରୁ ୯୦ ଜଣ ସୁରକ୍ଷା କର୍ମୀଙ୍କୁ ନିଯୁକ୍ତ କରାଯିବ । ଉକ୍ତ ରାସ୍ତା ଦେଇ ଭାରୀଯାନ ଚଳାଚଳ କରିବା ସମୟରେ ସୁରକ୍ଷା କର୍ମୀମାନେ ତଦାରଖ କରିବେ । ବନ୍ଦର କର୍ତ୍ତୃପକ୍ଷଙ୍କ ପାରିପାର୍ଶ୍ଵିକ ବିକାଶମୂଳକ ଯୋଜନାରେ ସମସ୍ତ ଗ୍ରାମ ଗୁଡିକରେ ମୌଳିକ ସୁବିଧା ଯଥା, କାଳିଆବାଲି ଛକ ଠାରୁ ମାଟିଖାଲ ପର୍ଯ୍ୟନ୍ତ ପକ୍କାରାସ୍ତା, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ବିଦ୍ୟୁତ ବ୍ୟବସ୍ଥା ଆଦି ଗ୍ରାମବାସୀଙ୍କ ମତାମତ ନେଇ କରାଯିବ ବୋଲି କୁହାଯାଇଛି । ସେହିପରି ପ୍ରତ୍ୟେକ ଗ୍ରାମରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ବିକାଶ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ବୈଠକରେ ନିଷ୍ପତି କରାଯାଇଛି । ଅନ୍ୟପକ୍ଷେରେ ପ୍ରତ୍ୟହ ଦିନ ସାଢେ ୧୦ରୁ ସାଢେ ୧୨ ପର୍ଯ୍ୟନ୍ତ ଉକ୍ତ ରାସ୍ତାରେ ବନ୍ଦରକୁ ଭାରୀଯାନ ଚଳାଚଳ କରିବା ଲାଗି ଜିଲ୍ଲା ପ୍ରଶାସନ ଓ ବନ୍ଦର କର୍ତ୍ତୃପକ୍ଷ ଅନୁରୋଧ କରିଥିଲେ ହେଁ ଗ୍ରାମବାସୀ ରାଜି ହୋଇ ନ ଥିଲେ । ଏହି ବୈଠକରେ ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଏସଡିପିଓ ଉତ୍କଳ କେଶରୀ ଦାଶ, ତହସିଲଦାର ନୀଳମାଧବ ଭୋଇ, ଆସିଷ୍ଟାଣ୍ଟ କଲେକ୍ଟର ଶରତ କୁମାର ପାତ୍ର, ଗୋପାଳପୁର ବନ୍ଦର ସିଇଓ କ୍ୟାପଟନ ସନ୍ଦୀପ ଅଗ୍ରୱାଲ, କଣମଣା ସରପଞ୍ଚ ଏସ. ଚକ୍ରପାଣି ରେଡ୍ଡୀ, ଏନ.ୱର୍ଦ୍ଧରାଜୁଲୁ ରେଡ୍ଡୀ, ଭାଗିରଥି ବେହେରା, ପୂର୍ବତନ ସରପଞ୍ଚ ଟି.କ୍ରିଷ୍ଣା ରେଡ୍ଡୀ, ବାଦଲ ବେହେରା, ଏସ.ରାମେୟା ରେଡ୍ଡୀ, ରଞ୍ଜନ କୁମାର ସେଠିଙ୍କ ସମେତ ବହୁ ଗ୍ରାମବାସୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା