ଦଶହରା ପୂଜା ଛୁଟି ପୂର୍ବରୁ ୨୨୦ ଓଏଏସ୍ ଅଫିସରଙ୍କ ବଦଳି

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ରାଜ୍ୟ ସରକାର ଶନିବାର ବିଳମ୍ବିତ ସନ୍ଧ୍ୟାରେ ୨୨୦ଜଣ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି । ଏହି ବଦଳି ନିର୍ଦ୍ଦେଶ ସହ ସମସ୍ତ ଅଫିସରଙ୍କୁ ବିଭାଗ ଦ୍ୱାରା ସେଣ୍ଟ୍ରାଲୀ ରିଲିଭ୍ କରାଯାଇଛି ଓ ୨୫ତାରିଖ ସୁଦ୍ଧା ନିଜର ନୂଆ ସ୍ଥାନରେ ଯୋଗ ଦେବାକୁ ସରକାର ତାଗିଦ୍ କରିଛନ୍ତି । ଯଦିଓ ଦୁର୍ଗାପୂଜା ପାଇଁ ୨୧ରୁ ୨୪ତାରିଖ ପର୍ଯ୍ୟନ୍ତ ସଚିବାଳୟ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଛୁଟି ରହିଛି । ତେବେ ଗତ ୨୦ ଓ ୨୧ତାରିଖ ଦୁଇଦିନ ଧରି ପଂଚାୟତିରାଜ ବିଭାଗ ଏବଂ ରାଜସ୍ୱ ବିଭାଗ ଦ୍ୱାରା ଜାରି ଓଏଏସ୍ ଅଫିସରଙ୍କ ବଦଳି ବିଜ୍ଞପ୍ତିରେ ରାଜ୍ୟ ସରକାର ନିଜର ଏକଛତ୍ରବାଦୀ ନୀତିର ପରିଚୟ ଦେବାକୁ ପଛାଇ ନାହାନ୍ତି । ସରକାରୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ବଦଳି ନୀତି ଓ ଓଡ଼ିଶା ସର୍ଭିସ କୋଡ୍‌କୁ ଖୋଲାଖୋଲି ଉଲ୍ଲଘଂନ କରିବା ସହ ବଦଳି କ୍ଷେତ୍ରରେ ଜିଲ୍ଲାପାଳମାନଙ୍କ କ୍ଷମତାକୁ ବି କାଢ଼ି ନେଇଥିବା ଜଣାପଡ଼ିଛି । ଆଉ ଏସବୁ କେବଳ ତୃତୀୟ ମହଲା(ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ)ର ମାତ୍ରାଧିକ ହସ୍ତକ୍ଷେପ ଯୋଗୁ ହେଉଥିବା ଚର୍ଚ୍ଚା । ସୂଚନା ଅନୁସାରେ, ଦୁର୍ଗା ପୂଜା ପାଇଁ ଛୁଟି ଥିବା ସତ୍ତ୍ୱେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଶନିବାର ସନ୍ଧ୍ୟାରେ ୨୨୦ଜଣ ଓଏଏସ୍ ଅଫିସରଙ୍କ ବଦଳି ବିଜ୍ଞପ୍ତି ଜାରି କରାଯାଇଛି । ସାଧାରଣ ନିର୍ବାଚନ ପୂର୍ବରୁ ଅଫିସରମାନଙ୍କ ସମୂହ ବଦଳି ରାଜ୍ୟ ସରକାରଙ୍କ କାର୍ଯ୍ୟର ଅଂଶବିଶେଷ ତଥା ସ୍ୱାଭାବିକ ପ୍ରକ୍ରିୟା । ମାତ୍ର ଯେଉଁ ଢଙ୍ଗରେ ସରକାର ଏବେ ଅଫିସରମାନଙ୍କ ବଦଳି ନିର୍ଦ୍ଦେଶ ଜାରି କରୁଛନ୍ତି ଓ ସେଥିରେ ଜିଲ୍ଲାସ୍ତରର ଅଫିସରମାନଙ୍କୁ ରିଲିଭ୍ କରିବା କ୍ଷମତା ଜିଲ୍ଲାପାଳମାନଙ୍କଠୁ କାଢ଼ି ନେଇ ବିଭାଗ ଦ୍ୱାରା କରାଉଛନ୍ତି ତାହା ଓଡ଼ିଶା ସର୍ଭିସ କୋଡ୍ ଓ ବଦଳି ନୀତିରେ ଥିବା ପ୍ରାବଧାନକୁ ଖୋଲା ଉଲ୍ଲଘଂନ କରୁଛି । ଏପରିକିି