ତ୍ରୁଟିପୂର୍ଣ୍ଣ ଆଟ୍ରୋସିଟି ଆଇନ ପ୍ରତ୍ୟାହାର ଦାବିରେ ଶାନ୍ତିପୂର୍ଣ୍ଣ ଭାରତ ବନ୍ଦ

ଭୁବନେଶ୍ୱର (ସମୃଦ୍ଧ ଓଡିଶା) : ତ୍ରୁଟିପୂର୍ଣ୍ଣ ଆଟ୍ରୋସିଟି ଆଇନ ପ୍ରତ୍ୟାହାର ଦାବିରେ ଆଜି ଓବିସି ଓ ସାଧାରଣ ବର୍ଗଙ୍କ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ଭାରତ ବନ୍ଦ ପାଳନ କରାଯାଇଥିଲା । ଓବିସି ଓ ସାଧାରଣ ବର୍ଗ ଲୋକମାନେ ପ୍ରତୀକାତ୍ମକ ରୂପେ କିଛି ସମୟ ପାଇଁ ଜାତୀୟ ରାଜପଥ ଉପରେ ରାସ୍ତା ଅବରୋଧ କରିଥିଲେ । ଇଣ୍ଡିଆ ଏଗନେଷ୍ଟ ରିଜର୍ଭେସନ ପକ୍ଷରୁ ସଭାପତି ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଜାତିଭିତ୍ତିକ ଯୋଜନା ଓ ଜାତିଗତ ଭେଦଭାବପୂର୍ଣ୍ଣ ନୀତିର କଡ଼ା ବିରୋଧ କରିଥିଲେ । ଉଭୟ ସରକାର ଜାତିଗତ ଭୋଟବ୍ୟାଙ୍କ ରାଜିନୀତି କରିବାକୁ ଯାଇ ସମ୍ପୂର୍ଣ୍ଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ସାରିଲେଣି ବୋଲି ସେ ଅଭିଯୋଗ କରିଥିଲେ । ତୁରନ୍ତ ଏଭଳି ସମାଜବିରୋଧୀ କାର୍ଯ୍ୟରୁ ସରକାର ନିବୃତ୍ତ ହେବାକୁ ସେ ଆହ୍ୱାନ ଦେଇଥିଲେ । ଶାସନଗାଦିରେ ବସି ସରକାର ଦେଶବାସୀଙ୍କ ଭିତରେ ଜାତିବାଦର ବିଷମଞ୍ଜି ବୁଣିବା ବନ୍ଦ କରନ୍ତୁ ବୋଲି ଅନ୍ୟତମ ଆରକ୍ଷଣ ବିରୋଧୀ କର୍ମୀ ରମେଶ ଚନ୍ଦ୍ର ଦାସ କହିଥିଲେ । ଜାତିଭିତ୍ତିକ ରାଜନୀତି ଦେଶକୁ ବର୍ବାଦ କରିବା ସହ ସମାଜ ଭିତରେ ସାମାଜିକ ସୌହାର୍ଦ୍ଦ୍ୟ ନଷ୍ଟ କରୁଛି ବୋଲି ଇଣ୍ଡିଆ ଏଗନେଷ୍ଟ ରିଜର୍ଭେସନର ସାଧାରଣ ସମ୍ପାଦକ ଉଦ୍ଧବ କର ମତବ୍ୟକ୍ତ କରିଥିଲେ । ରୁଦ୍ରନାରାୟଣ ସେନା ପକ୍ଷରୁ ଜେନେରାଲ ଦୀନବନ୍ଧୁ ଷଡ଼ଙ୍ଗୀ ସରକାରଙ୍କ ଜାତିଭିତ୍ତିକ ଭେଦଭାବପୂର୍ଣ୍ଣ ନୀତିର କଡ଼ା ବିରୋଧ କରିବା ସହ ସରକାର ଏଇ ଜାତିବାଦର ନିଆଁ ଲଗେଇ ସରକାର ଆଉ ଏକ ବିଭାଜନ ପାଇଁ ବାଟ ତିଆରି କରୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ସାଧାରଣ ବର୍ଗର ସମାନତା ଅଧିକାର କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ ସାମାଜିକ କର୍ମୀ ବିନାୟକ ପାତ୍ର Iସରକାର ସମାଜକୁ ଜାତିଭିତ୍ତିରେ ନଭାଙ୍ଗି ଜାତି,ଧର୍ମ , ବର୍ଣ୍ଣ , ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମାନ ଅଧିକାରର ସାମ୍ବିଧାନିକ ବ୍ୟବସ୍ଥାକୁ ବଳବତ୍ତର କରାନ୍ତୁ । ନଚେତ ଆମେ ଆମର ବହୁ କଷ୍ଟଲବ୍ଧ ସ୍ୱାଧୀନତା ଏଇ ଜାତିଭିତ୍ତିକ ଲଢ଼େଇରେ ହରେଇ ବସିବା ବୋଲି ଚେତାବନୀ ଦେଇଥିଲେ । ସରକାର ଜାତିଭିତ୍ତିକ ପ୍ରମାଣପତ୍ର ବାଣ୍ଟିବା ଛାଡ଼ି ସମାନ ଆଚାର ସଂହିତା ଉପରେ ଚିନ୍ତା କରନ୍ତୁ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବକର୍ମୀ ରାମକୃଷ୍ଣ କର , ସିପ୍ରା ଚକ୍ରବର୍ତ୍ତୀ , ବନଜାବାସିନୀ ତ୍ରିପାଠୀ , କାଶୀନାଥ ମିଶ୍ର, ବିବେକାନନ୍ଦ ପଣ୍ଡା , ବାସୁଦେବ ଭଟ୍ଟ , ପୂର୍ଣ୍ଣଚନ୍ଦ୍ର ପାଢ଼ୀ , କେଦାରନାଥ ଜେନା, ଦିଲ୍ଲୀପ କୁମାର ପଣ୍ଡା , ବିଭୁଦତ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

ରିପୋର୍ଟ:ଆକାଶ ମିଶ୍ର