ଦଶାବତାର ଚରିତ ମତ୍ସ୍ୟ ଚରିତ-୧

ସୃଷ୍ଟିକର୍ତ୍ତା ବ୍ରହ୍ମା ସମୁଦାୟ ଜଗତକୁ ସୃଷ୍ଟି କରି ସର୍ବଶେଷରେ ମାନବର ଆଦିପୁରୁଷ ମନୁଙ୍କୁ ସୃଷ୍ଟି କଲେ । ମନୁଙ୍କ ସନ୍ତାନ ବୋଲି ଆମାନଙ୍କର ନାମ ମାନବ । ମାନବ ହିଁ ଜଗତର ସର୍ବଶ୍ରଷ୍ଠ ଜୀବ । ସନ୍ତାନ ପାଇଁ ମନୁ କଠୋର ତପସ୍ୟା କଲେ । ତପସ୍ଯା ବଳରେ ତାଙ୍କର ଅତ୍ୟନ୍ତ ତେଜସ୍ଵୀ ଅନେକ ସନ୍ତାନ ଜନ୍ମ ନେଲେ । ସେମାନେ ବିଭିନ୍ନ ପ୍ରକାରର ବିଦ୍ୟା ଆବିଷ୍କାର କଲେ,ତପସ୍ଯା କରି ମହାଶକ୍ତି ଲାଭ କଲେ; ଫଳରେ ଜୀବଜଗତର ପ୍ରଭୁ ହୋଇ ପ୍ରକୃତିରାଜ୍ୟର ସକଳ ପ୍ରକାରର ସୁଖ ସୁବିଧା ଭୋଗ କରିବାକୁ ଲାଗିଲେ । ମନୁଙ୍କ ମନରେ ଆନନ୍ଦର ଆଉ ସୀମା ରହିଲା ନାହିଁ । ନିଶ୍ଚିନ୍ତ ହୋଇ ମନୁ ତପସ୍ଯାରେ ମଗ୍ନ ହେଲେ । ଧ୍ୟାନଯୋଗରେ ଭୂତ-ଭବିଷ୍ୟତ-ବର୍ତ୍ତମାନ ଯେତେବେଳେ କିଞ୍ଚିତ୍ ପରିମାଣରେ ତାଙ୍କର ଦୃଷ୍ଟି ଗୋଚର ହେଲା,ସେତେବେଳେ ସେ ଜାଣିପାରିଲେ ଯେ,କିଛିଦିନ ପରେ ସମସ୍ତ ପୃଥିବୀ ଜଳମଗ୍ନ ହେବ; ଫଳରେ ସମସ୍ତ ଜୀବ ଧ୍ଵଂସ ହେବେ । ତାଙ୍କର ଏତେ ତପସ୍ୟାର ଫଳ ସମୂଳେ ବିନଷ୍ଟ ହେବ ଭାବି ମନୁ ଅତ୍ୟନ୍ତ ଦୁଃଖିତ ହେଲେ । ଏହି ଚିନ୍ତା ତାଙ୍କୁ ଅସହ୍ୟ ହେଲା । ତପସ୍ୟା ଫଳରେ ଜଗତସୃଷ୍ଟି ହେଲା; ତପସ୍ୟା ଦ୍ୱାରା ହିଁ ତାହାକୁ ରକ୍ଷା କରିବାକୁ ହେଵ-ଏହା ଭାବି ସେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ଧ୍ୟାନରେ ନିମଗ୍ନ ହେଲେ । ଗୋଟିଏ ଗିରିଗୁହାରେ ଶିଳାସନରେ ବସି ଧ୍ୟାନ କରୁ କରୁ ତାଙ୍କର ବାହ୍ୟଜ୍ଞାନ ଲୋପ ପାଇଲା । ଶରୀର କାଷ୍ଠ ପୁତଳିକା ପରି ନିଶ୍ଚଳ ହୋଇ ରହିଲା । ମନ ବ୍ରହ୍ମମୟ ହୋଇଗଲା । କଠୋର ତପସ୍ୟାରେ ପ୍ରୀତ ହୋଇ ବ୍ରହ୍ମା ତାଙ୍କୁ ଦର୍ଶନ ଦେଲେ । ବ୍ରହ୍ମା କହିଲେ, ବତ୍ସ, ତୁମର ସନ୍ତାନ-ସନ୍ତତିରେ ପୃଥିବୀ ପୂର୍ଣ୍ଣ । ସେମାନେ ସଵୁ ପ୍ରକାରର ଭାଗ୍ୟ ବସ୍ତୁ ପାଇ ଆନନ୍ଦରେ ଥିବା ସତ୍ତ୍ୱେ ତୁମେ କାହିଁକି ଏପରି କଠୋର ତପସ୍ୟା କରି ଶରୀରପାତ କରୁଛ ? ମନୁ ତାଙ୍କର ମନର ଭାବ ବ୍ରହ୍ମାଙ୍କୁ ନିବେଦନ କରିବାରୁ ବ୍ରହ୍ମା କହିଲେ, ବତ୍ସ, ତୁମେ ଏ ବିଷୟରେ ନିଶ୍ଚିତ ହୁଅ । ଯାହାଙ୍କ ଇଛାରେ ମୁଁ ଜଗତ ସୃଷ୍ଟି କରିଛି ,ଯାହାଙ୍କ ଇଛାରେ ତୁମେ ମନୁଷ୍ୟର ଆଦିପୁରୁଷ, ସେହି ପ୍ରେମମୟ ନାରାୟଣ ସେମାନଙ୍କର ଜୀବନ ରକ୍ଷା କରିବା ପାଇଁ ସୁବ୍ୟବସ୍ଥା କରିଛନ୍ତି । ଏହା କହି ମନୁଙ୍କ ମନଶ୍ଚକ୍ଷୁ ସମ୍ମୁଖରେ ସେହି ଭବିଷ୍ୟତ ଘଟଣାର ଦୃଶ୍ୟ ଉଦଘାଟିତ କଲେ । ମନୁ ପ୍ରଫୁଲ୍ଲ ହୋଇ ବ୍ରହ୍ମାଙ୍କ ଚରଣରେ ପ୍ରଣତ ହେବାରୁ ବ୍ରହ୍ମା ଅଦୃଶ୍ୟ ହେଲେ ।

ସଂଗ୍ରହକାରୀ-ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା, ବାଲେଶ୍ବର