ଜିଲ୍ଲାସ୍ତରର ଅଫିସରମାନଙ୍କୁ ବିଭାଗ ଦ୍ୱାରା ସେଣ୍ଟ୍ରାଲି ରିଲିଭ୍ କରାଯିବା ଓ ଦାୟିତ୍ୱ ହସ୍ତାନ୍ତର ପାଇଁ ସେମାନଙ୍କୁ ସମୟ ଦିଆନଯିବା ଦ୍ୱାରା ପରୋକ୍ଷରେ ରାଜ୍ୟରେ ନୂଆ ପ୍ରଶାସନିକ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ଉଦାହରଣସ୍ୱରୂପ, ପଂଚାୟତିରାଜ ବିଭାଗ ପକ୍ଷରୁ ଗତ ୨୦ତାରିଖ ଶୁକ୍ରବାର ଏକ ବଦଳି ବିଜ୍ଞପ୍ତି ଜାରି ହୋଇଛି । ଯେଉଁଥିରେ ୨୯ଜଣ ଓଏଏସ ଅଫିସରଙ୍କୁ ବିଭିନ୍ନ ବ୍ଲକରେ ବିଡିଓ ଭାବେ ନିଯୁକ୍ତି ମିଳିଛି । ଆଉ ସେହି ବଦଳି ବିଜ୍ଞପ୍ତିରେ ଚଳିିତବର୍ଷ ଜାନୁୟାରୀରୁ ଅକ୍ଟୋବରମାସ ମଧ୍ୟରେ ୧୨ଟି ବଦଳି ବିଜ୍ଞପ୍ତିର ଉଲ୍ଲେଖ କରାଯାଇଛି । ଏହି ୧୨ଟି ବଦଳି ନିର୍ଦ୍ଦେଶ ଆଧାରରେ ଯେଉଁ ଓଏଏସ୍ ଅଫିସରମାନେ ନିଜ ସ୍ଥାନରୁ ରିଲିଭ୍ ନହୋଇଛନ୍ତି ସେମାନଙ୍କୁ ସେଣ୍ଟ୍ରାଲି ରିଲିଭ୍ କରାଗଲା ବୋଲି ପଂଚାୟତିରାଜ ବିଭାଗର ସଦ୍ୟ ବିଜ୍ଞପ୍ତିରେ ଦର୍ଶାଯାଇଛି । ପଂଚାୟତିରାଜ ବିଭାଗ ଚଳିତବର୍ଷ ଅକ୍ଟୋବର ୭, ସେପ୍ଟେମ୍ବର ୧୨, ମେ’ ୯, ଏପ୍ରିଲ ୨୭, ମାର୍ଚ୍ଚ ୨, ଫେବୃୟାରୀ ୨୦ ଓ ଜାନୁୟାରୀ ୧୯ ତାରିଖର ବଦଳି ବିଜ୍ଞପ୍ତି ଏବଂ ରାଜସ୍ୱ ବିଭାଗର ଜାନୁୟାରୀ ୧୮, ମେ’ ୧୮, ମେ’୩୧, ଜୁନ୍ ୮ ଓ ଜୁଲାଇ ୧୯ତାରିଖର ବଦଳି ବିଜ୍ଞପ୍ତିକୁ ଉଲ୍ଲେଖ କରାଯାଇଛି । ଏହି ସମସ୍ତ ବଦଳି ବିଜ୍ଞପ୍ତି ତାରିଖକୁ ଉଲ୍ଲେଖ କରି ପଂଚାୟତିରାଜ ବିଭାଗ ଗତ ଶୁକ୍ରବାର ଅର୍ଥାତ୍ ଅକ୍ଟୋବର ୨୦ ଅପରାହ୍ନରେ ସମସ୍ତ ଓଏଏସ୍ ଅଫିସରଙ୍କୁ ସେଣ୍ଟ୍ରାଲି ରିଲିଭ୍ କରାଗଲା ଓ ୨୫ତାରିଖ ସୁଦ୍ଧା ନୂଆ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରିଛି । ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଅକ୍ଟୋବର ୨୧ ଶନିବାର ଜାରି ବଦଳି ବିଜ୍ଞପ୍ତିରେ ମଧ୍ୟ ୨୨୦ଜଣ ଓଏଏସ୍ ଅଫିସରଙ୍କୁ ସେଣ୍ଟ୍ରାଲି ରିଲିଭ୍ କରାଗଲା ଓ ୨୫ତାରିଖ ସୁଦ୍ଧା ନୂଆ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛି । ଏହି ବିଜ୍ଞପ୍ତିରେ ସେପ୍ଟେମ୍ବର ୧୨ ଓ ଅକ୍ଟୋବର ୧୩ରେ ଯେଉଁ ଓଏଏସ୍ ଅଫିସରଙ୍କ ବଦଳି ହୋଇଥିଲା ସେମାନଙ୍କୁ ମଧ୍ୟ ସେଣ୍ଟ୍ରାଲି ରିଲିଭ୍ କରାଗଲା ବୋଲି ଉଲ୍ଲେଖ ରହିଛି ।

ରିପୋର୍ଟ : ରଜତ ମହାପାତ୍ର