ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଜିଲ୍ଲା ସ୍ତରୀୟ ଭିଡିଓ କନଫରେନସିଂ ଜରିଆରେ ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଶିଶୁ ବିକାଶ ଯୋଜନା ଅଧିକାରୀ, ଚିକିତ୍ସା ଅଧିକାରୀ ଓ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କ ସହ କୋଭିଡ ପରିଚାଳନା ସମ୍ପକରେ ବିସ୍ତୃତ ଆଲୋଚନା କରିଥିଲେ । ଜିଲ୍ଲା ସ୍ତରରୁ ବରିଷ୍ଠ ଅଧିକାରୀ ଗଣ ଜିଲ୍ଲାର ପ୍ରତି ଅଞ୍ଚଳ ଗସ୍ତ କରି କୋଭିଡ ପରିଚାଳନା କାର୍ଯ୍ୟ ତଦାରଖ କରିବେ । କୋଭିଡ କେୟାର ହୋମରେ ସମସ୍ତ ଆବଶ୍ୟକୀୟ ସେବା ସାମଗ୍ରୀ ମହଜୁଦ ରଖିବା ସହିତ ସ୍ୱଚ୍ଛତା ବଜାୟ ରଖିବା ଏବଂ ସେହିଠାରେ ରହିଥିବା ବ୍ୟକ୍ତିଙ୍କୁ ଭିଟାମିନ-ସି ଯୁକ୍ତ ଖାଦ୍ୟ ଓ ଗରମ ପାନୀୟ ଜଳ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଯଦି ଜଣେ ବ୍ୟକ୍ତିଙ୍କର କରୋନା ସଂକ୍ରମଣ ଦେଖାଯାଏ ତେବେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରି ୧୪୪ ଧାରା ଲାଗୁ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ସେହି ଅଂଚଳରେ କୌଣସି ଉତ୍ସବ ଯେମିତି ହେବ ନାହିଁ ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ । କଣ୍ଟେନମେଣ୍ଟ ଜୋନ ଗୁଡିକରେ ତେଜରାତି ପନିପରିବା, ଦୁଗ୍ଧ, ଔଷଧ ସାମଗ୍ରୀ ପହଞ୍ଚାଇବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ସେହି ଅଞ୍ଚଳରୁ କୌଣସି ବ୍ୟକ୍ତି ବାହାରକୁ ଯିବାକୁ ବାରଣ କରିଥିଲେ । କଣ୍ଟେନମେଣ୍ଟ ଜୋନ୍ରୁର ପ୍ରତିଟି ଘରର ସଦସ୍ୟ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ମାନଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଉଛି ସେମାନଙ୍କୁ କୋଭିଡ କେୟାର ହୋମକୁ ନେବା ଓ ସ୍ୱାବ ସଂଗ୍ରହ ଉପରେ ଗୁରୁତ୍ୱ ଦିଆଯାଇଥିଲା । କୋଭିଡ କେୟାର ମନିଟରଙ୍କୁ ଠିକ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିବାକୁ କୁହାଯାଇଥିଲା । ଯେଉଁ ମାନଙ୍କର ଥଣ୍ଡା. କାଶ, ଜ୍ୱର ହେଉଛି ସେମାନେ ଚିକିତ୍ସଳୟ ପରିବର୍ତ୍ତେ କୋଭିଡ କେୟାର ସେଣ୍ଟରକୁ ଯାଇ ନିଜର ଚିକିତ୍ସା କରାନ୍ତୁ ବୋଲି ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଥିଲେ । କ୍ଲଷ୍ଟର ସ୍ତରୀୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ବିଶେଷଙ୍କୁ ଠିକ ରୂପେ କୋଭିଡ କ୍ଲାସ କରି ସେମାନଙ୍କୁ ପ୍ରଶିକ୍ଷଣ ଦେବାକୁ ଜିଲ୍ଲାପାଳ ଅବଗତ କରାଇଥିଲେ । ଭିଡିଓ କନଫରେନସିଂରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ତଥା ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଡେପୁଟି କଲେକ୍ଟର ତଥା ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିବ୍ୟ ଲୋଚନ ମହନ୍ତ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଆର. ଜଗଦୀଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଗଞ୍ଜାମ, ଛତ୍ରପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା