

ଛତ୍ରପୁର (ସମୃଦ୍ଧ ଓଡିଶା) ଦଳିତ ଗ୍ରାମବାସୀଙ୍କ ଉପରେ ଅନ୍ୟାୟ ଓ ଜମି ହଡ଼ପର ତଦନ୍ତ କରିବା ଦାବି ନେଇ ଗ୍ରାମବାସୀଙ୍କ ଘେରାଉ ପରେ ଏସପିଙ୍କ ପ୍ରତିଶୃତି ମିଳିଥିବା ଜଣାପଡିଛି । ସୂଚନା ଅନୁଯାୟୀ ମୋନାଜାଇଟ ପ୍ଳାଣ୍ଟ ବିରୋଧୀ ତଥା ଜୀବନ, ଜୀବିକା ଓ ପରିବେଶ ସୁରକ୍ଷା ମଞ୍ଚର ନେତା ଗୁରୁଦେବ ବେହେରା ଏବଂ ଗିରଫ କରିଥିବା ୨୭ ଜଣ ଦଳିତ ଗ୍ରାମବାସୀଙ୍କ ଉପରେ ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର କରି ନିସର୍ତ୍ତ ଖଲାସ କରିବା, ଆଇଆରଇ ଲିଃ ବଳପୂର୍ବକ ଜବରଦଖଲ ଘେର କରି ରଖିଥିବା ଦଳିତ ଓ ସାଧାରଣ ଗ୍ରାମବାସୀଙ୍କ ଜମିକୁ ଘେର ମୁକ୍ତ କରି ଜବରଦଖଲ ରଖିଥିବା ଜମିକୁ ଫେରସ୍ତ କରିବା, କାଳିପଲ୍ଲୀ, କଣମଣା ପଞ୍ଚାୟତ ସମେତ ୩୦ କିମି ପରିଧି ଅଞ୍ଚଳରେ ଥିବା ଗ୍ରାମର ପରିବାର ବର୍ଗ କିଡନୀ ରୋଗରେ ମୃତ୍ୟୁ ମୁଖରେ ପଡୁଥିବାରୁ ପ୍ଳାଣ୍ଟକୁ ତୁରନ୍ତ ବନ୍ଦ କରିବା, ସିଏସଆର ଅନୁଯାୟୀ ପ୍ରଭାବିତ ଅଞ୍ଚଳର ସମସ୍ତ ଗ୍ରାମବାସୀଙ୍କ ପାଇଁ ତୁରନ୍ତ ସମସ୍ତ ମୈଳିକ ଭିତିଭୂମି ପ୍ରତିଷ୍ଠା କରିବା, ମିଥ୍ୟା ମାମଲାର ଷଡ଼ଯନ୍ତ୍ରକାରୀ ଆଇଆରଇ ଲିଃର ଗତିକୃଷ୍ଣ ନାୟକ ଏବଂ ଚମାଖଣ୍ଡି ଥାନା ଅଧିକାରୀ ସିତାଂଶୁ ଶେଖର ମାନ୍ଧାତା ବିରୁଦ୍ଧରେ ରୁଜ୍ଜୁ ମାମଲା କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଛତ୍ରପୁର ଅଞ୍ଚଳର ଚାଷୀ ଓ ସାଧାରଣ ଜନତାଙ୍କ ଜମିକୁ ଆଇଆରଇଲିଃ ଏବଂ ଟାଟା କମ୍ପାନୀ ଅଧିଗ୍ରହଣ କରି ରଖିଥିବା ଅବ୍ୟବହୃତ ଜମିକୁ ତୁରନ୍ତ ଜମି ମାଲିକ ଏବଂ ଭୂମିହୀନଙ୍କ ମଧ୍ୟରେ ଜମିକୁ ବଣ୍ଟନ କରିବା ଦାବିକୁ ଗତକାଲି ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଘେରାଉ କରିଥିବା ଆନ୍ଦୋଳନକାରୀଙ୍କ ପ୍ରତିନିଧି ମଣ୍ଡଳୀର ମାନବ ଅଧିକାର ସୁରକ୍ଷା ମଞ୍ଚର ଅବନୀ ଗୟା, ସି.ପି.ଆଇ (ଏମ୍ ଏଲ୍) ରେଡଷ୍ଟାରର ଜିଲ୍ଲା ସମ୍ପାଦକ ଶଙ୍କର ସାହୁ, କଣମଣା ଗ୍ରାମପଞ୍ଚାୟତର ସଭାପତି ଉଦୟ ପ୍ରଧାନ, ଭଗବାନ ପ୍ରଧାନ, ଦଣ୍ଡପାଣି ପ୍ରଧାନ, ମହିଳା ନେତ୍ରୀ ସରସ୍ଵତୀ ପ୍ରଧାନ, ମହନୀ ପ୍ରଧାନ, ଝୁନୁ ପ୍ରଧାନ ଆଦିଙ୍କ ନେତୃତ୍ୱରେ ଏସ୍ ପିଙ୍କୁ ନିଜ ଦାବି ଉପସ୍ଥାପନ କରିଥିଲେ । ଅନ୍ୟାୟର ଶିକାର ହୋଇଥିବା ଦଳିତ ଗ୍ରାମବାସୀଙ୍କ ଦାବିକୁ ଧ୍ୟାନ ସହ ଶୁଣି ଅତିରିକ୍ତ ଏସପିଙ୍କୁ ତଦନ୍ତ ଦାୟିତ୍ୱ ପ୍ରଦାନ କରିବା ସହ ଜିଲ୍ଲାପାଳ, ଏସପିଙ୍କ ଜଏଣ୍ଟ କମିଟି କରି ସ୍ଥାୟୀ ସମସ୍ୟାର ସମାଧାନ ହେବ ବୋଲି ଦୃଢ ପ୍ରତିଶ୍ରୁତି ଦେଇଛନ୍ତି । ତିନିଦିନ ମଧ୍ୟରେ ଉପଖଣ୍ଡ ପୋଲିସ ଅଧିକାରୀ ଓ ତହସିଲଦାରଙ୍କ ପ୍ରାଥମିକ ରିପୋର୍ଟ ସଂଗ୍ରହ କରି ପ୍ରଦାନ କରିବା ପାଇଁ ଦାୟିତ୍ବ ପ୍ରଦାନ କରିଛନ୍ତି । ଏହି ଆଲୋଚନାରେ ଆଇନଜୀବି ସୁମା ଦାଶ, ମହିଳା ନେତ୍ରୀ ଇନ୍ଦୁ ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହାପରେ ଆଗାମୀ ରଣନୀତି ପାଇଁ ଗ୍ରାମରେ ବୈଠକ ଅବହେଳା କଲେ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା



